-ସୌମ୍ୟଙ୍କ ସରକାରୀ ବାସଭବନରେ ପହଂଚି ସରଜମିନ ତଦନ୍ତ କଲେ ଦକ୍ଷିଣାଚଂଳ ଡ଼ିଆଇଜି
-ସୌମ୍ୟଙ୍କ ସରକାରୀ ବାସଭବନ ହିଁ କ୍ରାଇମ୍ ସ୍ପଟ୍ – ଦକ୍ଷିଣାଚଂଳ ଡ଼ିଆଇଜି
-ଘର ଭିତରେ ପୋଡା ଦାଗ ରହିଛି – କ୍ରାଇମବ୍ରାଂଚ ଡିଏସପି
ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାର ସରଜମିନ ତଦନ୍ତ ପାଇଁ ମୃତ ସୌମ୍ୟଙ୍କ ସରକାରୀ ବାସଭବନରେ ଆଜି ଅପରାହ୍ନରେ ପହଂଚି ଥିଲେ ଦକ୍ଷିଣାଚଂଳ ଡ଼ିଆଇଜି ସତ୍ୟବ୍ରତ ଭୋଇ । ସକାଳେ କ୍ରାଇମବ୍ରାଂଚ୍ ଟିମ୍ ଏଠାରେ ପହଂଚି ଛାନଭିନ୍ କରିଥିଲା । ପରେ ଛାନଭିନ୍ ନେଇ ଡିଆଇଜିଙ୍କୁ ବିବରଣୀ ଦେଇଥିଲା ଟିମ୍ ।
ଘଟଣାସ୍ଥଳ ପରିଦର୍ଶନ ପରେ ଏନେଇ ଗଣମାଧ୍ୟମକୁ ସୂଚନା ଦେଇ ଡିଆଇଜି ଶ୍ରୀ ଭୋଇ କହିଛନ୍ତି ଯେ, ଘଟଣାସ୍ଥଳ ପରିଦର୍ଶନ କଲି, ପାରିପାଶ୍ୱର୍ିକ ସ୍ଥିତିରୁ ଏଠାରେ କିଛି ଜଳିବାର ଚିହ୍ନ ରହିଛି । ବର୍ତମାନ ସୁଦ୍ଧା ତଦନ୍ତରୁ ଯାହା ଜଣାପଡୁଛି ସୌମ୍ୟଙ୍କ ସରକାରୀ ବାସଭବନ ହିଁ କ୍ରାଇମ୍ ସ୍ପଟ୍ । ତଦନ୍ତ ପ୍ରକ୍ରିୟା ଜାରୀ ରହିଛି । ଆଗକୁ ବହୁତ କିଛି ତଦନ୍ତ କରିବାର ଅଛି । ସବୁକିଛି ତଦନ୍ତ ସରିଲା ପରେ ସଠିକ୍ ଭାବେ କିଛି କୁହାଯାଇପାରିବ । ମାମଲାରେ ଯେଉଁ ମାନେ ବି ସମ୍ପୃକ୍ତ ରହିଛନ୍ତି ସମସ୍ତେ ତଦନ୍ତ ପରିସର ଭୁକ୍ତ ହେବେ, ସମସ୍ତଙ୍କକୁ ପଚରା ଉଚୁରା କରାଯିବ ।
ଅନ୍ୟପକ୍ଷରେ ସୌମ୍ୟଙ୍କ ସରକାରୀ ବାସଭବନରେ ପୋଲିସ ଓ କ୍ରାଇମବ୍ରାଂଚ ଟିମ୍ ପକ୍ଷରୁ ଯାଂଚ୍ ଚାଲିଛି । ଘରର ବିଭିନ୍ନ ସ୍ଥାନରୁ ସୁରାକ୍ ଖୋଜୁଛି କ୍ରାଇମବ୍ରାଂଚ । ଘର ଭିତରର ବିଭିନ୍ନ ସ୍ଥାନର ଭିଡ଼ିଓଗ୍ରାଫି କରାଯାଇଛି ।