ନୂଆଦିଲ୍ଲୀ : ଦେଶର ପ୍ରତ୍ୟେକ ରାଜ୍ୟର ଆବଶ୍ୟକତାକୁ ବିଚାରକୁ ନେଇ ଏବଂ ଏହି ଇଞ୍ଜେକସନ୍ ପର୍ଯ୍ୟାପ୍ତ ମାତ୍ରାରେ ଉପଲବ୍ଧ ହେବାକୁ ସୁନିଶ୍ଚିତ କରିବା ସକାଶେ କେନ୍ଦ୍ର ସରକାର ଆସନ୍ତା ମେ ୨୩, ୨୦୨୧ ପର୍ଯ୍ୟନ୍ତ ଏହାର ଆବଂଟନ ସଂପର୍କରେ କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଶ୍ରୀ ଡି ଭି ସଦାନନ୍ଦ ଗୌଡ଼ା ଆଜି ଘୋଷଣା କରିଛନ୍ତି । ଏହି ଆବଂଟନରେ ଓଡ଼ିଶାକୁ ୧,୪୧,୦୦୦ ଭାଏଲ ରେମଡ଼େସିଭିର ଇଞ୍ଜେକସନ୍ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି । ମନ୍ତ୍ରୀ ଶ୍ରୀ ଗୌଡ଼ା କହିଛନ୍ତି ଯେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଇଞ୍ଜେକସନର ସାମଗ୍ରିକ ଉତ୍ପାଦନ ଏବଂ ଯୋଗାଣକୁ ବଢ଼ାଇ ଦିଆଯାଇଛି ।
ଏହି ପରିପ୍ରେକ୍ଷୀରେ ଫାର୍ମାସିଉଟିକାଲ୍ସ ବିଭାଗ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟଙ୍କୁ ଲେଖାଯାଇଥିବା ଏକ ପତ୍ରରେ ଏହି ବିଷୟ ସୂଚୀତ କରାଯାଇଛି ଯେ ରେମଡେସିଭିର ଔଷଧର ଆବଂଟନ ସଂପର୍କରେ ଏପ୍ରିଲ ୨୧ ଠାରୁ ମେ ୧୬, ୨୦୨୧ ପର୍ଯ୍ୟନ୍ତ ରାଜ୍ୟମାନଙ୍କୁ ପୂର୍ବରୁ ଏକ ଡି ଓ ପତ୍ର ମାମଧ୍ୟମରେ ସୂଚୀତ କରାଯାଇଥିଲା । ମେ ୭,୨୦୨୧ ତାରିଖ ପର୍ଯ୍ୟନ୍ତ ଜାରି ଏହି ପତ୍ରରେ ରାଜ୍ୟମାନଙ୍କୁ ଅବଗତ କରାଯାଇଥିଲା ଯେ ଏପ୍ରିଲ ୨୧ ଠାରୁ ମେ ୨୩, ୨୦୨୧ ତାରିଖ ପର୍ଯ୍ୟନ୍ତ ଆବଂଟନରେ ସଂଶୋଧନ କରାଯାଇଛି ଯାହାକି ଫାର୍ମାସିଉଟିକାଲ୍ସ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମିଳିତ ଭାବେ ପ୍ରସ୍ତୁତ କରାଯାଇଛି ।
ଏବେ ଆବଶ୍ୟକତା ବୃଦ୍ଧିକୁ ବିଚାରକୁ ନେଇ ଏହି ଔଷଧର ଯୋଗାଣ ପରିମାଣକୁ ବୃଦ୍ଧି କରାଯାଇଛି ଏବଂ ରାଜ୍ୟ ତଥା କେନ୍ଦ୍ରଶାସିତ କ୍ଷେତ୍ରକୁ ତାହା ଯୋଗାଇ ଦିଆଯାଉଛି ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କୁ ଏହି ଇଞ୍ଜେକସନର ଉପଯୁକ୍ତ ବିତରଣକୁ ମନିଟର କରିବା ସକାଶେ ପରାମର୍ଶ ଦିଆଯାଇଛି । ଏହି ବିତରଣରେ ଉଭୟ ସରକାରୀ ଓ ଘରୋଇ ହସପିଟାଲଗୁଡ଼ିକୁ ଯେଉଁମାନେ କି ସଂପୃକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କରେ ରହି କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ସମାନ ଦୃଷ୍ଟିରେ ବିଚାର ପୂର୍ବକ ଯୋଗାଇ ଦେବାକୁ କୁହାଯାଇଛି ।
ଏଥିପାଇଁ ରାଜ୍ୟ ସରକାର/ କେନ୍ଦ୍ରଶାସିତ କ୍ଷେତ୍ରମାନେ ମାର୍କେଟିଂ କମ୍ପାନୀମାନଙ୍କ ନିକଟରେ ତୁରନ୍ତ ପର୍ଯ୍ୟାପ୍ତ ମାତ୍ରାରେ ଏହି ଔଷଧ କ୍ରୟ କରିବାକୁ ଅର୍ଡ଼ର ପେଶ କରିବାକୁ ପରାମର୍ଶ ଦିଆଯାଇଛି । ଯଦି ସେମାନେ ଏଭଳି କ୍ରୟ ଅର୍ଡ଼ର ଦେଇ ନାହାନ୍ତି ତେବେ ସେମାନେ ତାହା ତୁରନ୍ତ ଦେବା ଆବଶ୍ୟକ । ସେମାନଙ୍କୁ ଆବଂଟନ କରାଯାଇଥିବା ମୋଟ ପରିମାଣରୁ ରାଜ୍ୟ ଓ କେନ୍ଦ୍ର ଶାସିତ କ୍ଷେତ୍ରମାନେ କେତେ ପରିମାଣର ରେମଡ଼େସିଭିର ଇଞ୍ଜେକସନ୍ କିଣିବାକୁ ଚାହାନ୍ତି ସେ ସଂପର୍କରେ ସେମାନେ ଔଷଧ କମ୍ପାନୀମାନଙ୍କ ଲିଆସନ୍ ଅଫିସରମାନଙ୍କ ସହ ଘନିଷ୍ଠ ସଂପର୍କ ରକ୍ଷା କରି ସାକାର କରିପାରିବେ । ରାଜ୍ୟମାନଙ୍କରେ ଘରୋଇ ବିତରଣ ଚାନେଲରେ ମଧ୍ୟ ଏହି ସମ୍ପର୍କ ରକ୍ଷା କରାଯାଇପାରିବ ।