ନଭେମ୍ବର ପରେ ପୁଣି ବଢ଼ିଲା ଆକ୍ରାନ୍ତଙ୍କ ସଂଖ୍ୟା : ସ୍ଥିତି ବିଗିଡ଼ିଲେ ଲକ୍ ଡାଉନ୍

ଭୁବନେଶ୍ୱର: ପରିସ୍ଥିତି ବିଗିଡ଼ିଲେ ଲକଡାଉନ୍ ହୋଇପାରେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି । ରାଜ୍ୟରେ କରୋନା ସ୍ଥିତି ନେଇ ସେ କହିଛନ୍ତି ଯେ ରାଜ୍ୟ ସରକାର ପରିସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି । ଲୋକଙ୍କୁ ସଚେତନ କରାଯାଉଛି । ଜିଲ୍ଲାପାଳ ଓ ଏସପିଙ୍କୁ ସଜାଗ ରଖାଯାଇଛି । କରୋନା ଉପରେ ନିୟନ୍ତ୍ରଣ ଆସିଥିଲେ ହେଁ ଜନସାଧାରଣଙ୍କୁ ସତର୍କ ରହିବାକୁ ହେବ । କୋଭିଡ୍ ନିୟମ ମାନିବାକୁ ଅନୁରୋଧ କଲେ ମନ୍ତ୍ରୀ ।

ମନ୍ତ୍ରୀ କହିଛନ୍ତି ଯେ ପରିସ୍ଥିତିକୁ ନେଇ ଆମେ ନିଷ୍ପତି ନେବୁ । ଲୋକମାନଙ୍କୁ ମାଇକ୍ ଯୋଗେ ସଚେତନ କରାଇବୁ । ସ୍ୱତନ୍ତ୍ର ରିଲିଫ୍ କମିଶନର, ରାଜ୍ୟର ସବୁ ଜିଲ୍ଲାପାଳ,ମ୍ୟୁନିସିପାଲ କମିସନର ଏବଂ ଏସପିମାନଙ୍କୁ ଚିଠି ଲେଖିଛନ୍ତି । କରୋନା ନିୟମ କଡ଼ାକଡ଼ି ପାଳନ ହେଉଛି ନା ନାହିଁ, ତା ଉପରେ ନଜର ରଖି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା, ସମାଜିକ ଦୂରତା ମାନିବା ନିୟମ ଉପରେ ଜିଲ୍ଲା ଓ ପୁଲିସ ଅଧିକାରୀ ନଜର ରଖିବେ ।

ସେହିପରି ବଜାର ଓ ହାଟ ଭଳି ଜନଗହଳି ପୂର୍ଣ୍ଣ ସ୍ଥାନରେ ଲାଉଡସ୍ପିକର ଜରିଆରେ ସତର୍କ କରିବେ ଜିଲ୍ଲା ପ୍ରଶାସନ । ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ନିୟମ ପାଳନ ନେଇ ସଂପୃକ୍ତ ଅଧିକାରୀ ଉତରଦାୟୀ ରହିବେ । ବାହାଘର, ଧାର୍ମିକ ସମାବେଶ, ଖେଳ, ସାଂସ୍କୃତିକ ଆଦି ସମାବେଶରେ କୋଭିଡ୍ ନିୟମ ପାଳନ ବାଧ୍ୟତାମୂଳକ ହେବ । ସ୍କୁଲ ଓ କଲେଜରେ ନିୟମ ପାଳନ ଉପରେ ସଂପୃକ୍ତ ଅଧିକାରୀ ଓ ଶିକ୍ଷକମାନେ ନଜର ରହିବେ ।

କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହେଲେ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯିବା ଦରକାର । ହୋଟେଲ, ରେସ୍ତୁରାଁ, ଢାବା ଓ ଅନ୍ୟ ସର୍ବସାଧାରଣ ସ୍ଥାନରେ ଖାଇବା ସମୟରେ ନିୟମ ପାଳନ ଉପରେ ପୁଲିସ ନଜର ରଖିବ । ଦୋକାନ ଓ ବ୍ୟାବସାୟିକ ଅନୁଷ୍ଠାନ କରୋନା ନିୟମ ଭାଙ୍ଗିଲେ ଦୋକାନକୁ ସିଲ୍ କରାଯାଇପାରେ ବୋଲି କୁହାଯାଇଛି । ସେହିରି ଦେଶରେ କରୋନା ସଂକ୍ରମଣ ଉପରମୁହାଁ ହୋଇଛି । ନଭେମ୍ବର ପରେ ଦେଶରେ ସବୁଠୁ ଅଧିକ ବେଗରେ ବଢ଼ିଚାଲିଛି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା । ୨୪ଘଣ୍ଟାରେ ବଢ଼ିଛନ୍ତି ୪୪୨୧ରୋଗୀ । ଗତ ୨୪ ଘଣ୍ଟାରେ ଦେଶରେ ୧୪,୧୯୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।