ଭୁବନେଶ୍ୱର: କୋଭିଡ୍କୁ ନେଇ ଟିକାକରଣ ଅଭିଯାନ ଆରମ୍ଭ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ ଟିକାକରଣର ସମ୍ପର୍କରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସହ କଥାବାର୍ତ୍ତା ହୋଇ ଏ ସମ୍ପର୍କରେ ପଚାରି ବୁଝିଛନ୍ତି । ଭିଡିଓ କନଫରେନ୍ସିଂ ଜରିଆରେ ଫିଡ୍ବ୍ୟାକ୍ ନେବା ସମୟରେ ବ୍ରହ୍ମପୁର ସିଟି ହସ୍ପିଟାଲର ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି । ଏହାଛଡ଼ା ସେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଫେଇ କର୍ମଚାରୀ ଏବଂ କ୍ୟାପିଟାଲ ହସ୍ପିଟାଲର ନର୍ସଙ୍କ ସହ କଥା ହୋଇଥିବା ଜଣାପଡିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କୋଭିଡ୍ ଟିକାକରଣ ଲାଗି ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସହଯୋଗ କାମନା କରିଛନ୍ତି । ପ୍ରକାଶଥାଉକି, ଆଜି ସମଗ୍ର ଦେଶ ସହିତ ଓଡ଼ିଶାରେ
ଆରମ୍ଭ ହେଲା ମେଗା ଭ୍ୟାକ୍ସିନେସନ । ରାଜ୍ୟର ୧୬୧ କେନ୍ଦ୍ରରେ ଭ୍ୟାକ୍ସିନ୍ ନେଲେ ସ୍ୱାସ୍ଥ୍ୟକର୍ମୀ । ଆଜି ସକାଳ ସାଢ଼େ ୧୦ଟାରେ ଟିକାକରଣ ଆରମ୍ଭ ହୋଇଥିବା ବେଳେ କ୍ୟାପିଟାଲ ହସ୍ପିଟାଲରେ ଜଣେ ସଫେଇ କର୍ମଚାରୀଙ୍କୁ ଦିଆଯାଇଥିଲା ପ୍ରଥମ ଟିକା । ଆଜି ସନ୍ଧ୍ୟା ୭ଟା ସୁଦ୍ଧା ରାଜ୍ୟରେ ୮୪ ପ୍ରତିଶତ ଟିକାକରଣ ହୋଇଛି । ଅର୍ଥାତ୍ ୧୩ ହଜାର ୭୪୫ ଜଣଙ୍କୁ ଟିକା ଦିଆଯାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ତେବେ ଅନୁଗୁଳ,ବାଲେଶ୍ୱର, କନ୍ଧମାଳ, କୋରାପୁଟରେ ଶତପ୍ରତିଶତ ଟିକାକରଣ ହୋଇଥିବା ଜଣାପଡିଛି । ରାଜ୍ୟରେ ଆଜି ୧୬ ହଜାର ୩୧୪ ଜଣଙ୍କୁ ଟିକାଦାନ ଲକ୍ଷ୍ୟ ରଖାଯାଇଛି । ପ୍ରଥମ ଦିନର ଟିକାକରଣ କାର୍ଯ୍ୟକ୍ରମ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ କହିଛନ୍ତି ଯେ,ଆଜି ପ୍ରଥମ ଦିନରେ ସୁରୁଖୁରୁରେ ଟିକାଦାନ କାର୍ଯ୍ୟକ୍ରମ ସରିଛି । ଢେଙ୍କାନାଳ ଜିଲ୍ଲାର ଜଣେ ବ୍ୟକ୍ତିଙ୍କଠାରେ ପାର୍ଶ୍ୱପ୍ରତିକ୍ରିୟା ଦେଖିବାକୁ ମିଳିଥିଲା । ହେଲେ ସଂପୃକ୍ତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ସ୍ଥିର ଥିବା ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ରାଜ୍ୟରେ ଟିକାକରଣ ପାଇଁ ୩ଲକ୍ଷ ୩୮ହଜାର ପଞ୍ଜିକୃତ ହୋଇଛନ୍ତି । ଆଗାମୀ ୧୦ ଦିନରେ ସମସ୍ତ ପଞ୍ଜିକୃତଙ୍କୁ ଟିକା ଦିଆଯିବ ।