ପୁଣି ଡରାଇଲାଣି ନୂଆ ଷ୍ଟ୍ରେନ୍

-ସଂକ୍ରମଣର ୮୭% କେବଳ ୬ ରାଜ୍ୟରୁ ଚିହ୍ନଟ

-ମହାରାଷ୍ଟ୍ର-କେରଳରେ ହୁ ହୁ ହୋଇ ବଢ଼ୁଛି

-ଆଜିଠୁ ପୁନେରେ ନାଇଟ୍ କର୍ଫ୍ୟୁ

-ବନ୍ଦ ରହିବ ସ୍କୁଲ ଓ କଲେଜ

ନୂଆଦିଲ୍ଲୀ:  ଭାରତରେ ଦେଖା ଦେଇଥିବା କରୋନା ଭାଇରସ ମହାମାରୀର ନୂଆ ଷ୍ଟ୍ରେନ୍ ପ୍ରଥମେ ଦେଖାଦେଇଥିବା ଭୂତାଣୁଠାରୁ ଅଧିକ ମାରାତ୍ମକ ହୋଇପାରେ । ମହାରାଷ୍ଟ୍ରରେ କରୋନା ଭାଇରସ୍ ଚିହ୍ନଟ ପରେ ଏଭଳି ଆଶଙ୍କା କରିଛନ୍ତି ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ମୁଖ୍ୟ ଡା.ରଣଦୀପ ଗୁଲେରିଆ । ଏକ ଗଣମାଧ୍ୟମ ସାକ୍ଷାତକାରରେ ଡା. ଗୁଲେରିଆ କହିଛନ୍ତି ଯେ, ଭୂତାଣୁର ଏହି ନୂଆ ପ୍ରକାର ଅଧିକ ସଂକ୍ରାମକ ଓ ବିପଜ୍ଜନକ । ମହାରଷ୍ଟ୍ର,କେରଳ, ମଧ୍ୟପ୍ରଦେଶ, ତାମିଲନାଡୁ,ପଞ୍ଜାବ ଏବଂ ମଧ୍ୟପ୍ରଦେଶରେ ସଂକ୍ରମଣ ବୃଦ୍ଧି ହେବା ପରେ କୋଭିଡ ନୂଆ ଷ୍ଟ୍ରେନ୍କୁ ନେଇ ଦେଶରେ ଆତଙ୍କ ଖେଳିଯାଇଛି । ମହାରାଷ୍ଟ୍ରରେ କୋଭିଡ ସଂକ୍ରମଣ ବୃଦ୍ଧି ପରେ ୩ଜି ଜିଲ୍ଲାକୁ ଲକ୍ଡାଉନ୍ କରାଯାଇଛି ।

ମହାରାଷ୍ଟ୍ରରେ ୨୪ଘଣ୍ଟା ମଧ୍ୟରେ ସର୍ବାଧିକ ୬୧୧୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କେରଳରେ ୪୫୦୫ ନୂଆ କୋଭିଡ୍ କେସ୍ ଚିନ୍ତାର କାରଣ ହୋଇଛି । ପୁନେରେ ସୋମବାରଠାରୁ ପୁଣି ବନ୍ଦ ରହିବ ସ୍କୁଲ ଓ କଲେଜ ଏବଂ ଲାଗୁ ହେବ ନାଇଟ୍ କର୍ଫ୍ୟୁ । ମୁମ୍ବଇରେ ମଧ୍ୟ ଲାଗିଛି କଡ଼ା କଟକଣା । ମହାରାଷ୍ଟ୍ରର ଆଉ କିଛି ଜିଲ୍ଲାରେ ମଧ୍ୟ ଲକ୍ଡାଉନ୍ ଓ ସପ୍ତାହନ୍ତ ଲକଡାଉନ୍ ଜାରି କରାଯାଇଛି । ଏହାଛଡା ସାରା ରାଜ୍ୟରେ କୋଭିଡ କଟକଣା କଡାକଡି କରାଯାଇଛି ।

କୋଭିଡ ନୂଆ ଷ୍ଟ୍ରେନ ଯୋଗୁ ସଂକ୍ରମଣ ବୃଦ୍ଧି ହେଉଥିବା ବେଳେ ସଂକ୍ରମଣର ଚିକିତ୍ସାକାଳରେ ସାବଧାନତା ଅବଲମ୍ବନ କରିବା ଲାଗି ଡା.ଗୁଲେରିଆ ପରାମର୍ଶ ଦେଇଛନ୍ତି । ଏଥିରେ କୋଭିଡ ଭ୍ୟାକ୍ସିନ୍ ନେଇଥିବା ଲୋକେ ମଧ୍ୟ ସଂକ୍ରମିତ ନ ହେବେ ତାହା କହିହେବନି ବୋଲି ସେ କହିଛନ୍ତି । ନୂଆ ଷ୍ଟ୍ରେନ୍ ପାଖରେ ଆଣ୍ଟିବଡି କାମ ଦେବନି । ହାର୍ଡ ଇମ୍ୟୁନିଟି ଏକ କାହାଣି । କାରଣ ୮୦ପ୍ରତିଶତ ଲୋକଙ୍କ
ଭିତରେ ଆଣ୍ଟିବଡି ବିକଶିତ ହେବା ଆବଶ୍ୟକ ବୋଲି ଡ.ଗୁଲେରିଆ କହିଛନ୍ତି ।

ଏଣୁ ସଂକ୍ରମଣରୁ ଦୂରେଇ ରହିବାକୁ ଓ କଡ଼ା କଟକଣା ପାଳନ କରିବା ଲାଗି ସେ ପରାମର୍ଶ ଦେଇଛନ୍ତି । ତେବେ ଟାସ୍କଫୋର୍ସ ସଦସ୍ୟ ଡା.ଶଶାଙ୍କ ଯୋଶୀ ସାରା ଦେଶରେ ଏପର୍ଯ୍ୟନ୍ତ ୨୪୦ ଜଣ କରୋନା ନୂଆ ଷ୍ଟ୍ରେନ୍ରେ ଆକ୍ରାନ୍ତ ହୋଇଥିବା ସୂଚନା ଦେଇଛନ୍ତି । ଟିକା କମ୍ ପ୍ରଭାବୀ ହେଲେ ମଧ୍ୟ ଭୂତାଣୁର ନୂଆ ପ୍ରକାର ବିରୋଧରେ କାମ ନିଶ୍ଚିତ କରିବ ବୋଲି ଡା. ଗୁଲେରିଆ ଆଶାବ୍ୟକ୍ତ କରିଛନ୍ତି । ସେହିପରି କରୋନା ଟିକାକରଣ ଅଭିଯାନ ଜୋର୍ ଧରିଥିବାବେଳେ ଏଥିସହିତ ତାଳ ଦେଇ ସଂକ୍ରମଣ ମଧ୍ୟ ବଢ଼ି·ଲିଛି । ଗତ କିଛି ଦିନ ହେଲା ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବଢ଼ିବା ସହିତ ରାଜ୍ୟର କେତେକ ଅଞ୍ଚଳକୁ ତାଲାବନ୍ଦ ଫେରିଥିଲା । ଏବେ କେରଳ, ପଞ୍ଜାବ, ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ସଂକ୍ରମଣ ବଢ଼ୁଥିବା ଦେଖାଯାଇଛି । ମହାରାଷ୍ଟ୍ର ଓ କେରଳରେ ନୂଆ ସଂକ୍ରମଣ ୭୫.୮୭ ପ୍ରତିଶତ ରହିଛି ।

ସେହିଭଳି ସଦ୍ୟ ମୃତ୍ୟୁମୁଖରେ ପଡ଼ୁଥିବା ସଂକ୍ରମିତଙ୍କ ମଧ୍ୟରୁ ୭୮ପ୍ରତିଶତ ହେଉଛନ୍ତି ଉପରୋକ୍ତ ୫ ରାଜ୍ୟର ଅଧିବାସୀ । ହ୍ରାସ ପାଉଥିବା କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇବା ନେଇ ଜନସାଧାରଣ ଆତଙ୍କିତ ହୋଇପଡ଼ିଛନ୍ତି । ସ୍ଥିତି ସୁଧୁରିବା ପରେ କଟକଣା କୋହଳ କରାଯାଇଥିବାରୁ ପୁଣି ପୂର୍ବପରି ସଂକ୍ରମଣ ବ୍ୟାପିବା ଆଶଙ୍କା ସରକାରଙ୍କୁ ଚିନ୍ତାରେ ପକାଇଛି । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସତର୍କତା ଜାରି କରାଯାଇଛି ।

ଏ ସଂକ୍ରାନ୍ତରେ ବିବୃତି ଜାରି କରି ସରକାର କରୋନା କଟକଣା ମାନି ଚଳିବାକୁ ଚେତାଇ ଦେଇଛନ୍ତି । ସଂକ୍ରମଣ ହାର ହ୍ରାସ ପାଇଁ କଟକଣା ମାନିବା ଅତ୍ୟନ୍ତ ଜରୁରୀ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି । ମହାରାଷ୍ଟ୍ର, କେରଳ ଓ କର୍ଣ୍ଣାଟକରେ ପ୍ରବେଶ ପୂର୍ବରୁ ଅନ୍ୟ ଅଞ୍ଚଳର ଲୋକଙ୍କ ପାଇଁ ଆରଟିପିସିଆର ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ପଞ୍ଜାବରେ ଗତ ସାତ ଦିନ ମଧ୍ୟରେ ଦୈନିକ ସଂକ୍ରମଣ ବୃଦ୍ଧି ଘଟୁଥିବା ରେକର୍ଡ କରାଯାଇଛି । ଗତ ୨୪ଘଣ୍ଟାରେ ୩୮୩ଟି ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ମହାରାଷ୍ଟ୍ରରେ ଗତ ୨୪ଘଣ୍ଟାରେ ୬,୨୮୧ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଛତିଶଗଡ଼ରେ ୨୫୯ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଏହି ରାଜ୍ୟରେ ସପ୍ତାହେ ଧରି ସଂକ୍ରମଣ ବଢ଼ି·ଲିଛି । ପୁନର୍ବାର କରୋନା ସଂକ୍ରମଣ ବୃଦ୍ଧି ନେଇ ମହାରାଷ୍ଟ୍ର ସରକାର ଗୋଟିଏ ପରେ ଗୋଟିଏ କଟକଣା ଲଗାଇ ·ଲିଛନ୍ତି । ବିଭିନ୍ନ ସ୍ଥାନରେ ତାଲାବନ୍ଦ ସହିତ କର୍ଫ୍ୟୁ ଜାରି କରାଯାଇଛି । ମୁମ୍ବଇର ୧୩୦୫ଟି କୋଠା ସିଲ୍ କରାଯାଇଛି । ମୋଟ ୭୧,୮୩୮ ପରିବାର କଟକଣାରେ ରହିଛନ୍ତି । ମୁମ୍ବଇ ମହାନଗରୀରେ ୨୭୪୯ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ବିଏମ୍ସି ଏହି ପଦକ୍ଷେପ ନେଇଛି । ରାଜ୍ୟରେ ୩ ମାସ ପରେ ପ୍ରଥମଥର ଶୁକ୍ରବାର ୬୦୦୦ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସର୍ବାଧିକ ସଂକ୍ରମିତ ଅକୋଲା, ପୁନେ ଏବଂ ମୁମ୍ବାଇରୁ ଚିହ୍ନଟ ହୋଇଥିବା ପ୍ରକାଶ । ପୂର୍ବରୁ ରାଜ୍ୟରେ ୩୦ ଅକ୍ଟୋବରରେ ଗୋଟିଏ ଦିନରେ ୬ ହଜାରରୁ ଅଧିକ କରୋନା ମାମଲା ମିଳିଥିଲା । ସାନି ସଂକ୍ରମଣ ବ୍ୟାପିବା ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୦,୮୭,୬୩୨ରେ ପହଞ୍ଚିଛି । ରାଜ୍ୟରେ ୪୪ ଜଣଙ୍କ ସହିତ ମୋଟ ମୃତ୍ୟୁ ସଂଖ୍ୟା ୫୧,୭୧୩ରେ ପହଞ୍ଚିଛି । କେବଳ ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ୧୯ଜଣ ପ୍ରାଣ ହରାଇଛନ୍ତି । ମନ୍ତ୍ରଣାଳୟ ସୂଚନାନୁସାରେ ଗତ ୨୪ଘଣ୍ଟା ମଧ୍ୟରେ ୧୮ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ କେହି କରୋନା କାରଣରୁ ମୃତ୍ୟୁମୁଖରେ ପଡ଼ିନାହାନ୍ତି ।

ଏହି ରାଜ୍ୟଗୁଡ଼ିକ ହେଉଛି ତେଲେଙ୍ଗାନା, ହରିୟାଣା, ଜାମ୍ମୁ-କାଶ୍ମୀର, ଝାଡ଼ଖଣ୍ଡ, ହିମାଚଳପ୍ରଦେଶ, ତ୍ରିପୁରା, ଆସାମ, ଚଣ୍ଡିଗଡ଼, ଲାକ୍ଷାଦ୍ୱୀପ, ମଣିପୁର, ମେଘାଳୟ, ଲଦାଖ, ମିଜୋରାମ, ସିକିମ, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ଦାଦ୍ରା ନଗର ହାବେଳି ଏବଂ ଡାମନ୍ ଏବଂ ଡିୟୁ । ଶନିବାର ପର୍ଯ୍ୟନ୍ତ ଦେଶରେ ମୋଟ ୧୦,୯୭୭,୩୮୭ କରୋନା ମାମଲା ସାମ୍ନାକୁ ଆସିଛି ।

ଏଥିମଧ୍ୟରୁ ଗତ ୨୪ ଘଣ୍ଟାରେ ୧୩, ୯୯୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁସାରେ ଜାନୁଆରୀ ୨୯ ପରେ ଗୋଟିଏ ଦିନରେ ଏହା ସର୍ବାଧିକ ମାମଲା । ଭୂତାଣୁ ନୂଆ ରୂପରେ ଲୋକଙ୍କୁ ସଂକ୍ରମିତ କରୁଥିବାରୁ ସତର୍କତା ଅବଲମ୍ବନ ପାଇଁ କୁହାଯାଇଛି । କେରଳରେ ଗୋଟିଏ ଦିନରେ ୪,୫୮୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ଲକ୍ଷ ପାର କରିଛି । ମଧ୍ୟପ୍ରଦେଶରେ ଫେବୃଆରୀ ୧୩ରୁ ସଂକ୍ରମଣ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟାରେ ଉତ୍ତରପ୍ରଦେଶରେ ୨୯୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟରେ ନୂଆ ୨୫୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ ଇତିମଧ୍ୟରେ ୨ଲକ୍ଷ ୨୨ହଜାର ୩୧୩ ଥରରେ ମୋଟ ୧,୦୭,୧୫,୨୦୪ ଡୋଜ୍ ଟିକାକରଣ କରାଗଲାଣି ।