ମହିଳାଙ୍କୁ ନିଆଁରେ ପୋଡି ହତ୍ୟା ଅଭିଯୋଗ

ସାଲେପୁର : ମହିଳାଙ୍କୁ ନିଆଁରେ ପୋଡି ହତ୍ୟା ଅଭିଯୋଗ । କିରୋସିନି ଢାଳି ନିଆଁ ଲଗାଇ ମହିଳାଙ୍କୁ ମାରିଲେ ଶାଶୂଘର ଲୋକେ । ବାପଘର ଲୋକେ ଥାନାରେ କଲେ ହତ୍ୟା ଅଭିଯୋଗ । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନା ଫୋଗଳ ଗ୍ରାମରେ । ମୃତ ମହିଳା ଜଣଙ୍କ ହେଲେ ନିଶ୍ଚିନ୍ତକୋଇଲି ବ୍ଳକ ଜିଗ୍ନିପୁର ପଂଚାୟତ ବସୁପଦା ଗ୍ରାମର ରାସନ ବିବିଙ୍କ ଝିଅ ନୁର ଜାହାଁ । ନୁର ଜାହାଁ ଫଗୋଳ ଗ୍ରାମର ସେକ ଅବଦୁଲ ହୁସେନଙ୍କ ପୁଅ ସେକ ଫିରୋଜଙ୍କୁ ୩ ବର୍ଷ ତଳେ ବିବାହ କରିଥିଲେ । ନୁରଙ୍କର ଦେଢ଼ ବର୍ଷର ଏକପୁତ୍ର ଅଛି । ଆଗରୁ ବହୁବାର ପାରିବାରିକ କଳହ ଲାଗିରହିଥାଏ । ପାରିବାରିକ କଳହରୁ ତାଙ୍କୁ ଶାଶୁଘର ଲୋକେ କିରୋସିନି ଢାଳି ମାରିଥିବା ନେଇ ଝିଅର ବାପଘର ଲୋକେ ସାଲେପୁର ଥାନାରେ ଅଭିଯୋଗ କରିଛନ୍ତି । ଲିଖିତ ଅଭିଯୋଗ ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଂଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ପୋଲିସ ଏହି ଘଟଣାରେ ଅଭିଯୁକ୍ତ ସ୍ୱାମୀ, ଶ୍ୱଶୁର ଓ ଶାଶୁକୁ ଅଟକ ରଖି ତଦନ୍ତ ଚଳାଇଛି ।