ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅମରିନ୍ଦର

ଚଣ୍ଡିଗଡ଼: ପଞ୍ଜାବ କଂଗ୍ରେସରେ କନ୍ଦଳ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି କ୍ୟାପଟେନ ଅମରିନ୍ଦର ସିଂ । ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଅମରିନ୍ଦର । ଅମରିନ୍ଦରଙ୍କ ସହ ତାଙ୍କ ମନ୍ତ୍ରୀମଣ୍ଡଳ ମଧ୍ୟ ଇସ୍ତଫା ରାଜ୍ୟପାଳଙ୍କୁ ଦେଇଛନ୍ତି । ଦ୍ୱିତୀୟ ଥର ପାଇଁ ପଞ୍ଜାବର ମୁଖ୍ୟମନ୍ତ୍ରୀ ହୋଇଥିବା ଅମରିନ୍ଦର ଦ୍ୱିତୀୟ ପାଳିର ୫ ବର୍ଷ ପୂରଣ ପୂର୍ବରୁ ଇସ୍ତଫା ଦେଇଛନ୍ତି । ଇସ୍ତଫା ଦେବା ପରେ ଅମରିନ୍ଦର କହିଛନ୍ତି, ସକାଳୁ ଇସ୍ତଫା ଦେବା ନେଇ ମୁଁ ଦଳର ସଭାପତିଙ୍କୁ ଜଣାଇଥିଲି । ସରକାର ନ ଚଳାଇ ପାରିବା ନେଇ ମୋ ଉପରେ ସନ୍ଦେହ ଥିଲା । ସେ ଆହୁରି ମଧ୍ୟ କହିଛନ୍ତି ଯେ ଗତ ଦୁଇ ମାସରେ ୩ ଥର କଂଗ୍ରେସ ବିଧାୟକଦଳ ବୈଠକ ଡକାଯାଇଥିଲେ ମଧ୍ୟ ତାଙ୍କୁ ସୂଚୀତ କରାଯାଇନଥିଲା । ଏହାଦ୍ବାରା ମୋତେ ଲାଗିଥିଲା ମୋର ଅପମାନ ହୋଇଛି । ଭବିଷ୍ୟ ରାଜନୀତି ନେଇ ମୋ ପାଖରେ ବିକଳ୍ପ ରହିଛି । ତେବେ ବିଜେପିରେ ଯୋଗ ଦେବା ସମ୍ପର୍କରେ କୌଣସି ମନ୍ତବ୍ୟ ଦେବାକୁ ସେ ମନା କରିଦେଇଛନ୍ତି । ସୂଚନାଯୋଗ୍ୟ ଯେ ଆଜି ଅମରିନ୍ଦର ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଅପରାହ୍ଣ ସାଢେ ୪ଟା ବେଳେ ସେ ରାଜ୍ୟପାଳ ବନଓ୍ବାରିଲାଲ ପୁରୋହିତଙ୍କୁ ଭେଟି ଇସ୍ତଫା ଦେଇଥିଲେ ।