ଅଙ୍ଗନବାଡ଼ି କର୍ମୀଙ୍କୁ କୋଭିଡ୍ କାର୍ଯ୍ୟ କରିବାକୁ ବାଧ୍ୟ କରାଯିବ ନାହିଁ – ଜିଲ୍ଲାପାଳ

ଗଞ୍ଜାମ : କୋଭିଡ୍ କାର୍ଯ୍ୟ କରିବା ପାଇଁ ସ୍ୱାସ୍ଥ୍ୟ କର୍ମୀ ଓ ଆଶା ମାନଙ୍କୁ ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ରାଶି ବ୍ୟବସ୍ଥା କରାଯାଇଥିବା ବେଳେ ଅଙ୍ଗନବାଡିକର୍ମୀଙ୍କୁ ସେ ସୁବିଧା ନଦେଇ କେତେକ ସିଡିପିଓ ଅଙ୍ଗନବାଡି କର୍ମୀଙ୍କୁ କୋଭିଡ୍ କାର୍ଯ୍ୟ କରିବାକୁ ବାଧ୍ୟ କରୁଥିବାରୁ ଗଞ୍ଜାମ ଜିଲାର ଅଙ୍ଗନବାଡିକର୍ମୀ ମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରି ଆଜି ଉଭୟ ବିଏମଏସ ଓ ଏଆଇଟିୟୁସି ସଂପୃକ୍ତ ଦୁଇ ଅଂଗନବାଡିକର୍ମୀ ସଂଘ ନେତୃବୃନ୍ଦ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ସାକ୍ଷାତ କରି ସେମାନଙ୍କ ଅସନ୍ତୋଷ ବ୍ୟକ୍ତ କରିଥିଲେ ।

ଜିଲ୍ଲାପାଳ ଏନେଇ ଅବଗତ ହେବା ପରେ କହିଥିଲେ କୋଭିଡ୍ କାର୍ଯ୍ୟ ପାଇଁ ସରକାରଙ୍କ ପକ୍ଷରୁ କୌଣସି ଆର୍ଥିକ ବ୍ୟବସ୍ଥା ନଥିବାରୁ ଅଙ୍ଗନବାଡିକର୍ମୀ ମାନଙ୍କୁ ଏଥିପାଇଁ ବାଧ୍ୟ କରାଯିବ ନାହିଁ ।ମାନବିକତା ଦୃଷ୍ଟିରୁ କୋଭିଡ୍ କାର୍ଯ୍ୟରେ ସହଯୋଗ କରିପାରନ୍ତି ଅଙ୍ଗନବାଡି କର୍ମୀମାନେ । କେବଳ ଏ କାର୍ଯ୍ୟ କରି ପ୍ରଶଂସାର ପାତ୍ରୀ ହୋଇପାରିବେ।ତେବେ ପୂର୍ବରୁ କୋଭିଡ୍ କାର୍ଯ୍ୟ କରି ମୃତ୍ୟୁବରଣ କରିଥିବା ତିନି ଜଣଙ୍କୁ ସରକାରଙ୍କ ଦ୍ୱାରା ଘୋଷିତ ଆର୍ଥିକ ସହାୟତା ପ୍ରଦାନ କରିବାକୁ ସୁପାରିଶ କରାଯାଇଛି ବୋଲି ଜିଲ୍ଲାପାଳ ଅଂଗନବାଡିକର୍ମୀମାନଙ୍କୁ ପ୍ରତିଶୃତି ଦେଇଛନ୍ତି ।

ଏହା ପରେ ଅଂଗନବାଡିକର୍ମୀ ମହଲରେ ଆଶ୍ୱସ୍ତିଭାବ ପ୍ରକାଶ ପାଇଛି ବୋଲି ଅଲ୍ ଓଡ଼ିଶା ଅଂଗନବାଡି ଓ ଲେଡିଜ ୱାର୍କରସ ଏସୋସିଏସନ ଗଞ୍ଜାମ ଜିଲା ସଭାନେତ୍ରୀ ରଂଜିତା ରଥ ସୂଚନା ଦେଇଛନ୍ତି ।