ବାଲେଶ୍ୱର: ମହଙ୍ଗା ପଡ଼ିଲା ପୋଲିସ ପାୱାରର ଅପବ୍ୟବହାର । ନିଲମ୍ବିତ ହେଲେ ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନାର ଏଏସ୍ଆଇ ଭକ୍ତହରି ପଟ୍ଟନାୟକ । ଅଭିଯୋଗକାରୀଙ୍କଠାରୁ ଲାଞ୍ଚ ନେବା ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଏସ୍ପି ସୁଧାଂଶୁ ଶେଖର ମିଶ୍ର ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଗତ ୫ ତାରିଖରେ ଦୁଇଟି ପୃଥକ ମାମଲାରେ ୨ ଜଣ ଅଭିଯୋଗକାରୀଙ୍କୁ ଲାଞ୍ଚ ମାଗିଥିଲେ ଥାନା ବାବୁ ଭକ୍ତହରି । ସୂଚନାଯୋଗ୍ୟ, ଦୁଇ ଅଭିଯୋଗକାରୀଙ୍କ ଘଟଣାର ତଦନ୍ତ କରିବା ପାଇଁ ଏଏସ୍ଆଇ ଭକ୍ତହରି ପଟ୍ଟନାୟକ ଦୁଇ ହଜାର ଟଙ୍କା ଲେଖାଏଁ ନେଇଥିବା ଅଭିଯୋଗ ହୋଇଥିଲା। ଏହାର ଅଡିଓ ଭାଇରାଲ ହୋଇଥିଲା। ଏହାପରେ ଅନ୍ୟ ଜଣେ ଅଭିଯୋଗକାରୀ ଥାନା ସମ୍ମୁଖରେ ଏଏସ୍ଆଇଙ୍କ ସହ କଥା ହୋଇ ଅଭିଯୋଗର ସମାଧାନ କରୁ ନ ଥିବାରୁ ନେଇଥିବା ଟଙ୍କା ଫେରାଇବା ପାଇଁ କହିଥିଲେ । ଏହାକୁ ନେଇ ଏଏସ୍ଆଇ ସମ୍ପୃକ୍ତ ଅଭିଯୋଗକାରୀଙ୍କୁ ଧମକଚମକ ମଧ୍ୟ ଦେଇଥିଲେ। କିଛି ସାମ୍ବାଦିକ ଏହାର ଭିଡିଓ ଉତ୍ତୋଳନ କରୁଥିବା ଜଣାପଡ଼ିବା ପରେ ଏଏସ୍ଆଇ ସେମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ଏନେଇ ଅଭିଯୋଗ ହେବା ପରେ ବାଲେଶ୍ଵର SPଙ୍କ ନିର୍ଦ୍ଦେଶ କ୍ରମେ ଆଡିସନାଲ ଏସ୍ପି ମନୋରଞ୍ଜନ ସାମଲ ତଦନ୍ତ ପାଇଁ କମର୍ଦ୍ଦା ଥାନାରେ ପହଞ୍ଚିଥିଲେ । ଗଣମାଧ୍ୟମ ପ୍ରତିନିଧି ଏବଂ ସମସ୍ତ ଅଭିଯୋଗକାରୀଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଥିଲା । ତେବେ ଆଜି ବାଲେଶ୍ଵର SP ସୁଧାଂଶୁ ଶେଖର ମିଶ୍ର କମର୍ଦ୍ଦା ଥାନା ଏଏସ୍ଆଇ ଭକ୍ତ ହରି ପଟ୍ଟନାୟକଙ୍କୁ ନିଲମ୍ବିତ କରାଯାଇଥିବା ପ୍ରେସମିଟ ଜରିଆରେ ସୂଚନା ଦେଇଛନ୍ତି ।