ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ବସ୍ତିକୁ ଢ଼ାଙ୍କିବାକୁ ଅପଚେଷ୍ଟା

ରାଉରକେଲା: ମହାମହିମ ରାଷ୍ଟ୍ରପତି ରାଉରକେଲା ଆସିବା ପୂର୍ବରୁ ଆରଏସପିର ସୁପର ସ୍ପେସାଲିଟି ଡାକ୍ତରଖାନା ଓ ମେଡିକାଲ କଲେଜକୁ ନେଇ ବିବାଦ ଥମିବାର ନାଁ ନେଉନଥିବା ବେଳେ ଏହି ଖବର ଏଯାଏ ରାଷ୍ଟ୍ରପତିଙ୍କ କାନକୁ ନଜିବା ଓ ତାଙ୍କୁ ରିପୋର୍ଟ କରୁଥିବା ଇଂଟେଲିଜେନ୍ସିର ନୀରବତାକୁ ନେଇ ଉଠିଛି ପ୍ରଶ୍ନ ।

ସେପଟେ ରାଉରକେଲା ଇସ୍ପାତ କାରଖାନା କର୍ତୁପକ୍ଷ ରାଷ୍ଟ୍ରପତିଙ୍କ ଆଖିରୁ ରାସ୍ତା କଡରେ ଥିବା ବସ୍ତି ଗୁଡିକର ଦୃଶ୍ୟକୁ ଲୁଚାଇବା ଲାଗି ଆଉ ଏକ ହୀନ ଉଦ୍ୟମ କରିଥିବା ମଧ୍ୟ ଦେଖାଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଉରକେଲାକୁ ୨୧ ତାରିଖରେ ଆସି ଏନଆଇଟିର ଏକ କାର୍ଯ୍ୟକ୍ରମରେ ଯୋଗଦାନ କରିବା ସହ ରାଉରକେଲା ଇସ୍ପାତକାରଖାନାର ଆଇଜିଏଚ ପରିସରରେ ନିର୍ମିତ ୨୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେସାଲିଟି ଡାକ୍ତରଖାନାକୁ ଉଦଘାଟନ କରିବେ ।

ତେବେ ଏହି ଡାକ୍ତରଖାନା ସମେତ ମେଡିକାଲ କଲେଜର ପ୍ରତିଶୃତି ଯାହା ପ୍ରଧାନ ମନ୍ତ୍ରୀ ଦେଇଥିଲେ ତାହା ପୂରଣ କରାଯାଇନଥିବାରୁ ବିଭିନ୍ନ ପଲିଟିକାଲ ଦଳ,ଶ୍ରମିକ ସଂଗଠନ ଓ ସମାଜସେବୀ ଆଦି ଏଭଳି କାରବାରକୁ ବିରୋଧ କରିବା ସହ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରାଯାଇଛି । ତେବେ ଏତେ ସବୁ କଥା ବିଗତ ଏକ ସପ୍ତାହରୁ ଲାଗି ରହି ନାନା ମିଡ଼ିଆରେ ଏହା ପ୍ରକାଶ ସତ୍ୱେ ରାଷ୍ଟ୍ରପତିଙ୍କ ପାଖରେ ବୋଧେ ଏହି ଖବର ପହଁଚି ପାରି ନାହିଁ, ଫଳରେ ଦେଶର ସର୍ବୋଚ ସ୍ଥାନର ଅଧିକାରୀ ଏହିଭଳି ଏକ ବିବାଦୀୟ ସ୍ଥାନକୁ ଆସିବାକୁ ଯାଉଛନ୍ତି ।

ହେଲେ ଯେଉଁ ସ୍ଥାନକୁ ରାଷ୍ଟ୍ରପତି ଆସୁଛନ୍ତି ଓ ଯେଉଁମାନଙ୍କର ଆତିଥ୍ୟ ସେ ଗ୍ରହଣ କରିବେ ସେମାନେ ଯେ, ରାଉରକେଲା ସହରର ବସ୍ତି ବାସିଙ୍କ ଦୃଶ୍ୟକୁ ଲୁଚାଇବାକୁ ଚେଷ୍ଟା କରିଛନ୍ତି ତାହା ମଧ୍ୟ ତାଙ୍କ ଗୁଇନ୍ଦା ପାଖରେ ଖବର ନଥିବା କୁହାଯାଉଛି । ମହାମହିମ ଆସିବା ରାସ୍ତାରେ ସେକ୍ଟର୧୮ ଛକ ପରେ ବାମପାଖରେ ଇସ୍ପାତ ମାର୍କେଟକୁ ଲାଗି ରହିଥିବା ପ୍ରାୟ ୧୦୦୦ ବସ୍ତି ବାସିଙ୍କ କୁଡିଆଘରକୁ ଆରଏସପି ଲୁଚାଇବା ଲାଗି ଚେଷ୍ଟା କରିଛି ।

ସେହି ବସ୍ତି ଗୁଡିକୁ କପଡା ସାହାଜ୍ୟରେ ଲୁଚାଇବାକୁ ଚେଷ୍ଟା କରାଯାଇଥିବା ବେଳେ ବସ୍ତି ସମ୍ମୁଖରେ କେତେକ ବୋର୍ଡ ମଧ୍ୟ ରାତା ରାତି ଲଗା ଚାଲିଛି । ଏଠି ପ୍ରଶ୍ନ ଉଠୁଛି ବସ୍ତିବାଲା ଆଜି ଆରଏସପିକୁ ଗନ୍ଧେଇଲେ କାହିଁକି? ଏହି ବସ୍ତି ବାଲା ଭୋଟ ଦେଇ ରଘୁନାଥ ପାଲ୍ଲୀ ବିଧାୟକ ଓ ସାଂସଦ ଜୁଏଲ ଓରାମଙ୍କୁ ମଧ୍ୟ ଜିତାଇଛନ୍ତି । ଘରର ଆୟା କାମ, ଠେଲାରେ ଲୋକଙ୍କର ଆବଶ୍ୟକୀୟ ସାମଗ୍ରୀ ବୋହିବା, ଘରେ ମାଳିକାମ ଆଦି କରି ଏହି ସମାଜର ବାବୁମାନଙ୍କୁ ସହେଯାଗ କରୁଥିବା ବସ୍ତିବାଲାଙ୍କୁ ରାଷ୍ଟ୍ରପତିଙ୍କ ଆଖିରୁ ଲୁଚାଇ ତାଙ୍କ ଆଖିରେ ପରଦା ପକାଇ ଆରଏସପି ତଥା ସେଲ କର୍ତୁପକ୍ଷ କେତେ ଭଲକାମ କରିଛନ୍ତି ତାହା ସାଧାରଣରେ ଆଲୋଚନା ଚାଲିଛି ।

ସେପଟେ ସୁପର ସ୍ପେସାଲିଟି ଡାକ୍ତରଖାନା ପରିସରରେ ଆଜି ଦିନ ତମାମ କାମ ଲାଗି ରହିଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ନେଇ ବିଭିନ୍ନ ସୁରକ୍ଷା ଅଧିକାରୀ ସେହି ଡାକ୍ତରଖାନା ପରିସର ବୁଲି ଦେଖିଥିବା ଜଣାପଡିଛି ।