ଶୀତରେ ଥରୁଛି ବୈପାରିଗୁଡା

ବୈପାରିଗୁଡା: ଶୀତରେ ଥରୁଛି ବୈପାରିଗୁଡା । ଦୁଇ,ତିନି ଦିନ ହେବ ବୈପାରିଗୁଡାରେ ତାପମାତ୍ରା ଖସୁଥିବାବେଳେ ଶୀତ ଯୋଗୁଁ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି । ଗାଁ ଠୁ ସହର ଚାରିଆଡେ ଶୀତ ଲହରୀ । ସହରର ସର୍ବନିମ୍ନ ତାପମାତ୍ରା ଖସି ଖସି ୭ ଡିଗ୍ରିରେ ପହଂଚିଲାଣି । ଶୀତ ଦାଉରୁ ରକ୍ଷା ପାଇଵା ପାଇଁ ଲୋକେ ନିଆଁ ଜାଳି ବସୁଛନ୍ତି । କାଲୁଆ ପବନ ସହିତ ସକାଳ ୧୦ ଟା ପର୍ଯ୍ୟନ୍ତ ଘନ କୁହୁଡି ଲାଗିଥିବାରୁ ଲୋକମାନେ ଘରୁ ବାହାରକୁ ବାହାରିବା କଷ୍ଟସାଧ୍ୟ ହୋଇପଡିଛି । ଅପର ପକ୍ଷରେ ଦେହକୁ ଫୂର୍ତ୍ତି ରଖିବା ପାଇଁ ଖେଳ ପଡ଼ିଆ ଗୁଡିକରେ ଲୋକମାନେ ସକାଳୁ ସକାଳୁ ବ୍ୟାୟାମ କରୁଛନ୍ତି । ବହୁ ଲୋକ ମର୍ଣ୍ଣିଂ ୱାକ୍ କରୁଥିବା ଦେଖିବାକୁ ମିଳୁଛି । ପୁରାଅଞ୍ଚଳ ଥରୁଛି ଶୀତର ପ୍ରକୋପରେ,ସକାଳୁ ଥଣ୍ଡା ଅନୁଭବ ସାଥିରେ ଖରାବେଳେ ଖରାର ପ୍ରକୋପ ସହିତ ସନ୍ଧ୍ୟା ସମୟରେ ପୁଣି ଥଣ୍ଡା ଭୀଷଣ ଦୁଇ, ତିନି ଦିନ ହେବ ଲାଗି ରହୁଥିବାରୁ ଜନସାଧାରଣ ନିଜ-ନିଜର କାମ ସାରି ଜଲଦି ନିଜ ଘରମୁହାଁ ହେବାକୁ ବାଧ୍ୟ ହୁଅନ୍ତି । ଯାହା ଫଳରେ ରାତି ୮ଟା ନହଉଣୁ ରାସ୍ତାଘାଟ ଶୂନସାନ ହୋଇପଡୁଛି ।