ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ ବ୍ୟବସାୟିକ ପ୍ରତିଷ୍ଠାନଠାରୁ ଆରମ୍ଭ କରି ଧର୍ମାନୁଷ୍ଠାନ ଆଦି ସଂପୂର୍ଣ୍ଣ ଭାବେ ଖୋଲିଥିବା ବେଳେ ଖୁବ୍ଶୀଘ୍ର ଶିକ୍ଷାନୁଷ୍ଠନ ଖୋଲିବାକୁ ଯାଉଛି । ତେଣୁ ଆଗାମୀ ୨ମାସ ଆମକୁ ସତର୍କତାର ସହ ଚଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଦନ କରିଛନ୍ତି । ଆଜି ରାଜ୍ୟରେ କୋଭିଡ୍ ପରିସ୍ଥିତି ଓ ଟିକାକରଣ ସଂପର୍କରେ ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଇଂଲଣ୍ଡ ତଥା ଇଉରୋପରେ କୋଭିଡର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହୋଇଯାଇଛି ଏବଂ କେତେକ ଦେଶରେ ଲକ୍ଡାଉନ ମଧ୍ୟ ପୁଣି ଲାଗୁ କରାଗଲାଣି । ତେଣୁ ଆମକୁ ଅଧିକ ସତର୍କତାର ସହିତ କୋଭିଡ ଗାଇଡ୍ଲାଇନ୍ ପାଳନ କରିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସମସ୍ତଙ୍କ ସହଯୋଗରେ ଆମେ କୋଭିଡ ସଂକ୍ରମଣକୁ ସଫଳ ଭାବରେ ବର୍ତ୍ତମାନ ପର୍ଯ୍ୟନ୍ତ ନିୟନ୍ତ୍ରଣ କରିାରିଛୁ । ଅଧିକାଂଶ ଜିଲ୍ଲା ଗ୍ରୀନ୍ ଜୋନ୍ରେ ରହିଥିବା ବେଳେ ତୀବ୍ର ସଂକ୍ରମଣ ପର୍ଯ୍ୟାୟ ଆମ ପାର୍ ହୋଇଯାଇଛୁ । ଏହି ସଫଳତା ପାଇଁ କଠିନ ପରିଶ୍ରମ କରିଥିବା ସ୍ୱାସ୍ଥ୍ୟକର୍ମୀ, ଡାକ୍ତର ଏବଂ ଆଗଧାଡିରେ ରହି କାମ କରୁଥିବା ସମସ୍ତ କୋଭିଡ ଯୋଦ୍ଧାମାନଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ ଏବଂ ଖୁବ୍ଶୀଘ୍ର ଏ ପରିସ୍ଥିତିରୁ ଆମେ ମୁକୁଳି ପାରିବା ବୋଲି ଆଶାବ୍ୟକ୍ତ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କୋଭିଡ ଟିକା ଲୋକଙ୍କ ଭିତରେ ବିୁଳ ଆଶା ସଞ୍ଚାର କରିଛି । ଏହି ଟିକା ଉତ୍ପାଦନରେ ଭାରତ ପୃଥିବୀର ଆଗୁଆ ଦେଶ ହୋଇଛି । ଏହି ଟିକାକରଣ କାର୍ଯ୍ୟକ୍ରମକୁ ସଫଳ ଭାବରେ କାର୍ଯ୍ୟକାରୀ କରିବା ପାଇଁ ଓଡିଶା ସଂପୂର୍ଣ୍ଣ ପ୍ରସ୍ତୁତ । ତେଣୁ ଟିକା ସଂପର୍କରେ ଲୋକଙ୍କ ଭିତରେ ଥିବା ଭ୍ରାନ୍ତ ଧାରଣାକୁ ଦୂର କରିବା ପାଇଁ ବ୍ୟାପକ ସଚେତନତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଟିକାକରଣ ଚଳିତ ବର୍ଷର ସବୁଠାରୁ ବଡ କାର୍ଯ୍ୟକ୍ରମ ହେବ । ତେଣୁ ଏହାକୁ ସୂଚାରୁ ରୂପେ ସଂପାଦନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ପରାମର୍ଶ ଦେଇଥିଲେ । ସେହିପରି ଜୀବନଜୀବିକା କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ । ତଥାପି ଆର୍ଥିକ ଦୁର୍ବଳଶ୍ରେଣୀର ଲୋକଙ୍କ ଜୀବିକା ସୁରକ୍ଷା କରିବା ପାଇଁ ବହୁତ କିଛି କରିବାକୁ ଅଛି ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ ଏବଂ ଏ ସଂପର୍କରେ ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବା ଦିଗରେ କାର୍ଯ୍ୟ କରିବାକୁ ପ୍ରଶାସନକୁ ପରାମର୍ଶ ଦେଇଥିଲେ । ଆଗାମୀ ମାସରେ ଏ ସଂପର୍କରେ ସମୀକ୍ଷା କରିବେ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ, କୋଭିଡ ନିୟନ୍ତ୍ରଣରେ ରାଜ୍ୟ ବର୍ତ୍ତମାନ ବହୁତ ଭଲ ସ୍ଥିତିରେ ରହିଛି ଏବଂ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୦୦୦ ମଧ୍ୟରେ ସୀମିତ ରହିଛି । ଜୀବନଜୀବିକା କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି ବୋଲି ଶ୍ରୀ ମହାପାତ୍ର କହିଥଲେ । ଟିକାକରଣ ଏବଂ କୋଭିଡ ପରିସ୍ଥିତି ସଂପର୍କରେ ବିସ୍ତୃତ ସୂଚନା ଦେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଥିଲେ ଯେ, ରାଜ୍ୟରେ ଆରୋଗ୍ୟ ହାର ବର୍ତ୍ତମାନ ପ୍ରାୟ ୯୯ ପ୍ରତିଶତରେ ପହଞ୍ଚିଥିବା ବେଳେ ଗତକାଲିଠାରୁ ରାଜ୍ୟରେ କୋଭିଡ୍ରେ କୌଣସି ରୋଗୀଙ୍କର ମୃତ୍ୟୁ ହୋଇନାହିଁ ବୋଲି ସେ କହିଥିଲେ । ସୂଚନାଯୋଗ୍ୟ ଯେ, ଗତ ଜୁନ୍ ୩୦ତାରିଖରୁ ନିୟମିତ ଭାବରେ କୋଭିଡ୍ରେ ମୃତ୍ୟୁ ହୋଇଥିବା ରିପୋର୍ଟ ଆସୁଥିଲା । ତୃତୀୟ ପର୍ଯ୍ୟାୟ ସେରୋ ସର୍ଭେ ରିପୋର୍ଟ ମଧ୍ୟ ଅତ୍ୟନ୍ତ ଉତ୍ସାହଜନକ ରହିଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୭୦ଲକ୍ଷ ଲୋକଙ୍କର କୋଭିଡ ପରୀକ୍ଷା କରାଯାଇଛି ବୋଲି ଶ୍ରୀ ମହାପାତ୍ର କହିଥିଲେ । ଟିକାକରଣ ପ୍ରସ୍ତୁତି ସଂପର୍କରେ ସୂଚନା ଦେଇ ଶ୍ରୀ ମହାପାତ୍ର କହିଥିଲେ ଯେ, କେନ୍ଦ୍ର ସରକାରଙ୍କର ନିର୍ଦ୍ଦେଶାବଳୀ ଅନୁସାରେ ଉଭୟ ଘରୋଇ ଓ ସରକାରୀ କ୍ଷେତ୍ରରେ କାର୍ଯ୍ୟରତ ୩,୨୮,୫୬୦ ଜଣ ସ୍ୱାସ୍ଥ୍ୟକର୍ମୀଙ୍କ ଟିକାକରଣ ପାଇଁ ତାଲିକା ପ୍ରସ୍ତୁତ ହୋଇଥିବା ବେଳେ ପୋଲିସ, ମ୍ୟୁନିସିପାଲିଟି କର୍ମଚାରୀ ଏବଂ କୋଭିଡ କାର୍ଯ୍ୟରେ ନିୟୋଜିତ ରାଜସ୍ୱ ବିଭାଗର କର୍ମଚାରୀମାନଙ୍କ ତାଲିକା ପ୍ରସ୍ତୁତି ଚାଲିଛି । ଉଭୟ ରାଜ୍ୟ ଓ ଜିଲ୍ଲାସ୍ତରୀୟ ଷ୍ଟିୟରିଂ କମିଟି ବୈଠକ ସଂପୂର୍ଣ୍ଣ ହୋଇଛି ବୋଲି ସେ ସୂଚନା ଦେଇଥିଲେ । ବୈଠକରେ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ଏବଂ ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ, ସ୍କୁଲ-କଲେଜ ଖୋଲିବା ସଂପର୍କରେ ଏସ୍ଓପି ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର, କୃଷି ଉତ୍ପାଦନ କମିଶନର, ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଓ ଶାସନ ସଚିବମାନେ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ।