-ପୁଣି ସକ୍ରିୟ ହେବ ଗାଁର କୋଭିଡ୍ ପରିଚାଳନା କମିଟି: ଏସ୍ଆର୍ସି
-କଟକଣା ନ ମାନିବା ଅର୍ଥ ଲକ୍ଡାଉନ୍କୁ ନିମନ୍ତ୍ରଣ କରିବା: ଡିଏମ୍ଇଟି
ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ କଟକଣା ପୁଣି କଡ଼ାକଡ଼ି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କରୋନାକୁ ମାତ୍ ଦେବାକୁ ହେଲେ କଟକଣାକୁ କଡ଼ାକଡ଼ି କରିବାକୁ ପଡ଼ିବ ବୋଲି ରାଜ୍ୟ ସରକାର ପୂର୍ବରୁ କହିସାରିଛନ୍ତି । ତେବେ ଆବଶ୍ୟକ ପଡ଼ିଲେ ଲକ୍ଡାଉନ୍ ମଧ୍ୟ ହୋଇପାରେ ବୋଲି କୁହାଯାଇଛି ।
ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଉପରେ ଗୁରୁତ୍ୱ ଦେଇଛନ୍ତି । ଟେଷ୍ଟିଂ ଓ ଟ୍ରେସିଂ ଉପରେ ଗୁରୁତ୍ୱ ଦେବା ପାଇଁ ଏସ୍ଆରସି ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସ୍ଥିତି ବଢ଼ୁଥିବାରୁ ଆସନ୍ତାକାଲି ଏଥିନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭିନ୍ନ ବିଭାଗର ସଚିବ, ଜିଲ୍ଲାପାଳ, ଏସ୍ ପି ମାନଙ୍କ ସହ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ । କୋଭିଡ୍ ନିୟନ୍ତ୍ରଣ ପାଇଁ ପୁଣିଥରେ ସରପଞ୍ଚ, ଆଶା, ଅଙ୍ଗନବାଡ଼ି କର୍ମୀଙ୍କୁ ଦାୟିତ୍ୱ ଦିଆଯିବ ବୋଲି ସୂଚନା ଦେଇଛନ୍ତି ଏସ୍ଆରସି ।
ସେମାନେ ଗାଁକୁ ଆସୁଥିବା ବାହାର ଲୋକଙ୍କ ଉପରେ ନଜର ରଖିବେ । ଗାଁର କୋଭିଡ୍ ପରିଚାଳନା କମିଟିକୁ ପୁଣି ସକ୍ରିୟ କରାଯିବ ବୋଲି ସୂଚନା ଦେଇଛନ୍ତି ଏସ୍ଆରସି । ସ୍ଥିତି ଦେଖି ଲକ୍ଡାଉନ୍ କି ଅନ୍ୟ ଦିଗ ଉପରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି । ତା’ ପୂର୍ବରୁ ଆଜି ଉଚ୍ଚସ୍ତରୀୟ ବୈଠକରେ ସବୁ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ । ଆଜି ଦିନକରେ ଓଡ଼ିଶାରେ ଚିହ୍ନଟ ହୋଇଛନ୍ତି ୧୪୬ ପଜିଟିଭ । ଏମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୩୫, କଟକରୁ ୨୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୟୂରଭଂଜରୁ ୧୩, ନୂଆପଡ଼ାରୁ ୧୨, ସୁନ୍ଦରଗଡ଼ରୁ ୧୨ ପଜିଟିଭ ବାହାରିଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ରୁ ୮୭, ଲୋକାଲ୍ କେସ୍-୫୯ ବୋଲି ଜଣାପଡ଼ିଛି ।
ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୩ ଲକ୍ଷ ୩୮ ହଜାର ୯୬୩କୁ ବୃଦ୍ଧି ପାଇଥିବା ବେଳେ ଆକ୍ଟିଭ କେସ ରହିଛି ୮୬୭ ଏବଂ ୩ ଲକ୍ଷ ୩୬ ହଜାର ୧୨୪ ଜଣ ସୁସ୍ଥ ହୋଇଛନ୍ତି । ଶ୍ରୀଲିଙ୍ଗରାଜ ମନ୍ଦିରର ଜଣେ ସେବାୟତଙ୍କ ସମେତ ତାଙ୍କ ପରିବାରର ଅନ୍ୟ ୩ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବିଏମ୍ସି ପକ୍ଷରୁ ସୂଚନା ମିଳିଛି । ଲକ୍ଷଣ ଜଣାପଡ଼ିବା ପରେ ଆରଟିପିସିଆର ଟେଷ୍ଟ କରାଯାଇଥିଲା । ସଂକ୍ରମିତଙ୍କୁ ଏବେ ସଂଗରୋଧରେ ରଖାଯାଇଛି । ସେହିରି ପୁଣି କରୋନା ସଂକ୍ରମଣ ବଢ଼ିବା ଦେଖି ଏହାକୁ ରୋକିବା ପାଇଁ ତତ୍ପର ହୋଇ ଉଠି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଏହାକୁ ନେଇ ଏକ ବୈଠକ ହୋଇଛି । ମାସ୍କ ବ୍ୟବହାରକୁ କଡାକଡି କରାଯାଇଛି ହଟସ୍ପଟ ଅଞ୍ଚଳରୁ ଆସୁଥିବା ବ୍ୟକ୍ତିଙ୍କ ଉପରେ କଡା ନଜର ରଖାଯିବ ।
ବାହାରୁ ଆସିଲେ ଆରଟି ିସିଆର ସାର୍ଟିଫିକେଟ ବାଧ୍ୟତାମୂଳକ । ଜାନିଯାତ୍ରା ପାଇଁ ରାଜ୍ୟ ବାହାରରୁ ଲୋକେ ଆସି ।ରିବେନି । କେବଳ ସ୍ୱାସ୍ଥ୍ୟ ସମସ୍ୟା ଥିଲେ ଆରଟି ିସିଆର ସାର୍ଟିଫିକେଟ ଧରି ଆସିବାକୁ କହିଛନ୍ତି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ବାହାର ରାଜ୍ୟରୁ ଆସୁଥିବା ବ୍ୟକ୍ତି ୭ ଦିନ ହୋମ୍ କ୍ୱାରେଣ୍ଟାଇନ୍ରେ ରହିବେ । ଗଞ୍ଜାମରେ ଏଥର ହୋଲି ଉପରେ ଲଗାଯାଇଛି କଟକଣା । ମନ୍ଦିରରେ କେବଳ ଠାକୁରଙ୍କ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ହୋଇପାରିବ ।
ସର୍ବସାଧାରଣ ସ୍ଥାନରେ ଖେଳାଯାଇପାରିବନି ହୋଲି । ବୁଢୀ ଠାକୁରାଣି ଯାତ୍ରା ମଧ୍ୟ ରୀତିନୀତି ଅନୁଯାୟୀ ହେବ । ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ କୋଭିଡ୍ ନିୟମ ପାଳନ ହେଉଛି କି ନାହିଁ ତାହାର ତଦାରଖ କରିବେ ବିଡିଓ, ତହସିଲ୍ଦାର ଓ ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ । ସତର୍କ ନ ରହିଲେ କୋଭିଡ୍ କଟକଣା ନ ମାନିଲେ ପୁଣି ଲକ୍ଡାଉନ୍ ସଟ୍ଡାଉନ ଭଳି ସ୍ଥିତି ଉପୁଜିବ ବୋଲି କହିଛନ୍ତି ଜିଲ୍ଲାପାଳ । କରୋନା ସଂକ୍ରମଣ ବଢ଼ୁଥିବାରୁ ସତର୍କ କରାଇଛନ୍ତି ଡିଏମ୍ଇଟି ନିର୍ଦ୍ଦେଶକ ଡକ୍ଟର ସିବିକେ ମହାନ୍ତି ।
ସେ କହିଛନ୍ତି ବିଗତ ଏକବର୍ଷରେ ଯାହା ଅନୁଭବ ପାଇଛୁ, ତାକୁ ପାଥେୟ କରି ପଦକ୍ଷେପ ନେବୁ । ସମସ୍ତେ କଟକଣା ମାନିବା ଦରକାର । ନିୟମ ନ ମାନିବା ଅର୍ଥ ଲକ୍ଡାଉନ୍କୁ ପୁଣି ନିମନ୍ତ୍ରଣ କରିବା ବୋଲି ଶ୍ରୀ ମହାନ୍ତି କହିବା ସହିତ ଟେଷ୍ଟିଂ ଓ କଣ୍ଟାକ୍ଟ ଟ୍ରେସିଂ ଉପରେ ସେ ଗୁରୁତ୍ୱ ଦେଇଛନ୍ତି । ସେହି ରି ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ଗତ ସପ୍ତାହେ ହେଲା ରାଜଧାନୀରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।
ତେଣୁ ଏହାକୁ ରୋକିବାକୁ ହେଲେ ପ୍ରଶାସନକୁ କଡ଼ା ପଦକ୍ଷେପ ନେବାକୁ ପଡ଼ିବ । ମାସ୍କ ବ୍ୟବହାର ଏବଂ ସାମାଜିକ ଦୂରତା ପ୍ରତି ଧ୍ୟାନ ଦେବାକୁ ହେବ । ସାଧାରଣ ଲୋକ ଯେପରି ମାସ୍କ ପିନ୍ଧିବେ ଓ ସାମାଜିକ ଦୂରତା ଅବଲମ୍ବନ କରିବେ ତାହା ଉପରେ ନଜର ରଖିବା ପାଇଁ ପୋଲିସ ପ୍ରଶାସନକୁ ନିଯୁକ୍ତି ଦିଆଯାଇଛି । ଏପରିକି ସେ କଡ଼ା ଭାଷାରେ କହିଛନ୍ତି ଏଣିକି ଆଉ ଅବହେଳକୁ ବରଦାସ୍ତ କରାଯିବନି । ଏଣିକି ରେଗୁଲାର ଯାଞ୍ଚ ସହ ଏନ୍ଫୋର୍ସମେଣ୍ଟ ଟିମ୍ ପ୍ରତ୍ୟେକ ଦିନ ଚଢ଼ଉ ଜାରି ରଖିବେ ।