ସାବଧାନ୍‌! ବିପଦ ଫେରୁଛି

-ଦେଶରେ ୪୦ ହଜାର ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା
-ମହାରାଷ୍ଟ୍ରରେ ଦୈନିକ ସଂକ୍ରମଣ ୫% ବୃଦ୍ଧ
-ପଞ୍ଜାବ, କର୍ଣ୍ଣାଟକ, ଗୁଜୁରାଟ ଓ ଦିଲ୍ଲୀରେ ସ୍ଥିତି ବିଗୁଡ଼ିଛି

ନୂଆଦିଲ୍ଲୀ : ଦେଶରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩୯ହଜାର ୭୨୬ ଚିହ୍ନଟ ହେବା ପରେ ସବୁଠି ଭୟ ଓ ଆତଙ୍କର ବାତାବରଣ ଦେଖାଦେଇଛି । କରୋନାର ଦ୍ୱିତୀୟ ଲହର ଆଶଙ୍କା ପୁଣି ଉଜ୍ଜୀବିତ ହୋଇଛି । ବିଶେଷକରି ମହାରାଷ୍ଟ୍ରର ଦୈନିକ ସଂକ୍ରମଣ ହୁ ହୁ ହୋଇ ବଢ଼ିଥିବାରୁ ସେଠାରେ କଟକଣାକୁ କଡ଼ାକଡ଼ି କରାଯାଇଛି । ପ୍ରତିଦିନ ସେଠାରେ ଆକ୍ରାନ୍ତଙ୍କ ସଂଖ୍ୟା ହାରାହାରି ୫ ପ୍ରତିଶତ ବୃଦ୍ଧି ପାଉଛି ।

ମୁମ୍ବାଇରେ ଗତକାଲି ଗୋଟିଏ ଦିନରେ ୨ହଜାର ୮୮୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତବର୍ଷ ଅକ୍ଟୋବର ୧୦ ୨ହଜାର ୮୪୮ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସଂକ୍ରମଣ ବୃଦ୍ଧିକୁ ଲକ୍ଷ୍ୟ କରି ମୁମ୍ବାଇ, ପୁନେ ସମେତ ୯ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି ।

ସେହିପରି ପଞ୍ଜାବରେ ୨୪ ଘଣ୍ଟାରେ ୨ହଜାର ୩୮୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଯାହା ସେପ୍ଟେମ୍ବର ୧୯ ପରେ ସର୍ବାଧିକ । ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟରେ ମାର୍ଚ୍ଚ ୩୧ ଯାଏଁ ସ୍କୁଲ, କଲେଜ ଛୁଟି ଘୋଷଣା କରାଯିବା ସହିତ କିଛି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଜାରି କରାଯାଇଛି । ଲୁଧିଆନା, ଜଳନ୍ଧର, ପଟିଆଲା, ମହଲା, ଅମୃତସର, ଗୁରୁଦାସପୁର, ହୁସିଆର୍‌ପୁର, କପୁରଥଲା ଏବଂ ରୂପନଗରରେ ରାତି ୧୧ଟାରୁ ଭୋର୍ ୫ଟା ଯାଏଁ ନାଇଟ୍ କର୍ଫ୍ୟୁ ଜାରି କରାଯାଇଛି ।

ସେହିପରି କର୍ଣ୍ଣାଟକରେ ଗତକାଲି ଗୋଟିଏ ଦିନରେ ୧ହଜାର ୪୮୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନଭେମ୍ବର ୨୮ ପରେ ଏହା ସର୍ବାଧିକ ଦୈନିକ ସଂକ୍ରମଣ । ସେହିପରି ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୬୦୭ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଡିସେମ୍ବର ୩୦ ପରେ ଏହା ହେଉଛି ଦିଲ୍ଲୀରେ ସର୍ବାଧିକ ସଂକ୍ରମଣ । ସେହିପରି ଗୁଜୁରାଟରେ କରୋନା ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ସରକାର ୮ଟି ବଡ଼ ସହରରେ ୧୦ ଏପ୍ରିଲ୍ ଯାଏଁ ସ୍କୁଲ, କଲେଜ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେବା ସହ ସମସ୍ତ ପରୀକ୍ଷା ବାତିଲ୍ କରିଛନ୍ତି । ଅହମ୍ମଦାବାଦ ଏବଂ ସୁରଟରେ ବସ୍‌ସେବା, ପାର୍କ, ଜିମ୍‌, ଚିଡ଼ିଆଖାନା ଆଦି ବନ୍ଦ କରିବା ସହ କର୍ଫ୍ୟୁ ଅବଧି ବଢ଼ାଇ ଦେଇଛନ୍ତି ।

ଏପରିକି ସରକାର ସମସ୍ତ ସୀମାକୁ ସିଲ୍ କରିଦେଇଛନ୍ତି । ରାଜ୍ୟରେ ନାଇଟ୍ କର୍ଫ୍ୟୁ ରାତି ୧୦ରୁ ସକାଳ ୬ ପର୍ଯ୍ୟନ୍ତ ବଳବତ୍ତର ରହିଛି । କ୍ରମାଗତ ୯ ଦିନ ଧରି ଦେଶରେ ଦୈନିକ ନୂତନ ସଂକ୍ରମଣ ସଂଖ୍ୟା ୨୦ ହଜାର ଉପରେ ରହୁଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଶୁକ୍ରବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୩୯,୭୨୬ କରୋନାଭାଇରସ୍ଚନିତ ନୂତନ ସଂକ୍ରମଣ ଓ ୧୫୪ ମୃତ୍ୟୁ ରେକର୍ଡ କରାଯାଇଛି ।

ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧,୧୫,୧୪,୩୩୧ରେ ପହଞ୍ଚିଛି । ଗତକାଲି ଠାରୁ ଆଜି ୧୮% ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ହୋଇଥିବା ୧୫୪ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୧,୫୯,୩୭୦ରେ ପହଞ୍ଚିଛି । ଏହା ହେଉଛି ସମୁଦାୟ ଆକ୍ରାନ୍ତସଂଖ୍ୟାର ୧.୩୯ । ୨୪ ଘଣ୍ଟାରେ କୋଭିଡ୍‌-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୨୦,୬୫୪ ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୧,୧୦,୮୩,୬୭୯ । ଏହା ହେଉଛି ସମୁଦାୟ ସଂକ୍ରମଣ ସଂଖ୍ୟାର ୯୬.୪୧% ।