କରୋନା ପରେ ଏବେ ବାର୍ଡ଼ ଫ୍ଲୁ ଚିନ୍ତା : ଚିକେନ ଓ ଅଣ୍ଡା ଦୋକାନ ୧୫ ଦିନ ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶ

ଭୋପାଳ: କରୋନା ସଙ୍କଟ ମଝିରେ ଆଉ ଏକ ନୂଆ ସଙ୍କଟ ମୁଣ୍ଡ ଟେକିଛି । ଦେଶରେ ଅନେକ ରାଜ୍ୟରେ ବ୍ୟପିବାରେ ଲାଗିଛି ବାର୍ଡ ଫ୍ଲୁ । ରାଜସ୍ଥାନ, ମଧ୍ୟ ପ୍ରଦେଶ ପରେ ହିମାଚଳ ପ୍ରଦେଶ ଏବଂ କେରଳରେ ବ୍ୟାପୁଛି ବାର୍ଡ ଫ୍ଲୁର ଆତଙ୍କ । ଏହାକୁ ନଜରରେ ରଖି ବିଭିନ୍ନ ରାଜ୍ୟର ସରକାର ସତର୍କତା ଜାରି କରିଛନ୍ତି । ଏମିତିକି କେରଳ ଏହାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଛି । କରୋନା ଭାଇରସର ଦ୍ଵିତୀୟ ଷ୍ଟ୍ରେନ ଆରମ୍ଭ ହୋଇଯାଇଥିବା ବେଳେ ମଧ୍ୟପ୍ରଦେଶରେ ଏବେ ବାର୍ଡ଼ ଫ୍ଲୁ ସମସ୍ୟା ଦେଖାଦେଇଛି | ଆଉ ବାର୍ଡ଼ ଫ୍ଲୁକୁ ନିୟନ୍ତ୍ରଣ କରିବା ପାଇଁ ମଧ୍ୟପ୍ରଦେଶର ମାଣ୍ଡସୌର ପ୍ରଶାସନ ଚିକେନ୍ ଏବଂ ଅଣ୍ଡା ବିକ୍ରି କରୁଥିବା ଦୋକାନଗୁଡ଼ିକୁ ୧୫ ଦିନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି | ରାଜ୍ୟରେ ବାର୍ଡ଼ ଫ୍ଲୁ ଯୋଗୁଁ ବହୁ ସଂଖ୍ୟାରେ କାଉଙ୍କର ମୃତ୍ୟୁ ହେବା ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସତର୍କତା ପଦକ୍ଷେପମୂଳକ ସ୍ୱରୂପ ଏହି ନିଷ୍ପତ୍ତି ନିଆଯାଇଛି |

ମଧ୍ୟ ପ୍ରଦେଶରେ ୨୩ ଡିସେମ୍ବରରୁ ୩ ଜାନୁଆରୀ ମଧ୍ୟରେ ୩୭୬ଟି କାଉର ମୃତ୍ୟୁ ହୋଇଛି । ଏଥିରୁ ୧୪୨ଟି ମୃତ୍ୟୁ ଇନ୍ଦୋର ସହରରେ ହୋଇଛି । ଏହାବ୍ୟତୀତ ସନ୍ଦସୌରରେ ୧୦୦, ଆଗର ମାଲୱାରେ ୧୧୨, ଖରଗୋନ ଜିଲ୍ଲାରେ ୧୩, ସିହୋରରେ ୯ ଟି କାଉର ମୃତ୍ୟୁ ହୋଇଛି । ପଶୁପାଳନ ମନ୍ତ୍ରୀ ପ୍ରେମ ସିଂ ପଟେଲ ସୂଚନା ଦେଇଛନ୍ତି ଯେ, ମୃତ କାଉ ମାନଙ୍କ ସ୍ୟାମ୍ପୁଲ ଭୋପାଳର ଷ୍ଟେଟ ଡି.ଆଇ ଲ୍ୟାବ ପଠାଯାଇଛି । ଇନ୍ଦୋର ଏବଂ ସନ୍ଦସୌରକୁ ପଠାଯାଇଥିବା ସ୍ୟାମ୍ପୁଲରେ ବାର୍ଡ ଫ୍ଲୁର ଭାଇରସ ଥିବା ନିଶ୍ଚିତ କରାଯାଇଛି ।

କାଉ ଶରୀରରେ ବାର୍ଡ ଫ୍ଲୁ ଚିହ୍ନଟ ହେବା ପରେ ସ୍ଥାନୀୟ କର୍ତ୍ତୃପକ୍ଷ ବାର୍ଡ଼ ଫ୍ଲୁ ଆଲର୍ଟ ଜାରି କରିବା ସହ କୁକୁଡ଼ା ଏବଂ ଅଣ୍ଡା ଦୋକାନକୁ ୧୫ ଦିନ ବନ୍ଦ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି | ମିଳିଥିବା ସୂଚନା ମୁତାବକ ଇନ୍ଦୋରରେ ବାର୍ଡ଼ ଫ୍ଲୁ ଯୋଗୁଁ ବହୁ ସଂଖ୍ୟାରେ କାଉଙ୍କର ମୃତ୍ୟୁ ହୋଇଥିବାବେଳେ ରାଜ୍ୟର ଅନ୍ୟ ଜିଲ୍ଲାରେ ମଧ୍ୟ ପକ୍ଷୀ ମୃତ୍ୟୁ ହୋଇଥିବା ଜଣାପଡିଛି । ବାର୍ଡ ଫ୍ଲୁ ହୋଇଥିବା ନିଶ୍ଚିତ ହେବା ପରେ ପଶୁପାଳନ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ଯଦିଓ କୁକୁଡ଼ା ପକ୍ଷୀମାନଙ୍କ ପାଖରେ କୌଣସି ଲକ୍ଷଣ ଦେଖାଦେଇନାହିଁ, ତଥାପି କୁକୁଡ଼ା ଏବଂ କୁକୁଡ଼ା ଉତ୍ପାଦ ବଜାର, ଚାଷଜମି, ଜଳଭଣ୍ଡାର ଏବଂ ସ୍ଥାନାନ୍ତରିତ ପକ୍ଷୀମାନଙ୍କ ଉପରେ ବିଶେଷ ନଜର ରଖିବା ଉଚିତ୍ ।