କେନ୍ଦ୍ରର ଚିଠି ପରେ ବିଜେଡି-ବିଜେପି ମୁହାଁମୁହଁ : ଉଷୁନା ଚାଉଳ ନେଇ ତେଜିଲା ରାଜନୀତି

ଭୁବନେଶ୍ୱର: ମହାମାରୀ ସତ୍ତେ୍ୱ ଏବେ ରାଜ୍ୟରେ ବମ୍ଫର ଧାନଚାଷ ହୋଇଛି । ଏବର୍ଷ ୩୫ଲକ୍ଷ ମେଟ୍ରିକ୍ ଟନ୍ ଖରିଫ ଧାନ ସଂଗ୍ରହ ହୋଇସାରିଲାଣି । ଚଳିତବର୍ଷ ଖରିଫରେ ୬୫ଲକ୍ଷ ଓ ରବିରେ ୧୭ଲକ୍ଷ ଏପରି ମୋଟ ୮୨ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ ରହିଛି । ସେଥିରୁ ୫୫ଲକ୍ଷ ଉଷୁନା ଚାଉଳ ଉତ୍ପାଦନ ହେବା ଅନୁମାନ କରାଯାଉଛି । ଓଡ଼ିଶାରେ ୨୪ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ବ୍ୟବହାର ହେବାକୁ ଥିବାବେଳେ ବଳକା ରହିବ ଆଉ ୩୧ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ବଳକା ରହିବ । ଏଥିରୁ ଖରିଫରେ ମାତ୍ର ୫୦ ପ୍ରତିଶତ ଚାଉଳ ଏଫ୍ସିଆଇ ନେବ ବୋଲି କହିବା ସହ ରବିରେ ଆଦୌ ନେବନାହିଁ ବୋଲି ଚିଠି ଲେଖିଛି । ଏହାକୁ ନେଇ ବିଜେଡିବିଜେପି ମଧ୍ୟରେ ବାକ୍ୟୁଦ୍ଧ ଆରମ୍ଭ ହୋଇଯାଇଛି । କେନ୍ଦ୍ରର ନିଷ୍ପତ୍ତି ଚାଷୀଙ୍କ କଟା ଘାରେ ଚୂନ ଦେବା ଭଳି ବିଜେଡି ଅଭିଯୋଗ କରିବା ସହ ଚାଷୀ ଓ ଚାଷକୁ ନେଇ ବିଜେପି ଲୋକଙ୍କୁ ଭୁଆଁ ବୁଲାଉଛି ବୋଲି କହିଛି । ରାଜ୍ୟ ବିଜେପି ଆସନ୍ତା ୨୧ରେ ସମସ୍ତ ଆରଡିସି ଅଫିସ୍ ଘେରାଉ ନକରି କେନ୍ଦ୍ରର ଏହି ନିଷ୍ପତ୍ତି ଉପରେ ପ୍ରତିବାଦ କରୁ । ନବୀନଙ୍କ ଲୋକପ୍ରିୟତାକୁ ନେଇ ବିଜେପି ବିଚଳିତ ହୋଇପଡ଼ିଛି । ଆଗାମୀ ଦିନରେ ଚାଷୀ ଆନ୍ଦୋଳନ ଏକ ବିରାଟ ରୂପ ନେବ ବୋଲି ବିଜେଡି କହିଛି । ବିଜେଡିର ଏହି ଅଭିଯୋଗର ଜବାବ ରଖି ବିଜେପି କହିଛି ମଣ୍ଡିରୁ ଧାନ ଉଠିପାରୁନାହିଁ । ଚାଷୀଙ୍କ ଭିତରେ ଅସନ୍ତୋଷ ବଢ଼ୁଛି । ୨୧ରେ ଆରଡିସି ଅଫିସ୍ ଘେରାଉ ଡାକରାରେ ବିଜେଡି ବିବ୍ରତ ହୋଇପଡିଛି । ଏଥିପାଇଁ କେନ୍ଦ୍ର ଉପରେ ବିଜେଡି ଅଯଥା ଦୋଷ ଲଦିବା ପାଇଁ ଚେଷ୍ଟା କରୁଛି ବୋଲି ବିଜେପି ଅଭିଯୋଗ କରିଛି । ଧାନ ସଂଗ୍ରହରେ ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ଏକ ଏଜେନ୍ସି ଭାବରେ କାର୍ଯ୍ୟ କରିଥାଏ । ସେପ୍ଟେମ୍ବର ୨୦୨୦ ସୁଦ୍ଧା କେନ୍ଦ୍ରରୁ ଅଗ୍ରୀମ ସବ୍ସିଡି ଭାବେ ୨୮ଶହ ୫୦କୋଟି ମିଳିବା କଥା । ଏବେ ସୁଦ୍ଧା ମୋଟ ବକେୟା ପ୍ରାୟ ୬ହଜାର କୋଟି ପଡିରହିଛି । କିନ୍ତୁ କେନ୍ଦ୍ର ଏହି ଅର୍ଥ ଦେଉନାହିଁ ବୋଲି ବିଜେଡି ଅଭିଯୋଗ କରିଛି ।