ସବୁ ନିର୍ବାଚନମଣ୍ଡଳୀରେ ବିଜୁ ଜୟନ୍ତୀ ଆଜି ପାଳିବ ବିଜେଡି

– କଟକରୁ ଭୁବନେଶ୍ୱର ସାଇକେଲ ରାଲି
– ଏପ୍ରିଲ ୧୭ ଯାଏଁ ଚାଲିବ ରକ୍ତଦାନ ଶିବିର

ଭୁବନେଶ୍ୱର, ୦5 ମାର୍ଚ୍ଚ – ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜନ୍ମବାର୍ଷିକୀ ଉପଲକ୍ଷେ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ବିଜୁ ଜୟନ୍ତୀ ପାଳନ କରିବ ବିଜୁ ଜନତା ଦଳ । ଏହି ଅବସରରେ ବିଜୁ ଜନତା ଦଳର ସକ୍ରିୟ ସଦସ୍ୟମାନଙ୍କୁ ନେଇ ଏକ ବୈଠକ ଆୟୋଜନ କରାଯିବ । ସେଥିରେ ଦୁଇ ଦଶନ୍ଧି ଧରି ବିଜୁ ଜନତା ଦଳର ସଫଳ ଯାତ୍ରା ବିଷୟରେ ଆଲୋଚନା କରାଯିବ । ଏହି ପରିପ୍ରେକ୍ଷୀରେ ବିଜେଡି ରାଜ୍ୟ କାର୍ଯ୍ୟାଳୟ ଠାରେ ବିଜୁ ଜୟନ୍ତୀ ପାଳନ କରାଯିବ । ଶୁକ୍ରବାର ପୂର୍ବାହ୍ନରେ ଦଳୀୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫରେଷ୍ଟ ପାର୍କ ସ୍ଥିତ ବିଜୁ ବାବୁଙ୍କ ପ୍ରତିମୂତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ରାଜ୍ୟ କାର୍ଯ୍ୟାଳୟ ଠାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ।

ସେହିପରି ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ କଟକସ୍ଥିତ ବିଜୁବାବୁଙ୍କ ଜନ୍ମସ୍ଥାନ ଆନନ୍ଦ ଭବନ ଠାରୁ ଭୁବନେଶ୍ୱର ବିମାନ ବନ୍ଦର ସ୍ଥିତ ବିଜୁବାବୁଙ୍କ ପ୍ରତିମୁର୍ତି ପର୍ଯ୍ୟନ୍ତ ଏକ ବିଶାଳ ସାଇକେଲ ଯାତ୍ରା ଆୟୋଜିତ ହେବ । ଏହି ସାଇକେଲ ଶୋଭାଯାତ୍ରାରେ ହଜାର ହଜାର ଯୁବ ଛାତ୍ର ଯୋଗ ଦେଇ ୧୯୩୨ ମସିହାରେ ବିଜୁବାବୁଙ୍କ କଟକରୁ ପେଶୱାର ପର୍ଯ୍ୟନ୍ତ ୪୫୦୦ ମାଇଲ୍ସ ଦୁଃସାହସିକ ସାଇକେଲ ଯାତ୍ରାର ସ୍ମୃତିକୁ ଉଜ୍ଜୀବିତ କରିବେ । ଶୁକ୍ରବାର ସକାଳ ୬ଟାରେ କଟକ ଆନନ୍ଦଭବନ ଠାରୁ ଏହି ସାଇକେଲ ଯାତ୍ରା ବାହାରି ଯୋବ୍ରା ଠାରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯିବ । ସେଠାରୁ ଶିଖରପୁର, ପ୍ରେସ୍ ଛକ , ନଖରା, ପଳାଶୁଣି, ରସୁଲଗଡ, ବାଣୀବିହାର, ରାମମନ୍ଦିର, ପ୍ରଦର୍ଶନୀ ପଡିଆ , ହାଉସିଂ ବୋର୍ଡ ଛକ , ପିଏମଜି , ଏଜି ଛକ ପରେ ଭୁବନେଶ୍ୱର ଏୟାରପୋର୍ଟରେ ପହଂଚି ବିଜୁ ବାବୁଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବାର କାର୍ଯ୍ୟକ୍ରମ ରହିଛି ।
ସେହିପରି ବିଜୁ ପଟ୍ଟନାୟକଙ୍କ ୨୪ତମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଆସନ୍ତାକାଲିଠାରୁ ଅପ୍ରେଲ ୧୭ ତାରିଖ ପର୍ଯ୍ୟନ୍ତ ବିଜୁ ଯୁବଛାତ୍ରଜନତା ଦଳ ଆନୁକୁଲ୍ୟରେ ଓଡିଶା ମୋ ପରିବାର -ଜୀବନ ବିନ୍ଦୁ ରକ୍ତଦାନ ଶିବିରର ଆୟୋଜନ କରାଯିବ । ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ ଓ ଛାତ୍ର ବିଜେଡି ସଭାପତି ଦେବୀ ରଂଜନ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି ।