ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ବିଜେପି ସଦସ୍ୟ

-ଚାଲି ଚାଲି ନବୀନ ନିବାସ ଗଲେ ବିଜେଡି-ବିଜେପି ବିଧାୟକ
– ମୁଖ୍ୟମନ୍ତ୍ରୀ ସାମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି, ମଣ୍ଡିରୁ ଧାନ ଉଠିଲେ ଗୃହ ଚାଲିବ : ବିରୋଧୀ ଦଳ ନେତା

ଭୁବନେଶ୍ୱର: ମଣ୍ଡିରୁ ଧାନ ଉଠିବାକୁ ନେଇ ଦେଖାଦେଇଥିବା ସମସ୍ୟା ଏବଂ ବିଧାୟକଙ୍କ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ ପ୍ରସଙ୍ଗରେ ଗୁରୁବାର ଷଷ୍ଠ ଦିନରେ ବିଧାନସଭାରେ ଅଚଳାବସ୍ଥା ଦେଖାଦେଇଛି । ଅଚଳାବସ୍ଥାକୁ ଏଡାଇବା ପାଇଁ ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ୧୦ଟା ୩୧ ମିନିଟ୍ ରୁ ୧୨ ଟା ଓ ୧୨ ଟା ୦୨ ମିନିଟ୍ ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ । ଫଳରେ ଆଜି ହେବାକୁ ଥିବା ପ୍ରଶ୍ନୋତର , ଶୂନ୍ୟକାଳ ଓ ମୁଲତବୀ ପ୍ରସ୍ତାବ ଆଲୋଚନା କାର୍ଯ୍ୟକ୍ରମ ହୋଇପାରିନଥିଲା । ମୁଲତବୀ ହେବା ପରେ କଂଗ୍ରେସ ପକ୍ଷରୁ ଧାନ କିଣିବା ଦାବିରେ ବିଧାନସଭା ପରିସରରେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତି ତଳେ ଧାରଣା ଦିଆଯାଇଥିଲା ।

ଅନ୍ୟପକ୍ଷରେ ଏହି ପ୍ରସଙ୍ଗକୁ ନେଇ ବିଜେପି ଦଳର ସଦସ୍ୟମାନେ ଆଲୋଚନା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଖୋଜିବାପାଇଁ ବାହାରିଥିଲେ । ବିଜେପି ବିଧାୟକମାନେ ବିଧାନସଭାରୁ ଏକ ଶୋଭାଯାତ୍ରାରେ ବାହାରି ପ୍ରଥମେ ଲୋକସେବା ଭବନ ଏବଂ ପରେ ନବୀନ ନିବାସ ଅଭିମୁଖେ ଯାଇଥିଲେ । ତାଙ୍କ ପଛେ ପଛେ ବିଜେଡିର ବିଧାୟକ ଓ ମନ୍ତ୍ରୀମାନେ ଶୋଭାଯାତ୍ରାରେ ନବୀନ ନିବାସ ଯାଇଥିଲେ ।

“ଚାଷୀର ଆତ୍ମହତ୍ୟା ପାଇଁ ଦାୟୀ କିଏ? ନବୀନ ପଟ୍ଟନାୟକ ଆଉ କିଏ”, “ ଚାଷୀର ସମସ୍ତ ଧାନ କିଣିବା ଆମର ଦାବି” , “ଚାଷୀ କାନ୍ଦୁଛି ମଣ୍ଡିରେ , ମନ୍ତ୍ରୀ ହସୁଛି ବିଧାନସଭାରେ” ଲେଖାଥିବା ପ୍ଲାକାର୍ଡ ଧରି ବିଜେପି ବିଧାୟକମାନେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଲୋକସେବା ଓ ନୀବନ ନିବାସ ଯିବା ବେଳେ ସୁରକ୍ଷା କର୍ମୀ ମାନେ ବିଜେପି ବିଧାୟକମାନଙ୍କୁ ଅଟକାଇବାକୁ ଗେଟ୍ ବନ୍ଦ କରିଦେଇଥିଲେ । ପରେ ପାଟିତୁଣ୍ଡ ପରେ ଗେଟ୍ ଖୋଲିବାରୁ ବିଜେପି ବିଧାୟକମାନେ ଲୋକସେବା ଭବନ ଭିତରକୁ ପଶିଥିଲେ ।

ସେଠାରେ ଥିବା ଶାସକ ଦଳର ମନ୍ତ୍ରୀ ଓ ବିଧାୟକମାନେ ବିଜେପି ବିଧାୟକମାନଙ୍କୁ ଲୋକସେବା ଭବନ ମଧ୍ୟକୁ ପାଛୋଟି ନେଲା ବେଳେ ସେମାନେ ପ୍ରତିବାଦ କରିଥିଲେ । ଏହାପରେ ସେମାନେ ନବୀନ ନିବାସ ଅଭିମୁଖେ ବାହାରିଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ବିଜେପି ବିଧାୟକମାନେ ନବୀନ ନିବାସରେ ପହଂଚିବା ପରେ ସେଠାରେ ମଧ୍ୟ ଗେଟ୍ ବନ୍ଦ କରି ଦିଆଯାଇଥିଲା । ତାର ପ୍ରତିବାଦରେ ବିରୋଧୀ ବିଧାୟକମାନେ ନବୀନ ନିବାସ ସମ୍ମୁଖରେ ଧାରଣା ଦେଇଥିଲେ ।

ସଂସଦୀୟ ବ୍ୟାପର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଅଶୋକ ପଣ୍ଡା, ମନ୍ତ୍ରୀ ସମୀର ରଂଜନ ଦାଶ, ଟୁକୁନି ସାହୁ, ପଦ୍ମିନୀ ଦିଆନ, ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାଶ, ରୋହିତ ପୂଜାରୀ ପ୍ରମୁଖ ଧାରଣା ରତ ବିଜେପି ବିଧାୟକମାନଙ୍କୁ ଧାରଣାରୁ ଉଠିଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଅନୁରୋଧ କରିଥିଲେ । ମାତ୍ର ସେମାନେ ଧାରଣାରୁ ବିରତ ହୋଇନଥିଲେ । ପରେ ମୁଖ୍ୟମନ୍ତ୍ରୀ ନବୀନ ନିବାସ ବାହାରକୁ ଆସି ବିଜେପି ବିଧାୟକମାନଙ୍କୁ ସାକ୍ଷାତ କରିବା ସହ ଆଲୋଚନା ପାଇଁ ଭିତରକୁ ଡାକିନେଇଥିଲେ ।

କିଛି ସମୟ ପରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ଫଳପ୍ରଦ ହୋଇଛି । ମଣ୍ଡିରୁ ଧାନ ଉଠାଯିବ ବୋଲି ସେ ପ୍ରତିଶୃତି ଦେଇଛନ୍ତି । ଗୃହର ସୁପରିଚାଳନା ପାଇଁ ସର୍ବଦଳୀୟ ବୈଠକ ଡକାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମଣ୍ଡିରୁ ଧାନ ଉଠିଲେ ଗୃହ ଚାଲିବ । ଗୃହ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବା ଉଚିତ୍ ବୋଲି ସେ କହିଛନ୍ତି । ସେହିପରି ବିଜେପି ଉପନେତା ବିଷ୍ଣୁ ସେଠୀ କହିଛନ୍ତି ଯେ ଧାରଣାସ୍ଥଳକୁ ମୁଖ୍ୟମନ୍ତ୍ରୀ ଆସିବା ଇତିହାସରେ ପ୍ରଥମ ।

ମଣ୍ଡି ସମସ୍ୟା କଥା ମୁଖ୍ୟମନ୍ତ୍ରୀଙ୍କୁ କହିଲୁ । ସେ ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଗୃହରେ ସ୍ୱାଭାବିକତା ଫେରାଇଆଣିବାକୁ ସର୍ବଦଳୀୟ ବୈଠକ ଡାକିବେ । ଏସମ୍ପର୍କରେ ସେ ବାଚସ୍ପତିଙ୍କ ସହ ଆଲୋଚନା କରିବେ । ମଣ୍ଡିରୁ ସବୁ ଧାନ ଉଠିଲେ ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ମାଗିବେ ବୋଲି ଶ୍ରୀ ସେଠୀ କହିଛନ୍ତି । ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ – ବିଜେପି ବିଧାୟକଙ୍କ ଆଲୋଚନା ସୌହାଦ୍ର୍ଦ୍ୟପୂର୍ଣ୍ଣ ଥିଲା । ଗୃହ ଖୁବ୍ ଶୀଘ୍ର ସ୍ୱାଭାବିକ ହେବ ।