ପ୍ରତିଶ୍ରୁତି ସତ୍ୱେ ଚାଷୀ ମାନଙ୍କର ଧାନ ମଣ୍ଡିରୁ ନ ଉଠିବା, ଧାନ ଉଠାଇବାର ଶେଷ ତାରିଖକୁ ୧୫ ଏପ୍ରିଲକୁ ବୃଦ୍ଧି କରିବା ଦାବିରେ ବିଜେପି ବିଧାୟକଙ୍କ ହଟ୍ଟଗୋଳ, ଗୃହ ମୁଲତବୀ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତିଶ୍ରୁତି ଦିଆ ଯିବା ସତ୍ୱେ ଚାଷୀ ମାନଙ୍କର ଧାନ ମଣ୍ଡିରେ ଉଠା ଯାଉ ନାହିଁ । ଚାଷୀ ମାନେ ଅକଥନୀୟ ହଇରାଣର ସମ୍ମୁଖୀନ ହେଉଛନ୍ତି । ତେଣୁ ଏହି ମାମଲାରେ ବିଭାଗୀୟ ମନ୍ତ୍ରୀ ବିବୃତି ରଖନ୍ତୁ ଓ ଧାନ ଉଠାଇବାର ଶେଷ ତାରିଖ ୩୧ ମାର୍ଚରୁ ବଢାଇ ୧୫ ଏପ୍ରିଲ ଯାଏ କରା ଯାଉ । ଏହି ଦାବି କରି ମୁଖ୍ୟ ବିରୋଧୀ ଦଳ ବିଜେପିର ବିଧାୟକ ମାନେ ହଟ୍ଟଗୋଳ କରିଥିଲେ । ବାଚସ୍ପତି ସେମାନଙ୍କୁ ଏପରି ନ କରିବାକୁ ଅନୁରୋଧ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳି ନ ଥିଲା ।

ତେଣୁ ବାଚସ୍ପତି ଗୃହର ଅଚଳାବସ୍ଥାକୁ ଏଡାଇବାକୁ ଯାଇ ଗୃହକୁ ୧୧.୪୯ରୁ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରିଥିଲେ । ଏହା ଫଳରେ ଆଜି ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇ ପାରି ନ ଥିଲା ।

ଶୂନ୍ୟକାଳରେ ଏହି ପ୍ରଶ୍ନ ଉଠାଇ ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ କହିଥିଲେ ଯେ ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ସତ୍ୱେ ଚାଷୀ ମାନଙ୍କ ଠାରୁ ଧାନ କିଣା ଯାଉ ନାହିଁ । ଆମେ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଡାକିବା ସତ୍ୱେ ଓ ପ୍ରତିଶ୍ରୁତି ସତ୍ୱେ ଚାଷୀଙ୍କ ଧାନ ନ ଉଠିବା ଦୁର୍ଭାଗ୍ୟର ବିଷୟ । ସେ କହିଥିଲେ ଯେ ଆଗାମୀ ୨ ଦିନ ଧରି ଛୁଟି ରହିଛି । ତେଣୁ ଏହି ମାମଲାରେ ବିଭାଗୀୟ ମନ୍ତ୍ରୀ ଗୃହରେ ଉତର ଦେବା ଆବଶ୍ୟକ । ସେ କହିଥିଲେ ଯେ ଧାନ କିଣାର ଶେଷ ତାରିଖ ୩୧ ମାର୍ଚ ସୁଦ୍ଧା ଚାଷୀ ମାନଙ୍କ ଠାରୁ ଧାନ କିଣା କରା ଯାଇ ନ ପାରୁଥିବା କାରଣରୁ ଏହାର ଅନ୍ତିମ ତାରିଖକୁ ବଢା ଯାଇ ଏପ୍ରିଲ ୧୫ କରା ଯାଉ ବୋଲି ସେ ଦାବି କରିଥିଲେ । ଏହା ନ ହେଲେ ଗୃହ ଚାଲିବ ନାହିଁ ବୋଲି ସେ କହିଥିଲେ ।

ଶ୍ରୀ ନାଏକ ଆହୁରି କହିଥିଲେ ଯେ କୌଣସି ଚାଷୀଙ୍କର ମୃତ୍ୟୁ ଘଟିିଥିଲେ ଓ ତାଙ୍କ ପୁଅର ଆଧାର ଲିଙ୍କ ହୋଇ ନ ଥିଲେ ଧାନ କିଣାରେ ସମସ୍ୟା ଦେଖା ଦେଉଛି । ଆଧାର ଲିଙ୍କ ହୋଇ ପାରୁ ନାହିଁ । ତେଣୁ ଏହି ସମସ୍ୟାର ସମାଧାନ ହେବା ଆବଶ୍ୟକ ବୋଲି ସେ ଦାବି କରିଥିଲେ । ସେ କହିଥିଲେ ଯେ ଆଗାମୀ ଦିନରେ ରବି ଋତୁରେ ଧାନ କିଣା ବେଳେ ମଧ୍ୟ ଏହି ସମସ୍ୟା ଉପୁଜିବ । ଚାଷୀ ମାନେ ହଇରାଣ ହରକତ ହେବେ । ତେଣୁ ଏହାର ସମାଧାନ ହେବା ଆବଶ୍ୟର ବୋଲି ସେ କହିଥିଲେ ।

ଶ୍ରୀ ନାଏକ ଏହା କହିବା ପରେ ବିଜେପି ଦଳର ବିଧାୟକ ମାନେ ଗୃହର ମଧ୍ୟ ଭାଗକୁ ଚାଲି ଆସି ଚାଷୀ ମାନଙ୍କର ସୁରକ୍ଷା ଆମର ଦାବି ଓ ଅନ୍ୟ ସ୍ଲୋଗାନ ମାନ ଦେଇଥିଲେ । ବିଜେପି ବିଧାୟକ ମାନେ ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିବାକୁ ଚେଷ୍ଟା କରିବାର ଦେଖା ଦେଇଥିଲା ।

ଅନ୍ୟ ପକ୍ଷରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଥିଲେ ଯେ ଆଜି ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ବିଭାଗର ଖର୍ଚ ଦାବି ଉପରେ ଆଲୋଚନା ହେବାର ଅଛି । ସେହି ସମୟରେ ବିଭାଗୀୟ ମନ୍ତ୍ରୀ ଧାନ କିଣା ସମ୍ପର୍କରେ ନିର୍ଦିଷ୍ଟ ଭାବେ ଉତର ରଖିବେ । ତେଣୁ ବିଜେପି ବିଧାୟକ ମାନେ ସେହି ଆଲୋଚନାରେ ଭାଗ ନେଇ ଏହି ପ୍ରସଙ୍ଗରେ ପ୍ରଶ୍ନ କରି ପାରିବେ । ତେଣୁ ବର୍ତମାନ ସେମାନେ ନିଜ ନିଜ ଆସନକୁ ଯାଇ ଗୃହ କାର୍ଯ୍ୟରେ ସହଯୋଗ କରନ୍ତୁ ବୋଲି ସେ ଅନୁରୋଧ କରିଥିଲେ ।

ଏହା ପରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମଧ୍ୟ ଅନୁରୂପ ଭାବେ ବିଜେପି ବିଧାୟକ ମାନଙ୍କୁ ବାରମ୍ବାର ଅନୁରୋଧ କରିଥିଲେ ଯେ ଆଜି ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ବିଭାଗର ଖର୍ଚଦାବି ଉପରେ ଆଲୋଚନା ବେଳେ ସେମାନେ ଏହି ପ୍ରସଙ୍ଗ ଉଠାନ୍ତୁ । ବିଭାଗୀୟ ମନ୍ତ୍ରୀ ତାର ଉତର ଦେବେ । ହେଲେ ବିଜେପି ବିଧାୟକ ମାନଙ୍କ ଉପରେ ଏହାର କୌଣସି ପ୍ରଭାବ ପଡି ନ ଥିଲା । ତେଣୁ ଅଚଳାବସ୍ଥାକୁ ଏଡାଇବାକୁ ଯାଇ ବାଚସ୍ପତି ଗୃହ କାର୍ଯ୍ୟକୁ ୧୧.୪୯ରୁ ଅପରାହ୍ନ ୪ ଟା ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।