ପିପିଲି ବ୍ଲକ, ତହସିଲ ଘେରିଲା ବିଜେପି

ପିପିଲି: ପୁରୀ ଜିଲ୍ଲା ବିଜେପି ସଭାପତି ଅଶ୍ରିତ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେପି କର୍ମୀମାନେ ଆଜି ପିପିଲି ବ୍ଲକ ଓ ତହସିଲ ଘେରାଉ କରିଛନ୍ତି । ବାତ୍ୟା ଫନି କ୍ଷତିଗ୍ରସ୍ତଙ୍କୁ ସହାୟତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବିଜୁ ପକ୍କା ଘର ଯୋଜନାରେ ହଡ଼ପର ଅଭିଯୋଗ ଓ ଅଚଳ ଥିବା ସାତଶଙ୍ଖ ଶୀତଳ ଭଣ୍ଡାରକୁ କାର୍ଯ୍ୟକ୍ଷମ କରିବା ଦାବୀରେ ବିଜେପି ଏହି ଆନ୍ଦୋଳନ କରିଥିବା ଜଣାଯାଇଛି । ବାତ୍ୟା ଫନିକୁ ଦୀର୍ଘ ୧୯ମାସ ବିତିଯାଇଥିଲେ ମଧ୍ୟ ଅଦ୍ୟାବଧି ହିତାଧିକାରୀ ଚୟନ ସରିନି ଓ ପ୍ରକୃତ ହିତାଧିକାରୀ ଫନି ସହାୟତାରୁ ବଂଚିତ ହୋଇଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ତୁରନ୍ତ ସେମାନଙ୍କୁ ସହାୟତା ଦିଆଯାଉ,ନଚେତ ବିଜେପି ରାଜରାସ୍ତାକୁ ଓହ୍ଲାଇବ ବୋଲି ଶ୍ରୀ ପଟ୍ଟନାୟକ ତହସିଲ କତୃପକ୍ଷଙ୍କୁ ଚେତାବନୀ ଦେଇଛନ୍ତି । ଅନେକ କ୍ଷତିଗ୍ରସ୍ତ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ତହସିଲ ପକ୍ଷରୁ ଅଚଳ କରାଯାଇଥିବା ବିଜେପି ଅଭିଯୋଗ କରିଥିବାବେଳେ ସେମାନଙ୍କର ଆକାଂଉଟକୁ ପୁନଃ ଚାଲୁ କରାଯିବାକୁ ଆନ୍ଦୋଳନକାରୀ ଦାବୀ କରିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବିଜୁ ପକ୍କାଘର ଯୋଜନାରେ ହଡ଼ପ କରାଯାଇଥିବା ଦଳ ଅଭିଯୋଗ କରି ସରକାର ତୁରନ୍ତ ଏଥିରୁ ନିବୃତ ହେବାକୁ ବିଜେପି ଦାବୀ କରିବା ସହ ବିଜୁ ପକ୍କା ଘର ସମ୍ବଳିତ ଲୋଗୋକୁ ସେଠାରେ ଚିରିବା ସହ ପୋଡ଼ିଥିଲେ । ସେହିପରି ସାତଶଙ୍ଖ ଠାରେ ଥିବା ଶୀତଳ ଭଣ୍ଡାର ଦୀର୍ଘଦିନ ହେବ ଅଚଳ ହୋଇ ପଡ଼ିଥିବାବେଳେ ଉକ୍ତ ଶୀତଳ ଭଣ୍ଡାର ବ୍ୟାପକ ଦୁର୍ନିତୀର ତଦନ୍ତ ସହ ଖୁବଶିଘ୍ର ଶୀତଳ ଭଣ୍ଡାରକୁ କାର୍ଯ୍ୟକ୍ଷମ କରିବାକୁ ଦଳ ପକ୍ଷରୁ ଦାବୀ ହୋଇଛି । ଏ ସମ୍ପର୍କିତ ଏକ ଦାବୀପତ୍ର ପିପିଲି ତହସିଲଦାରଙ୍କୁ ଦିଆଯାଇଥିବା ଶ୍ରୀ ପଟ୍ଟନାୟକ କହିଛନ୍ତି । ପୁରୀ ଜିଲ୍ଲା ବିଜେପି ଉପସଭାପତି ଜନ୍ମେଜୟ ଜେନା, କୃଷକ ମୋର୍ଚ୍ଚା ସଭାପତି ଅଜୟ ପ୍ରଧାନ, ପିପିଲିର ପୂର୍ବତନ ପୌର ଉପାଧ୍ୟକ୍ଷ ସୁକାନ୍ତ ଭଟ୍ଟ, ପୂର୍ବତନ କାଉନସିଲର ଆଲେଜହୁର ଖାନ, ସରପଂଚ ଦେବାଶିଷ ରଥ, ପୂର୍ବତନ ସରପଂଚ ପ୍ରଦୀପ ସାହୁ, ମଣ୍ଡଳ ସଭାପତି ପର୍ଶୁରାମ ମହାପାତ୍ର, ସୁଧିର ବିଶ୍ୱାଳ, ପ୍ରଦୀପ ପାତ୍ର, ବରିଷ୍ଠ ନେତା ସୁକାନ୍ତ ଦାଶ, ଯୁବନେତା ସୁଶାନ୍ତ ସ୍ୱାଇଁ, ଗଦାଧର ପରିଡ଼ା ପ୍ରମୁଖ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ ।