ବୈପାରୀଗୁଡା: କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ଦଶମନ୍ତପୁର ପଞ୍ଚାୟତର ସାରୁକୁଣ୍ଡ ଗ୍ରାମରେ ପାଇଖାନା ଦୁର୍ନୀତି ନେଇ ଅଭିଯୋଗ ଆଣିଛନ୍ତି ବ୍ଲକ ଉପାଧ୍ୟକ୍ଷ ତ୍ରିଲୋଚନ ଜେନା । କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ଵଚ୍ଚ ଭାରତ ମିଶନ ଯୋଜନାରେ ଗ୍ରାମାଞ୍ଚଳର ଲୋକଙ୍କ ପାଇଁ ପ୍ରତି ଘରକୁ ଗୋଟିଏ ପାଇଖାନା ପିଛା ୧୨ହଜାର ଟଙ୍କା ପ୍ରଦାନ କରାଯାଉଛି । ହେଲେ ଏହି ପାଇଖାନା ନିର୍ମାଣ କେବଳ କାଗଜ କଲମରେ ହେଉଥିବା ବେଳେ ହିତାଧିକାରୀ ଏହି ଯୋଜନାରୁ ବଞ୍ଚିତ ରହୁଛନ୍ତି । ସେହିପରି ସାରୁକୁଣ୍ଡ ଗ୍ରାମରେ ୧୦ ଜଣଙ୍କ ପାଇଖାନା ନିର୍ମାଣ କରାଯାଇନଥିବା ବେଳେ ହିତାଧିକାରୀଙ୍କ ନାଁରେ ଟଙ୍କା ଉଠାଣ ହୋଇଯାଇଛି । ଏନେଇ ଗତ ୧୧ ତାରିଖ ଦିନ କୋରାପୁଟ ଜିଲ୍ଲାପାଳଙ୍କୁ ଅଭିଯୋଗ କରାଯାଇଥିବା ଉପାଧ୍ୟକ୍ଷ ଶ୍ରୀ ଜେନା ପ୍ରକାଶ କରିଛନ୍ତି । ସେପଟେ ସ୍ଥାନୀୟ ବିଡ଼ିଓ ଅଭିମନ୍ୟୁ ଶତପଥୀ ପାଇଖାନା ଦୁର୍ନୀତି ଅଭିଯୋଗ ଖଣ୍ଡନ କରିଥିବା ବେଳେ ଏ ବିଷୟରେ କିଛି ଜାଣିନଥିବା ସହ ସାରୁକୁଣ୍ଡ ଗାଁର ହିତାଧିକାରୀ ତାଙ୍କୁ ଅଭିଯୋଗ କରିନାହାନ୍ତି ବୋଲି ପ୍ରକାଶ କରିଛନ୍ତି ଏବଂ ଏହି ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ବିଡ଼ିଓ ଅଭିମନ୍ୟୁ କବି ଶତପଥୀ ପ୍ରକାଶ କରିଛନ୍ତି ।