-ବିରୋଧୀଙ୍କ ସବୁ ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ ଶାସକ ଦଳ
ଭୁବନେଶ୍ୱର: ଆଜି ଠାରୁ ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଥିବା ବେଳେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଗୃହରେ ଉଠାଇବାକୁ ସଜବାଜ ହୋଇଛନ୍ତି ବିରୋଧୀ । ସୀମା ବିବାଦ, ଆଇନଶୃଙ୍ଖଳା, ମାହାଙ୍ଗା ଡବଲ ମର୍ଡର, ମଣ୍ଡିରେ ଅବ୍ୟବସ୍ଥା ଆଦିକୁ ପ୍ରସଙ୍ଗ କରିବ ବିଜେପି । ସେହିପରି ପେଟ୍ରୋଲ , ଡିଜେଲ ଓ ରନ୍ଧନ ଗ୍ୟାସ୍ ମୂଲ୍ୟ ବୃଦ୍ଧି , ଶିକ୍ଷକ ଅଭାବ , ବେକାରୀ ସମସ୍ୟା , ଚାଷୀ ସମସ୍ୟା ଆଦିକୁ ପ୍ରସଙ୍ଗ କରିବ କଂଗ୍ରେସ ।ଏହା ପୂର୍ବରୁ ଦଳର ନେତାମାମନଙ୍କୁ ନେଇ ଅନୁଷ୍ଠିତ ସର୍ବଦଳୀୟବୈଠକରେ ଗୃହରେ ଶାସକ ଦଳକୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ଉଭୟ ଦଳ । ଅପରପକ୍ଷରେ ବିରୋଧୀଙ୍କ ସବୁ ପ୍ରସଙ୍ଗର ମୁକାବିଲା କରିବାକୁ ପ୍ରସ୍ତୁତ ହୋଇଛି ଶାସକ ଦଳ ।
ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ବିଧାୟକ ଦଳ ବୈଠକ ପରେ କହିଛନ୍ତି ଯେ ବଜେଟ ଅଧିବେଶନରେ ସୀମା ବିବାଦ , କୋଟିଆ ଓ ଗଂଜାମ ଜିଲ୍ଲାର ସୀମାନ୍ତ ଅଂଚଳରେ ଆନ୍ଧ୍ରର କବଜା , ଆଇନଶୃଙ୍ଖଳା ପରିସ୍ଥିତି ,ମାହାଙ୍ଗା ଡବଲ ମର୍ଡର , ପରୀ ମାମଲା ଉଠିବ । ସେହିପରି କୃଷି ପ୍ରସଙ୍ଗ , ଧାନର ଅଭାବୀ ବିକ୍ରି ,ମଣ୍ଡି ଅବ୍ୟବସ୍ଥା, ଟୋକନ ଅବ୍ୟବସ୍ଥା ପ୍ରସଙ୍ଗ ବିଧାନସଭାରେ ଉଠିବ । ଖଣି ଦୁର୍ନୀତି ପ୍ରସଙ୍ଗ, ଡିଏମଏଫ୍ ର ଅପବ୍ୟବହାର , ଲିଙ୍ଗରାଜ ମନ୍ଦିର, ପୁରୀମନ୍ଦିର ବାଇ-ଲ’ ର ପ୍ରକୃତ ତଥ୍ୟ ନେଇ ସରକାରଙ୍କୁ ଘେରିବା ପାଇଁ ଯୋଜନା କରିଛି ବଜେପି । ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ଼ ଗସ୍ତ କରିଥିବା ବେଳେ ୬୦ ରୁ ଅଧିକ ବିଧାୟକଙ୍କ ପଟୁଆର ନେବା ପ୍ରସଙ୍ଗ ମଧ୍ୟ ବିଧାନସଭାରେ ଉଠିବ ବୋଲି ସେ କହିଛନ୍ତି ।
ଅପରପକ୍ଷରେ କଂଗ୍ରେସ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ କୋଭିଡ ସମୟରେ ଗୃହରେ ତାରକା ପ୍ରଶ୍ନକୁ ସମୟ ଦିଆଯାଉନଥିଲା । ଏଥର ପ୍ରଶ୍ନକାଳ ରହିବ । ତେଣୁ ଚାଷୀଙ୍କ ସମସ୍ୟା, ଓଡିଶାକୁ ସବୁଦିଗରୁ ଆକ୍ରମଣ ପ୍ରସଙ୍ଗ ଉଠାଇବୁ । ଦୁର୍ବଳ ନେତୃତ୍ୱ ପାଇଁ ଆନ୍ଧ୍ର ଆମର ଜମି ନେଇ ଯାଉଛି ,ପଶ୍ଚିମବଙ୍ଗ ବାଲି ନେଇଯାଉଛି, ଛତିଶଗଡ଼ ପାଣି ନେଇଯାଉଛି । ସେହିପରି ଡିଜେଲ ଓ ପେଟ୍ରୋଲ ଦର ବୃଦ୍ଧି ପ୍ରସଙ୍ଗ ବିଧାନସଭାରେ ଉଠିବ । ଏପରିକି ରନ୍ଧନ ଗ୍ୟାସ କଥା ମଧ୍ୟ ବିଧାନସଭାରେ ଜୋରଦାର ଉଠିବ । ବେକାରୀ ସମସ୍ୟା, ଶିକ୍ଷା ପ୍ରସଙ୍ଗ ଓ ଆଂଚଳିକ ବୈଷମ କଥା ମଧ୍ୟ ଉଠିବ । ତୁରନ୍ତ ପେଟ୍ରୋଲ, ଡିଜେଲ ଦର କମାଇବା ପାଇଁ ଆମର ଦାବି ରହିବ ବୋଲି ଶ୍ରୀ ମିଶ୍ର କହିଛନ୍ତି ।
ସେପଟେ ବିରୋଧୀଙ୍କ ସବୁ ପ୍ରସଙ୍ଗର ଉତର ଦେବାକୁ ପ୍ରସ୍ତୁତ ବୋଲି କହିଛନ୍ତି ବିକ୍ରମ କେଶରୀ ଆରୁଖ । ପଂଚଦଶ ଅର୍ଥ କମିଶନରେ କେନ୍ଦ୍ରିୟ ଟିକସ ବାବଦକୁ ରାଜ୍ୟର ଭାଗ କମିବା, ଧାନର ଏମଏସପି , ତୈଳ ଦର ବୃଦ୍ଧି , ପୁରୀ ଓ ଏକାମ୍ର କ୍ଷେତ୍ରରେ ବାଇ -ଲ’ ଲାଗୁ ପ୍ରସଙ୍ଗ ଉଠାଇ ବିରୋଧୀଙ୍କ ମୁକାବିଲା କରିବ ଶାସକ ଦଳ ।