ନୂଆଦିଲ୍ଲୀ: କେନ୍ଦ୍ରର ତିନି କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଚାଷୀଙ୍କ ଆନ୍ଦୋଳନ ୧୦୦ ଦିନ ଅତିକ୍ରମ କରିଛି । ରବିବାର ରାତିରେ କିନ୍ତୁ ଆନ୍ଦୋଳନରତ ସ୍ଥାନରେ ଫାଇରିଂ ହୋଇଥିବା ସୂଚନା ରହିଛି । କିଏ କରିଛି ଏ ବାବଦରେ ସୂଚନା ମିଳିନାହିଁ । ହେଲେ କାରରେ ତିନି ଚାରି ଜଣ ଆସି ଫାଇରିଂ କରି ପଳାଇଥିବା ଆନ୍ଦୋଳନରତ ଚାଷୀ କହିଛନ୍ତି । ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ଏହି ଅବସରରେ ହଜାର ହଜାର ମହିଳା ଚାଷୀ ଆନ୍ଦୋଳନରେ ସାମିଲ୍ ହେବେ ବୋଲି ଜଣାପଡ଼ିଛି ।
ଏହା ପୂର୍ବରୁ ଦୁର୍ବୃତ୍ତମାନେ ଫାଇରିଂ କରିଥିବାରୁ ପୁଲିସ ଏବେ ବିଭିନ୍ନ ଦିଗ ଉପରେ ତଦନ୍ତ କରୁଛି । ହରିଆଣାର ସିଘୁଂରେ ଆନ୍ଦୋଳନରତ ଚାଷୀ କହିଛନ୍ତି, ରାତିରେ ଖାଇବା ବେଳେ ଏହି ଫାଇରିଂ ହୋଇଛି । ଚାରି ଜଣ ଲୋକ କାରରେ ଆସିଥିଲେ । ଏହାପରେ ଆଖିବୁଜା ତିନି ଚାରି ରାଉଣ୍ଡ ଗୁଳି ଚଳାଇଥିଲେ । ପରେ ସେହି ସ୍ଥାନ ଛାଡ଼ି ପଳାଇଥିଲେ । ପୁଲିସ ଏବେ ଏହି ମାମଲାର ତଦନ୍ତ ଆରମ୍ଭ କରିଛି । ଯେଉଁ କାରରେ ଦୁର୍ବୃତ୍ତ ମାନେ ଆସିଥିଲେ ସେହି କାରର ନମ୍ବର ପଞ୍ଜାବର ।
ତେଣୁ ପଞ୍ଜାବର ଦୁର୍ବୃତ୍ତ ହୋଇପାରନ୍ତି ବୋଲି ପୁଲିସ ଆକଳନ କରିଛି । ହେଲେ ସେହି ଗାଡ଼ିରେ ଲାଗିଥିବା ନମ୍ୱର ଅସଲି କି ନକଲି ତାହା ମଧ୍ୟ ତଦନ୍ତସାପେକ୍ଷ । ଯାହାକୁ ଏବେ ପୁଲିସ ତଦନ୍ତ କରୁଛି । ରାତିରେ ଫାଇରିଂ ପରେ ହରିଆଣାର କୁଣ୍ଡଲି ପୁଲିସ ସଂପୃକ୍ତ ଅଞ୍ଚଳକୁ ଯାଇ ତଦନ୍ତ ଜାରି ରଖିଛି । ସୂଚନାଯୋଗ୍ୟ, ନଭେମ୍ୱର ୨୫ରୁ ଆରମ୍ଭ ହୋଇଛି ଏହି ଚାଷୀ ଆନ୍ଦୋଳନ । ପଞ୍ଜାବ, ହରିଆଣା ଓ ଉତ୍ତରପ୍ରଦେଶର ହଜାର ହଜାର ଚାଷୀ ଆସି ଦିଲ୍ଲୀ ସୀମାରେ ଆନ୍ଦୋଳନରେ ବସିଛନ୍ତି ।
କେନ୍ଦ୍ରର ତିନି କୃଷି ଆଇନକୁ ପ୍ରତ୍ୟାହାର କରିବା ପାଇଁ ସେମାନେ ଦାବି କରିଛନ୍ତି । ଏମିତିକି ବିଭିନ୍ନ ଚାଷରେ ଏମଏସପି ଲାଗୁ କରିବା ପାଇଁ ଆନ୍ଦୋଳନରତ ଚାଷୀ ଦାବି କରିଛନ୍ତି । ହେଲେ କେନ୍ଦ୍ର ସରକାର କୃଷି ଆଇନକୁ ରଦ୍ଦ କରିବା ବଦଳରେ ସଂଶୋଧନ ପାଇଁ ରାଜି ହୋଇଛନ୍ତି । ଏମିତିକି ଚାରି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ବିଜେପି ବିରୋଧରେ ଏହି ଆନ୍ଦୋଳନରତ ଚାଷୀ ପ୍ରଚାର କରିବେ ବୋଲି ଧମକ ଦେଇଛନ୍ତି ।