ଛେଣ୍ଡିପଦାରେ ପୁଣି ସକ୍ରିୟ ହେଉଛି ଗଞ୍ଜେଇ ଚାଷ

ଛେଣ୍ଡିପଦା: ଗଂଜେଇ ହବ୍‌ କୁହା ଯାଉଥିବା ଅନୁଗୁଳ ଜିଲ୍ଲା ଛେଣ୍ଡିପଦାରେ ପୁଣି ଚେଇଁଲେଣି ଚାଷୀ। ପୁଣି ଠାବ ହେଲାଣି ଗଂଜେଇ ଚାଷ। ଛେଣ୍ଡିପଦା ଥାନା ଭାଲିଆସର ଅଞ୍ଚଳରେ ବେଆଇନ ଗଞ୍ଜେଇ ଫିଲ୍ଡରେ ପୁଲିସ, ବନ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢ଼ଉ କରାଯାଇ ଆଜି ପ୍ରାୟ ୨୫୦୦ ଗଛ ନଷ୍ଟ କରାଯାଇଛି। ଗତ ୬ ବର୍ଷ ପୂର୍ବରୁ ଏହି ଅଞ୍ଚଳରେ ଗଞ୍ଜେଇ ଚଢ଼ଉ ଅଭିଯାନ ଜୋରଦାର କରି ସମୂଳ ଲୋପ କରାଯାଇଥିଲା। ବିଭାଗୀୟ ଅବହେଳା ଯୋଗୁଁ ପୁଣି ଗଞ୍ଜେଇ ଚାଷ ଆରମ୍ଭ ହୋଇଛି। ଖବରପାଇ ଆଜି ସକାଳ ୧୦ଟାରେ ଅତିରିକ୍ତ ତହସିଲଦାର ପ୍ରକାଶ ଚନ୍ଦ୍ର ନାୟକଙ୍କ ଉପସ୍ଥିତିରେ ରେଞ୍ଜର ପ୍ରତାପ ଚନ୍ଦ୍ର ରାଉଳ, ବାଗେଡ଼ିଆ ଫାଣ୍ଡି ଅଧିକାରୀ ଅବଦୁଲ ୱାଶିମ ଖାନ, ଅବକାରୀ ଇନିସ୍ପେକ୍ଟର କରୁଣା କର ତିୱାରୀ ସଦଳବଳେ ଚଢ଼ଉ କରୁଛନ୍ତି। ଭାଲିଆସର ଗ୍ରାମ ନାଳର ଉଭୟ ପାର୍ଶ୍ବର ଜଙ୍ଗଲ ଓ ସରକାରୀ ଜମିରୁ ଅଢେଇ ହଜାର ପରିପକ୍ୱ ଗଞ୍ଜେଇ ଗଛ କାଟି ପୋଡ଼ି ଦିଆଯାଇଛି।