ଭୁବନେଶ୍ୱର: ଜଳୁଛି ଜଙ୍ଗଲ, ନିଆଁ ଓ ଧୂଆଁରେ ରୁନ୍ଧି ହେଉଛି ପୂରା ଅଞ୍ଚଳ । ବାଙ୍କୀ ଡମପଡାବ୍ଲକ୍ ଚାରିଘରିଆ ନିକଟରେ ଥିବା ଚନ୍ଦକା ଜଙ୍ଗଲରେ ନିଆଁ ଲାଗିଛି । ନିଆଁ ଜଙ୍ଗଲକୁ ଗ୍ରାସ କରି ଆଗକୁ ଆଗକୁ ମାଡି ଚାଲିଛି । ଚନ୍ଦକା ଜଙ୍ଗଲର ଚାରିଘରିଆ, କଇଁମୁଣ୍ଡି ଅଞ୍ଚଳରେ ଲାଗିଥିବା ନିଆଁ, ଦିନ ବଢିବା ସହ ଅଭୟାରଣ୍ୟ ଭିତରକୁ ମାଡି ଯାଇଛି । ସନ୍ଧ୍ୟା ହେଉ ହେଉ ଚନ୍ଦକା ଅଭୟାରଣ୍ୟର କୁମାରଖୁଣ୍ଟି ଅଞ୍ଚଳରୁ ୫ ରୁ ୬ ଜାଗାରେ ନିଆଁ ଲାଗିଛି । ଚନ୍ଦକା ଜଙ୍ଗଲ ଜଳୁଥିବା ଖବର ପାଇ ଚାରିଘରିଆ ଜଙ୍ଗଲରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ ଅଗ୍ନିଶମବାହିନୀ ।
ବାଙ୍କୀ, ବାରଙ୍ଗ, ଡମପଡା ଓ ଆଠଗଡ ଅଗ୍ନିଶମ ବାହିନୀର ୪ଟି ଟିମ୍ ଜଙ୍ଗଲ ନିଆଁକୁ ଆୟତ୍ତ ଉଦ୍ୟମ କରିଥିଲେ ମଧ୍ୟ ସଫଳତା ମିଳିନାହିଁ । ଏବେ ଚନ୍ଦକା ଅଭୟାରଣ୍ୟ ଭିତରକୁ ନିଆଁ ପହଞ୍ଚିଥିବାରୁ ସ୍ଥିତି ଅଣାୟତ୍ତ ହୋଇପଡିଛି । ତେଣୁ ଜଙ୍ଗଲ ନିଆଁକୁ ଲିଭାଇବାରେ ସହଯୋଗ ପାଇଁ ସ୍ଥାନୀୟ ଲୋକଙ୍କୁ ଅପିଲ କରିଛି ବନବିଭାଗ । କଟକ ଜିଲ୍ଲା ବାଙ୍କୀ ଡ଼ମପଡ଼ା ବ୍ଲକ ଚାରିଘରିଆ ନିକଟ ଚନ୍ଦକା ପାହାଡ଼ରେ ଲାଗିଥିବା ନିଆଁ ଚାହୁଁ ଚାହୁଁ ଚନ୍ଦକା ଅଭୟାରଣ୍ୟକୁ ମାଡିଯାଇଛି । ଦମକଳ ବାହିନୀ ନିଆଁଲିଭା କାର୍ଯ୍ୟରେ ନିୟୋଯିତ ଥିବାବେଳେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି ।