ବିଶିଷ୍ଟ ଅଭିନେତା ରବି ମିଶ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର: ବିଶିଷ୍ଟ ଅଭିନେତା ରବି ମିଶ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।ସେ ଟ୍ୱିଟ କରି କହିଛନ୍ତି ଯେ – ବିଶିଷ୍ଟ ଅଭିନେତା ରବି ମିଶ୍ରଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ । ନିଜ ନିଖୁଣ ଅଭିନୟ ଦ୍ୱାରା ଅନେକ ଲୋକପ୍ରିୟ ଚଳଚ୍ଚିତ୍ର ଓ ଧାରାବାହିକରେ ସେ ଛାଡ଼ି ଯାଇଥିବା ଛାପ ତାଙ୍କୁ ସର୍ବଦା ସ୍ମରଣୀୟ କରି ରଖିବ । ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଉଛି ।

ବର୍ଷୀୟାନ ଓଡ଼ିଆ ଅଭିନେତା ରବି ମିଶ୍ରଙ୍କ ହୃଦ୍‌ଘାତରେ ପରଲୋକ ହୋଇଥିବା ଜଣା ପଡିଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା ନେଇ ପରିବାର ଲୋକଙ୍କ ପକ୍ଷରୁ ସୂଚନା ଦିଆ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା । ତାଙ୍କ ବିୟୋଗରେ ଶୋକର ଛାୟା ଖେଳି ଯାଇଛି । ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ତାଙ୍କର ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ମଙ୍ଗଳବାର ଦିନ ସୁଟିଂ କରୁଥିବା ସମୟରେ ସୁଟିଂ ସେଟରେ ତାଙ୍କୁ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏହା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତି କରା ଯାଇଥିଲା ।

ବରିଷ୍ଠ ଅଭିନେତା ରବି ମିଶ୍ରଙ୍କ ଅକାଳ ବିୟୋଗରେ ରାଜ୍ୟ ବିଜେପିର ଶୋକ

ବରିଷ୍ଠ ଅଭିନେତା ରବି ମିଶ୍ରଙ୍କ ଅକାଳ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଏବଂ ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାଏକ ଗଭୀର ଶୋକ ପ୍ରକାଶ କରିବା ସହ ସ୍ୱର୍ଗତଃ ଆତ୍ମାର ସଦଗତି କାମନା କରିଛନ୍ତି ।

ସ୍ୱର୍ଗତଃ ମିଶ୍ର ଜଣେ ଦକ୍ଷ କଳାକାର ଭାବେ ବେଶ ଜଣାଶୁଣା ଥିଲେ । ମଂଚ, ଧାରାବାହିକ ଓ ଚଳଚ୍ଚିତ୍ର ଜଗତରେ ତାଙ୍କର ଅଭିନୟ ବେଶ ଉଚ୍ଚକୋଟୀର ଥିଲା । ମୃତୁ୍ୟ ବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା । ତାଙ୍କର ମୃତୁ୍ୟ ସମଗ୍ର ଚଳଚ୍ଚିତ୍ର ଓ ଧାରାବାହିକ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ସ୍ୱର୍ଗତଃ ମିଶ୍ରଙ୍କ ବିୟୋଗରେ ଶ୍ରୀ ମହାନ୍ତି ଏବଂ ଶ୍ରୀ ନାଏକ ଅତ୍ୟନ୍ତ ମର୍ମାହତ ବୋଲି କହିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି । ଏହି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସାହାସ ଓ ଧୈର୍ଯ୍ୟ ପ୍ରଦାନ କରିବା ସହ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରଭୃ ଜଗନ୍ନାଥଙ୍କ ନିକଟରେ ଶ୍ରୀ ମହାନ୍ତି ଏବଂ ଶ୍ରୀ ନାଏକ ପ୍ରାର୍ଥନା କରିଛନ୍ତି ।