ମୁଖ୍ୟମନ୍ତ୍ରୀଙ୍କ କରୋନା ସଚେତନତା ବାର୍ତ୍ତା: ସତର୍କ ରହିଲେ ହେବନି ଲକ୍ଡାଉନ

ଭୁବନେଶ୍ୱର: ରାଜ୍ୟରେ କରୋନ ସଂକ୍ରମଣ ହ୍ରାସ ପାଇଥିଲେ ମଧ୍ୟ ଏବେ ବିପଦ ଟଳିନାହିଁ । ଏଥିପାଇଁ ଆମ ସମସ୍ତଙ୍କୁ ସତର୍କ ହେବାକୁ ପଡ଼ିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଏକ ଭିଡ଼ିଓ ବାର୍ତ୍ତା ଦେଇ ଏହା କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,ସମସ୍ତଙ୍କ ସହଯୋଗରେ ଓଡ଼ିଶା କରୋନା ନିୟନ୍ତ୍ରଣରେ ଆଜି ଭଲ ସ୍ଥିତିରେ ରହିଛି । ଏ ଦିଗରେ ଆମ ପଦକ୍ଷେପକୁ ନ୍ତହୁ’ ମଧ୍ୟ ପ୍ରଶଂସା କରିଛି । ଏବେ ଆମର ଦୈନିକ ସଂକ୍ରମଣ ୧୦୦ ତଳେ ରହୁଛି । ଶୂନ୍ୟ ସଂକ୍ରମଣ ଆମର ଲକ୍ଷ୍ୟ । ଏ କ୍ଷେତ୍ରରେ ଆତ୍ମସନ୍ତୋଷ ଠିକ୍ ନୁହେଁ, କାରଣ ବିପଦ ଏବେ ବି ଟଳି ନାହିଁ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି ।

ମହାରାଷ୍ଟ୍ର, ପଞ୍ଜାବ, ଛତିଶଗଡ଼, ମଧ୍ୟପ୍ରଦେଶ ଆଦି କେତେକ ରାଜ୍ୟରେ ସ୍ଥିତି ଏବେ ବିଗିଡ଼ିବାରେ ଲାଗିଛି । ମହାରାଷ୍ଟ୍ରର କେତେକ ଅଞ୍ଚଳରେ ଲକ୍ଡାଉନ୍ ପୁଣି ଫେରିଛି । ଲକ୍ଡାଉନ୍ ସମୟର କଷ୍ଟ ଆମ ସ୍ମୃତିରେ ଏବେ ବି ତାଜା ଅଛି । ଆମର ଅର୍ଥନୀତି, ଆମର ସାମାଜିକ ଜୀବନ, ପିଲାମାନଙ୍କ ପାଠପଢ଼ା ସବୁ କ୍ଷେତ୍ରକୁ ଏହା ଗଭୀର ଭାବରେ ପ୍ରଭାବିତ କରିଛି । ଆପଣମାନଙ୍କ ତ୍ୟାଗ ଓ ସହଯୋଗ ଯୋଗୁଁ ବର୍ତ୍ତମାନ ସ୍ୱାଭାବିକ ଅବସ୍ଥା ଫେରିଛି ।

ଆମେ କେହି ଲକ୍ଡାଉନ୍କୁ ଫେରିବାକୁ ଚାହୁଁ ନାହୁଁ । ଆଉ ଲକ୍ଡାଉନ୍କୁ ନ ଫେରିବାର ଗୋଟିଏ ମାତ୍ର ଉପାୟ ହେଉଛି ସତର୍କତା । ଆମେ ସତର୍କ ରହିଲେ ଲକଡ୍ାଉନ ଭଳି ସ୍ଥିତି ଉପୁଜିବ ନାହିଁ । ତେଣୁ ମୋର ଅନୁରୋଧ ଆମେ ସମସ୍ତେ ପୂର୍ବଭଳି କୋଭିଡ଼ ଗାଇଡ୍ଲାଇନ୍କୁ କଡ଼ାକଡ଼ି ଭାବରେ ପାଳନ କରିଚାଲିବା । ବାହାରକୁ ଗଲେ ମାସ୍କ ନିଶ୍ଚୟ ପିନ୍ଧିବା । ବେକରେ ଝୁଲାଇ କରି ନୁହେଁ, ଠିକ୍ ଭାବରେ ପାଟି ଓ ନାକକୁ ଘୋଡାଇ ରଖି ପିନ୍ଧିବା । ଘରକୁ ଫେରିଲେ ସାବୁନ୍ରେ ଭଲକରି ହାତ ଧୋଇବା । ମୁହଁ, ନାକ ଓ ଆଖିରେ ବାରମ୍ବାର ହାତ ମାରିବା ନାହିଁ । ସମାଜିକ ଦୂରତ୍ୱ ରକ୍ଷାକରି ହାଟ ବଜାର ଆଦି ସ୍ଥାନକୁ ଯିବା ଏବଂ ଅନାବଶ୍ୟକ ଭାବରେ ବାହାରେ ବୁଲାବୁଲି କରିବା ନାହିଁ ।

ବର୍ତ୍ତମାନ କରୋନା ପାଇଁ ଟିକାକରଣ ଆମ ରାଜ୍ୟରେ ସଫଳ ଭାବରେ ଚାଲିଛି । ଏଦିଗରେ ମୁଁ ଆପଣମାନଙ୍କର ସହଯୋଗ କାମନା କରୁଛି । କରୋନା ବିରୁଦ୍ଧରେ ଆମର ଲେଇରେ ଆମେ ଆମର ବହୁ ଯୋଦ୍ଧାଙ୍କୁ ହରାଇଛୁ । ସେମାନଙ୍କର ପରିବାର ଆଖିରୁ ଆଜି ମଧ୍ୟ ଲୁହ ଶୁଖି ନାହିଁ । ସେହି ଯୋଦ୍ଧାମାନଙ୍କର ବଳିଦାନକୁ ଆମେ କେବେ ବି ବ୍ୟର୍ଥ ଯିବାକୁ ଦେବାନାହିଁ । ସତର୍କ ରହିବା ହିଁ ସହିଦ୍ କରୋନା ଯୋଦ୍ଧାଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି । କରୋନା ନିୟମାବଳୀର ଅନୁପାଳନକୁ କଡ଼ାକଡ଼ି ଭାବରେ ତଦାରଖ କରିବା ପାଇଁ ମୁଁ ପ୍ରଶାସନ ଓ ପୋଲିସକୁ ନିର୍ଦ୍ଦେଶ ଦେଇଛି । ଆମେ ନିଜେ ସତର୍କ ରହିବା ହିଁ ସବୁଠାରୁ ଭଲ । ଆପଣମାନଙ୍କ ଉପରେ ମୋର ପୂର୍ଣ୍ଣ ଭରସା ରହିଛି । ଆପଣମାନେ ମୋର ଅନୁରୋଧ ରକ୍ଷା କରିବେ ଏବଂ ସତର୍କ ରହିବେ । ଆମେ ସମସ୍ତେ ମିଶି ଶୂନ୍ୟ ସଂକ୍ରମଣ ଲକ୍ଷ୍ୟ ହାସଲ କରିପାରିବା ।

ଓଡ଼ିଶାରେ କରୋନା ଭଲ ସ୍ଥିତିରେ ଥିଲେ ମଧ୍ୟ ମହାରାଷ୍ଟ୍ର, ପଞ୍ଜାବ, ଛତିଶଗଡ଼, ମଧ୍ୟପ୍ରଦେଶ ଆଦି ରାଜ୍ୟରେ କରୋନା କଡ଼ ଲେଉଟାଇ ଉପରମୁହାଁ ହେବା ଚିନ୍ତାର ବିଷୟ । ଲୋକମାନେ ସତର୍କ ନ ରହିଲେ ଓଡ଼ିଶାରେ ସେଭଳି ସ୍ଥିତି ଯେ ନ ଉପୁଜିବ ତାହା କହିହେବ ନାହିଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ବାର୍ତ୍ତାରେ ରାଜ୍ୟବାସୀଙ୍କୁ ସତର୍କ କରାଇଛନ୍ତି । ଆମେ ଆତ୍ମସନ୍ତୋଷ ଲାଭ କରିବା ଠିକ୍ ନୁହେଁ । କାରଣ ଆମ ଉପରୁ ବିପଦ ଏବେ ବି ଟଳି ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଆମେ କେହି ଲକଡାଉନ୍କୁ ଫେରିବାକୁ ଚାହୁଁନାହୁଁ । ଆଉ ଏଥିପାଇଁ ଏକମାତ୍ର ଉପାୟ ହେଉଛି ସତର୍କତା । କୋଭିଡ୍ ଗାଇଡଲାଇନ୍ ମାନି ସତର୍କ ରହିଲେ ଲକ୍ଡାଉନ୍ ସ୍ଥିତି ଉପୁଜିବ ନାହିଁ । ଜିରୋ ସଂକ୍ରମଣ ଆମର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।