ଭୁବନେଶ୍ୱର: ରାଜ୍ୟବ୍ୟାପୀ ବିଭିନ୍ନ ଜଙ୍ଗଲରେ ଲାଗିଥିବା ନିଆଁକୁ ଲିଭାଇବ ଓଡ୍ରାଫ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି । ଜଙ୍ଗଲ ନିଆଁ ଲିଭା କାର୍ଯ୍ୟରେ ଓଡ୍ରାଫକୁ ନିୟୋଜନ କରିବା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଜାରି କରିଛନ୍ତି । ସେହିପରି ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ସମସ୍ତ ଡିଏଫ୍ଓଙ୍କୁ ଚିଠି କରାଯାଇଛି । ଜଙ୍ଗଲ ନିଆଁ ସମ୍ପର୍କରେ ଡିଏଫ୍ଓମାନେ ପ୍ରତିଦିନ ରିପୋର୍ଟ ଦେବାକୁ ବିଭାଗ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ, ଜଙ୍ଗଲରେ ନିଆଁ ଲାଗୁଥିବାରୁ ବନ୍ୟଜନ୍ତୁଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି । ଏହାକୁ ନିୟନ୍ତ୍ରଣ କରିବା ଲାଗି ରାଜ୍ୟ ସରକାର ସୋମବାର ଏକ ଟାସ୍କଫୋର୍ସ ମଧ୍ୟ ଗଠନ କରିଛନ୍ତି । ପୂର୍ବତନ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ୍) ସନ୍ଦୀପ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏହି ଟାସ୍କଫୋର୍ସ ଗଠନ କରାଯାଇଛି । ଟାସ୍କଫୋର୍ସରେ ମୋଟ ୯ ଜଣ ସଦସ୍ୟ ରହିବେ । ସେମାନଙ୍କ ମଧ୍ୟରେ ଡେରାଡୁନ ଏବଂ ହାଇଦ୍ରାବାଦର ୩ ଜଣ ବିଶେଷଜ୍ଞ ମଧ୍ୟ ସାମିଲ ହୋଇଛନ୍ତି । ଜଙ୍ଗଲ ନିଆଁର ସମୀକ୍ଷା କରିବା ସହିତ ତାହାର କାରଣ ଓ ନିରାକରଣ ଦିଗରେ ଟାସ୍କଫୋର୍ସ ପଦକ୍ଷେପ ନେବ । ଏହି ଟାସ୍କଫୋସର୍ ପ୍ରଚଳିତ ଫାୟାର ମ୍ୟାନେଜମେଣ୍ଟ ପ୍ରୋଟୋକଲର ବୃଦ୍ଧି ପାଇଁ କ’ଣ ପଦକ୍ଷେପ ନିଆଯିବ ତାହା ଉପରେ ସରକାରଙ୍କୁ ସୁପାରିସ କରିବ । ଅଗ୍ନିକାଣ୍ଡ ପରିଚାଳନା ଓ ନିରାକରଣରେ ଗୋଷ୍ଠୀଗତ ଭାଗିଦାରୀକୁ କିପରି ବ୍ୟାପକ କରାଯିବ ସେ ନେଇ ସୁପାରିସ କରିବ ଏହି ଟାସ୍କଫୋର୍ସ । ଜଙ୍ଗଲରେ ନିଆଁ ଲିଭାଇବା ପରେ କ୍ଷୟକ୍ଷତି, ବନ୍ୟଜନ୍ତୁଙ୍କ ପ୍ରାଣହାନୀ ଓ ଜୈବବିବିଧତାର ଏହା ଆକଳନ କରିବ । ଜଙ୍ଗଲର ସ୍ଥିତି କିପରି ରହିଛି ଡିଏଫ୍ଓମାନେ ପ୍ରତିଦିନ ଜିଲ୍ଲାପାଳଙ୍କୁ ରିପୋର୍ଟ ଦେବେ । ବର୍ତ୍ତମାନ ସୁଦ୍ଧା ଶିମିଳିପାରେ ୧୧୭୫ଜଣ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ସେହିପରି ୨୯୫ଟି ଅଗ୍ନିନିର୍ବାପକ ଯନ୍ତ୍ର ଯୋଗାଇ ଦିଆଯାଇଛି । ନିଆଁ ଲିଭାଇବା ପାଇଁ ଅତିରିକ୍ତ ମ୍ୟାନ୍ ପାୱାର ଓ ଯନ୍ତ୍ରାଦି ପାଇଁ ୧୪ଲକ୍ଷ ଟଙ୍କ ଦିଆଯିବା ସହିତ ଅଗ୍ନିନିର୍ବାପନ ପାଇଁ ମୋଟ ୨କୋଟି ୨୮ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ୭ଜଣ ସହ ବନସଂରକ୍ଷକଙ୍କୁ ଏଥିପାଇଁ ଶିମିଳିପାଳ ଅଞ୍ଚଳର ବିଭିନ୍ନ ସ୍ଥାନରେ ନୋଡାଲ ଅଫିସର ରୂପେ ନିୟୋଜିତ କରାଯାଇଛି ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପ୍ରକାଶ କରିଛନ୍ତି ।