ସେନାମୁଖ୍ୟ ଜେନେରାଲ୍‌ ନରଓ୍ଵଣେ ତିନିଦିନିଆ ଦକ୍ଷିଣ କୋରିଆ ଗସ୍ତରେ

ନୂଆଦିଲ୍ଲୀ: ପୂର୍ବ ଏସୀୟ ଦେଶମାନଙ୍କ ସହ ସାମରିକ ସହଯୋଗ ସୁଦୃଢ଼ କରିବା ନିମନ୍ତେ ସୋମବାର ଦିନ ସେନାମୁଖ୍ୟ ଜେନେରାଲ୍‌ ନରଓ୍ଵଣେ ତିନିଦିନିଆ ଦକ୍ଷିଣ କୋରିଆ ଗସ୍ତରେ ଯାଇଥିବା କଥା ଏକ ବିବୃତିରେ ସେନା କହିଛି । ମିଆଁମାର, ନେପାଳ, ସଂଯୁକ୍ତ ଆରବ ଏମିରେଟ୍‌ସ୍‌ ଏବଂ ସାଉଦି ଆରବ ଗସ୍ତ ପରେ କୋଭିଡ୍‌-୧୯ ମହାମାରୀ ସମୟରେ ଏହା ହେଉଛି ନରଓ୍ଵଣେଙ୍କର ପଞ୍ଚମ ବିଦେଶ ଗସ୍ତ । ଏହି ଗସ୍ତ ସମୟରେ (ଡିସେମ୍ବର ୨୮-୩୦) ସେନାମୁଖ୍ୟ ଜେନେରାଲ୍‌ ନରଓ୍ଵଣେ ଦକ୍ଷିଣ କୋରିଆର ବରିଷ୍ଠ ସାମରିକ ଓ ବେସାମରିକ ନେତୃବୃନ୍ଦଙ୍କ ସହ ଆଲୋଚନା କରିବେ । ସେ ସିଓଲ୍‌ସ୍ଥିତ ‘ଜାତୀୟ ସାମାଧି ଏବଂ ଯୁଦ୍ଧ ସ୍ମାରକୀ’ରେ ପୁଷ୍ପମାଳିକା ଅର୍ପଣ କରିବା ସହ ନରଓ୍ଵଣେ କୋରିଆର ପ୍ରତିରକ୍ଷାମନ୍ତ୍ରୀ, ସେନାମୁଖ୍ୟ, ‘ଜଏଣ୍ଟ୍‌ ଚିଫ୍‌ ଅଫ୍‌ ଷ୍ଟାଫ୍‌’ର ଅଧ୍ୟକ୍ଷ ଏବଂ ‘ଡିଫେନ୍‌ସ୍‌ ଆକ୍ୱିଜିସନ୍‌ ପ୍ଲାନିଙ୍ଗ୍‌ ଆଡ୍‌ମିନିଷ୍ଟ୍ରେସନ୍‌’ର (ଡିଏପିଏ) ମନ୍ତ୍ରୀଙ୍କୁ ସାକ୍ଷାତ୍‌ କରିବେ। ସେମାନଙ୍କ ସହ ନରଓ୍ଵଣେ ଭାରତ ଓ ଦକ୍ଷିଣ କୋରିଆ ପ୍ରତିରକ୍ଷା ସମ୍ପର୍କ ବୃଦ୍ଧି ଉପାୟ ସଂକ୍ରାନ୍ତରେ ଆଲୋଚନା କରିବେ ।