ଚୀନ୍ ଓ ଡବ୍ଲ୍ୟୁଏଚ୍ଓକୁ ଦାୟୀ କଲା ସ୍ୱତନ୍ତ୍ର ଯାଞ୍ଚ ଟିମ: ଏମାନଙ୍କ ଅବହେଳାରୁ ଚାଲିଗଲା ଲକ୍ଷ ଲକ୍ଷ ଜୀବନ

ବେଜିଂ: ଚୀନରେ ଉହାନରୁ ପୁରା ଦୁନିଆକୁ ବ୍ୟାପିଥିବା କରୋନା ମହାମାରୀ ସବୁକିଛି ଧ୍ୱସ୍ତବିଧ୍ୱସ୍ତ କରିଦେଇଛି । ଲକ୍ଷ ଲକ୍ଷ ଜୀବନ ଚାଲିଯାଇଛି । କୋଟି କୋଟି ଲୋକଙ୍କ ଜୀବିକା ବିପନ୍ନ ହୋଇପଡ଼ିଛି । ଚୀନ ଚାହିଁଥିଲେ ଏହାକୁ ରୋକାଯାଇ ପାରିଥାନ୍ତା ବୋଲି କରୋନା ଭୂତାଣୁ ସମ୍ପର୍କରେ ଯାଞ୍ଚ କରୁଥିବା ସ୍ୱତନ୍ତ୍ର ଟିମ୍ କହିଛି । କେବଳ ଚୀନ ନୁହେଁ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ)ର ଅବହେଳା ଯୋଗୁ ଏପରି ହୋଇଛି ବୋଲି ଟିମ୍ ଏହାର ତଦନ୍ତ ରିପୋର୍ଟରେ ଦର୍ଶାଇଛି । ଇଣ୍ଡିପେଣ୍ଡେଣ୍ଟ ପ୍ୟାନେଲ ଫର ପାନ୍ଡେମିକ ପ୍ରିପେୟାରର୍ଡନେସ୍ ଆଣ୍ଡ ରେସପନ୍ସ ନାମକ ଏକ ସ୍ୱତନ୍ତ୍ର ଟିମ୍ ନିଜ ରିପୋର୍ଟରେ ଦର୍ଶାଇଛି ଯେ, ଯଦି ଚୀନ୍ ଚାହିଁଥାନ୍ତା ତେବେ କରୋନା ଭୂତାଣୁକୁ ମହାମାରୀରେ ପରିବର୍ତ୍ତନ ହେବାରୁ ରୋକିପାରିଥାନ୍ତା । କିନ୍ତୁ ଚୀନ୍ ଉପଯୁକ୍ତ ସମୟରେ ଏହାକୁ କାବୁ କରିନାହିଁ । କେବଳ ଏତିକି ନୁହେଁ ଏଥିପାଇଁ ଡବ୍ଲ୍ୟୁଏଚ୍ଓକୁ ଧ୍ୟ ଦାୟୀ କରାଯାଇଛି । କରୋନା ମହାମାରୀର ଯାଞ୍ଚ୍ କରୁଥିବା ଏହି ଟିମ୍ କହିଛି ଯେତେବେଳେ ଚୀନରେ କରୋନାର ପ୍ରଥମ ମାମଲା ସାମ୍ନାକୁ ଆସିଥିଲା, ସେତେବେଳେ ଡବ୍ଲ୍ୟୁଏଚ୍ଓ ଏବଂ ବେଜିଂ ଦ୍ରୁତଗତିରେ କାମ କରିପାରିଥାନ୍ତେ । କିନ୍ତୁ ସେମାନେ ଏପରି କିଛି କରିନଥିଲେ । ସେତେବେଳର ସେହି ଅବହେଳା ଯୋଗୁ ବିଶ୍ୱବ୍ୟାପୀ କରୋନା ଭୂତାଣୁ ମହାମାରୀ ରୂପ ନେଲା । ଟିମ୍ ତଦନ୍ତରୁ ଜାଣିବାକୁ ପାଇଛି ଯେ, ଜାତିସଂଘର ସ୍ୱାସ୍ଥ୍ୟ ସଂଗଠନ ଡବ୍ଲ୍ୟୁଏଚ୍ଓ ୨୦୨୦ ଜାନୁୟାରୀ ୨୨ ପର୍ଯ୍ୟନ୍ତ ଜରୁରିକାଳୀନ କମିଟିକୁ ମହାମାରୀ ସଙ୍କଟ ବିଷୟରେ ସୂଚନା ଦେଇନଥିଲା କି ବୈଠକ ବି ଡକାଇ ନଥିଲା । କମିଟି ଉପଯୁକ୍ତ ସମୟ ପୂର୍ବରୁ କରୋନାକୁ ଜରୁରିକାଳୀନ ସ୍ୱାସ୍ଥ୍ୟ ପରିସ୍ଥିତି ଘୋଷଣା କରିବାରେ ବି ବିଫଳ ହୋଇଥିଲା । ଏହାକୁ ନେଇ ଟିମ୍ ଡବ୍ଲ୍ୟୁଏଚ୍ଓକୁ କଡ଼ା ସମାଲୋଚନା କରିଛି । ସୂଚନାଯୋଗ୍ୟ, କରୋନା ଭୂତାଣୁ ବ୍ୟାପିବା ଲାଗି ଆମେରିକା ସମେତ ଅନେକ ଦେଶ ଚୀନ୍ ଏବଂ ଡବ୍ଲ୍ୟୁଏଚ୍ଓକୁ ଦାୟୀ କରିଥିଲେ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସିଧାସଳଖ ଚୀନ୍ ଏବଂ ଡବ୍ଲ୍ୟୁଏଚ୍ଓକୁ ଦାୟୀ କରିବା ସହିତ ଡବ୍ଲ୍ୟୁଏଚ୍ଓକୁ ପାଣ୍ଠି ଯୋଗାଣ ଉପରେ ରୋକ୍ ଲଗାଇଥିଲେ ।