ଚୀନ୍ ନିଜ ଦେଶରେ କରୋନାର ଯାଞ୍ଚ ପାଇଁ WHOକୁ ଅନୁମତି ଦେଲାନାହିଁ

ନୂଆଦିଲ୍ଲୀ: କରୋନା ଏବେ ପୁରା ବିଶ୍ୱରେ ଆତଙ୍କ ଖେଳାଇଛି। ଚୀନରୁ ଏହି ଭୟଙ୍କର ଭୂତାଣୁ ଆସିଥିବା ଚାରିଆଡେ ଚର୍ଚ୍ଚା ହେଉଛି । କାରଣ କରୋନା ଭୂତାଣୁ ପ୍ରଥମେ ଚୀନର ଏକ ସହର ଉହାନରୁ ଆସିଥିଲା । ତେବେ ଏହି ଚର୍ଚ୍ଚାରେ କେତେ ସତ୍ୟତା ରହିଛି ତାହା ଜାଣିବାକୁ ପ୍ରୟାସ କରିଥିଲା WHO । ସେଥିପାଇଁ ଚୀନକୁ ଯାଇ କରୋନା ଭୂତାଣୁର ଉତ୍ସ ଖୋଜିବାକୁ ଚାହିଁଥିଲା । ହେଲେ ଚୀନ ତା ଦେଶରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅଧିକାରୀ ମାନଙ୍କୁ ପ୍ରବେଶ କରିବାକୁ ମନା କରିଦେଇଛି। ଚୀନ୍‌ର ଅନୁସନ୍ଧାନକାରୀ ଦଳକୁ ଅନୁମତି ନଦେବା ଖବର ଏକ ସମୟରେ ଆସିଥିଲା ​​ଯେତେବେଳେ ବେଜିଂରେ କରୋନା ଭୂତାଣୁ ବିଷୟରେ ଅନେକ କିଛି ଲୁଚାଇଥିବାର ଅଭିଯୋଗ ହୋଇଥିଲା । WHO ର ମୁଖ୍ୟ କହିଛନ୍ତି ଯେ ଚୀନ୍ କର୍ତ୍ତୃପକ୍ଷ ମାନେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବିଶେଷଜ୍ଞ ଦଳକୁ ଅନୁମତି ଦେଇ ନାହାଁନ୍ତି । ଯେଉଁଥିପାଇଁ ସେମାନେ ଅତ୍ୟନ୍ତ ନିରାଶ ହୋଇଛନ୍ତି। କରୋନା ଭୂତାଣୁ ବିସ୍ତାର ହେବାର ଏକ ବର୍ଷ ପରେ WHO ବିଶେଷଜ୍ଞଙ୍କ ଏକ ଦଳ ଚୀନ୍ ଗସ୍ତରେ ଆସି ଏହି ମହାମାରୀର ଉତ୍ସ ଜାଣିବାକୁ ସ୍ଥିର କରିଥିଲେ । ହେଲେ କଣ ପାଇଁ ଚୀନ୍ ନିଜ ଦେଶରେ କରୋନାର ଯାଞ୍ଚ ପାଇଁ WHOକୁ ଅନୁମତି ଦେଉ ନାହିଁ ତାହା ଲୋକଙ୍କ ମନରେ ଚୀନ୍ ପ୍ରତି ସନ୍ଦେହ ସୃଷ୍ଟି କରୁଛି ।