ଗଞ୍ଜାମ : ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ କୁମ୍ଭାରୀ ଗ୍ରାମରେ ଜଣେ ଦାଦନ ଶ୍ରମିକଙ୍କୁ ଠିକାଦାର ଅମାନୁଷିକ ଭାବେ ମାଡ଼ ମାରିବାର ଫଟୋ ଓ ଭିଡ଼ିଓ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବା ପରେ ସାଧାରଣରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ଠିକାଦାର ଜଣକ ସମ୍ପୃକ୍ତ ଯୁବକଙ୍କୁ ବାହାର ରାଜ୍ୟକୁ ନେବାକୁ ଚାହୁଁଥିବା ବେଳେ ସେ ତାଙ୍କ ସହିତ ଯିବାକୁ ରାଜି ନହେବାରୁ ଠିକାଦାର ଜଣକ ସମ୍ପୃକ୍ତ ଯୁବକଙ୍କୁ ନିଜ ଫାର୍ମ ହାଉସକୁ ନେଇ ସେ ଓ ତାଙ୍କର ଅନ୍ୟ ତିନି ସହଯୋଗୀ ମିଶି ସମ୍ପୃକ୍ତ ଯୁବକଙ୍କୁ ଅତ୍ୟନ୍ତ ଅମାନୁଷିକ ଭାବେ ମାଡ଼ ମାରିଥିଲେ ।
ଏହି ଘଟଣା କୋଦଳା ପୋଲିସର ଦୃଷ୍ଟିକୁ ଆସିବା ପରେ ପୋଲିସ ମାଡ଼ ଖାଇଥିବା ଏହି ଯୁବକଙ୍କୁ ଥାନାକୁ ନେଇ ତାଙ୍କ ନିକଟରୁ ସମସ୍ତ ତଥ୍ୟ ଆଦାୟ କରିଛନ୍ତି । କିନ୍ତୁ, ଏ ପର୍ଯ୍ୟନ୍ତ ମାଡ଼ ମାରିଥିବା ଠିକାଦାର ଏବଂ ତାଙ୍କର ତିନି ସହଯୋଗୀଙ୍କୁ ପୋଲିସ ଗିରଫ କରିପାରିନାହିଁ । ତେବେ ଏ ସଂକ୍ରାନ୍ତରେ କୋଦଳା ଥାନାରେ ଏକ ମାମଲା ରୁଜ୍ଜୁ ହୋଇଥିବା ଜଣାପଡିଛି । ତୁରନ୍ତ ମୁଖ୍ୟ ଅଭିଯୁକ୍ତ ଠିକାଦାର ଏବଂ ତାଙ୍କର ସହଯୋଗୀ ମାନଙ୍କୁ ପୋଲିସ ଗିରଫ କରିବା ସହ ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସାଧାରଣରେ ଦାବି ହେଉଛି ।