ଘରୋଇ ଜମି ଉପରେ ନିର୍ମାଣ ଯୋଗୁଁ ଦୁଇଗୋଟି ବର୍ଜ୍ୟବସ୍ତୁ ଡ୍ରମ୍ପୟାର୍ଡ ପ୍ରକଳ୍ପ ଉପରେ ଅଙ୍କୁଶ!

କୋଣାର୍କ: କୋଣାର୍କ ଏନଏସି ପକ୍ଷରୁ ନିର୍ମାଣାଧିନ ଦୁଇଟି ବର୍ଜ୍ୟବସ୍ତୁ ଡ୍ରମ୍ପୟାର୍ଡ ବେଆଇନ ଭାବରେ ଘରୋଇ ଜମି ଉପରେ ହେଉଥିବା ଅଭିଯୋଗ ସମ୍ପର୍କିତ ତିନୋଟି ପୃଥକ ମାମଲାର ଶୁଣାଣି କରି ଓଡ଼ିଶା ହାଇକୋର୍ଟ ଅଲଗା ଅଲଗା ସ୍ଥିତାବସ୍ଥା ଜାରି କରିଛନ୍ତି । କୋଣାର୍କ ଏନଏସି ଅନ୍ତର୍ଗତ ଶୋଭନୀୟ ସ୍କୁଲ ପାର୍ଶ୍ୱ ଜୁଣେଇ ରାସ୍ତା ଓ ବସଷ୍ଟାଣ୍ଡ ପାଖ ଦୁଇଟି ଜମି ଉପରେ କୌଣସି କାର୍ଯ୍ୟ କରାଯାଇପାରିବ ନାହିଁ ଓ ଓଡିଶା ହାଇକୋର୍ଟଙ୍କ ଜାରି କରାଯାଇଥିବା ସ୍ଥିତାବସ୍ଥା ବଜାୟ ରଖିବାକୁ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି । ଏହି ସହିତ ପ୍ରତିପକ୍ଷ କୋଣାର୍କ ଏନଏସି କୁ ନୋଟିସ ଜାରି କରିଛନ୍ତି । ବେଆଇନ ଭାବେ ଘରୋଇ ଜମି ଉପରେ ନିର୍ମାଣ ହେଉଥିବା ଅଭିଯୋଗ କରି ଶୋଭନୀୟ ସ୍କୁଲ ପାଖ ଡ୍ରମ୍ପୟାର୍ଡ ପାଇଁ ଅଭିଯୋଗ କରି କାର୍ତ୍ତିକ ପାଢୀଙ୍କ ପକ୍ଷରୁ ଆଇନିଜିବି ସୂର୍ଯ୍ୟକାନ୍ତ ଦାଶ WPC ନମ୍ବର – ୩୧୫୯୨/୨୦୨୦ ଦାୟାର କରିଛନ୍ତି । ସେହିପରି ବସଷ୍ଟାଣ୍ଡ ପାଖ ଡ୍ରମ୍ପୟାର୍ଡ ପାଇଁ ଦୁଇଟି ପୃଥକ ପୃଥକ କେଶ୍ରେ ଅଭିଯୋଗ କାରି ସ୍ଵାଧୀନ କୁମାର ଚୌଧୁରୀଙ୍କ ପକ୍ଷରୁ ଆଇନଜିବି ସମୀର ମିଶ୍ର WPC ନମ୍ବର – ୩୩୯୨୬/୨୦ ଏବଂ ଅଭିଯୋଗକାରୀ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ପକ୍ଷରୁ ଆଇନଜିବି ଶିବଶଙ୍କର ମହାନ୍ତି ଓ ଶ୍ରୀଜୟ ବରାଳ WPC ନମ୍ବର -୩୬୮୬୬/୨୦୨୦ ଦାୟାର କରିଛନ୍ତି । ଏହି ସମସ୍ତ କେଶର ଶୁଣାଣି କରି ଓଡ଼ିଶା ହାଇକୋର୍ଟର ବିଚାରପତି ଏସ ପୂଜାରୀ ଏପରି ନିର୍ଦ୍ଦେଶ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ କୋଣାର୍କ ଏନଏସି ପକ୍ଷରୁ ଅନ୍ୟଏକ ବର୍ଜ୍ୟବସ୍ତୁ ଡ୍ରମ୍ପୟାର୍ଡ କୋଣାର୍କ ବାଲୁଖଣ୍ଡ ବନ୍ୟପ୍ରାଣୀ ଅଭାୟରଣ୍ୟ ମଧ୍ୟରେ ବେଆଇନ ଭାବେ ନିର୍ମାଣ ହେଉଥିବା ଅଭିଯୋଗର ଶୁଣାଣୀ କରି ହାଇକୋର୍ଟ ରହିତାଦେଶ ଜାରି କରିଥିଲେ । ଜଙ୍ଗଲ ଜମି ଓ ଇକୋ – ସେନ୍ସିଟିଭିଟି ଅଞ୍ଚଳ ଓ ବିବାଦୀୟ ଘରୋଇ ଜମି ଉପରେ ନିର୍ମାଣ କାର୍ଯ୍ୟ ନ କରି ସରକାରୀ ଜମି ଉପରେ ଏହି ନିର୍ମାଣ କାର୍ଯ୍ୟ କରିବାକୁ ସାଧାରଣ ରେ ମତ ପ୍ରକାଶ ପାଇଛି ।