-ଦିନକରେ ୪୦ହଜାର ପାର୍: ୧୮୮ ମୃତ
-ମହାରାଷ୍ଟ୍ରରେ ଦୈନିକ ସଂକ୍ରମଣ ୨୫ହଜାର ଉପରେ
ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ କରୋନା ସଂକ୍ରମଣ ହୁହୁ ହୋଇ ବଢ଼ିବାରେ ଲାଗିଛି । ଦୈନିକ ସଂକ୍ରମଣ ୨୦ ହଜାର ଓ ୩୦ ହଜାର ଭିତରେ ରହୁଥିବା ବେଳେ ଆଜି ଏହା ୪୧ ହଜାର ଛୁଇଁବାକୁ ବସିଛି । ଗତକାଲି ୩୯ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୨ ହଜାର ବଢ଼ି ଯାଇଛି । ସେହିରି ଧୀରେ ଧୀରେ କରୋନା ଜନିତ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିବା ଆରମ୍ଭ ହୋଇଛି । ଏହି କାରଣରୁ ନୂଆ କଟକଣା ଲଗାଇବାକୁ ସରକାରୀ ସ୍ତରରେ ମାନସମନ୍ଥନ ଆରମ୍ଭ ହୋଇଯାଇଛି ।
ଏକାଧିକ ରାଜ୍ୟ କଟକଣା ଲଗାଇଥିଲେ ହେଁ ଏହାର ସୁଫଳ ଏଯାଏ ଦେଖିବାକୁ ମିଳିନାହିଁ । ବିଶେଷ କରି ମହାରାଷ୍ଟ୍ରରେ କଟକଣା ସତ୍ତେ୍ୱ କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଦୈନିକ ସଂକ୍ରମଣ ୨୫ ହଜାର ଉପରେ ରହୁଥିବାରୁ ସମସ୍ତଙ୍କ ଚିନ୍ତା ବଢ଼ି ଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ଆଉ ୪୦,୯୫୩ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ସେହି ରି ଗୋଟିଏ ଦିନରେ ୨୩,୬୫୩ ଜଣ ସୁସ୍ଥ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୧୫,୫୫,୨୮୪ରେ ପହଞ୍ଚି ଯାଇଛି ।
ଏମାନଙ୍କ ମଧ୍ୟରୁ ୧,୧୧, ୦୭,୩୩୨ ଜଣ ସୁସ୍ଥ ହୋଇଥିବା ବେଳେ ଦେଶରେ ଆକ୍ଟିଭ କେସ୍ ସଂଖ୍ୟା ୨,୮୮,୩୯୪କୁ ବୃଦ୍ଧି ପାଇଛି । ୨୪ ଘଣ୍ଟାରେ କରୋନା ଆଉ ୮୮ ଜଣଙ୍କ ମୁଣ୍ଡ ନେବାରୁ ଭାରତରେ ମୋଟ ମୃତ୍ୟୁସଂଖ୍ୟା ୧,୫୯,୫୫୮ ଛୁଇଁଛି ।
ସେହିପରି ଏଯାଏ ୪,୨୦,୬୩,୩୯୨ ଜଣଙ୍କୁ କରୋନାର ରକ୍ଷା କବଚ କୁହାଯାଉଥିବା ଟିକା ପ୍ରଦାନ କରାଯାଇ ସାରିଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ଦେଶର ୪୦,୯୫୩ ଜଣ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ମହାରାଷ୍ଟ୍ରରୁ ୨୫,୬୮୧ ଜଣ ଚିହ୍ନଟ ହୋଇଛନ୍ତି । ସେହିରି କରୋନା ୨୪ ଘଣ୍ଟାରେ ରାଜ୍ୟରେ ଆଉ ୭୭ ଜଣଙ୍କ ମୁଣ୍ଡ ନେଇଛି । ନୂଆ ଆକ୍ରାନ୍ତ ଓ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୪,୨୨,୦୨୧ରେ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା ୫୩,୨୦୮କୁ ବୃଦ୍ଧି ପାଇଛି ।
ମୁମ୍ବାଇ, ଥାନେ, ପୁଣେ ଓ ବିଦର୍ଭ ଅଞ୍ଚଳରେ ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ସରକାର ସଂକ୍ରମଣ ରୋକିବାକୁ ଲକ୍ଡାଉନ୍ ଓ ଶଟ୍ଡାଉନ୍ ଲାଗୁ କରିଛନ୍ତି । ତଥାପି ଆକ୍ରାନ୍ତଙ୍କ ସଂଖ୍ୟାରେ ବ୍ରେକ୍ ଲାଗୁନି । କେବଳ ମହାରାଷ୍ଟ୍ର ନୁହେଁ, ପଞ୍ଜାବ, ତାମିଲନାଡୁ ଓ ଦିଲ୍ଲୀରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି ପଞ୍ଜାବ ସରକାର ରାତ୍ରିକାଳୀନ କର୍ଫ୍ୟୁ ଓ ବିଭିନ୍ନ ପ୍ରକାରର କଟକଣା ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି ।
ଅନ୍ୟପକ୍ଷରେ ଦେଶରେ କରୋନା ସଂକ୍ରମଣ ହୁହୁ ହୋଇ ବଢ଼ୁଥିବାରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି । ଏଥି ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଚିଠି ଲେଖାଯାଇଛି । ଲୋକମାନେ ଯେମିତି ଠିକ୍ ଭାବେ କରୋନା କଟକଣା ମାନି ମାସ୍କ ପିନ୍ଧିବେ, ନିୟମିତ ହାତ ଧୋଇବେ ଓ ସାମାଜିକ ଦୂରତା ପାଳନ କରିବେ, ତା’ର ବ୍ୟବସ୍ଥା କଡ଼ାକଡ଼ି କରିବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି ।