ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ପୁଣି ନୂଆ ନୂଆ ରେକର୍ଡ କରୁଛି । ୨୪ ଘଣ୍ଟାରେ ଦେଶରେ ୨୬ ହଜାର ଟପିଛି ଆକ୍ରାନ୍ତ ସଂଖ୍ୟା । ସୋମବାର ୨୬ ହଜାର ୨୯୧ ନୂଆ ଅକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ଆଉ ୧୧୮ଜଣଙ୍କ ଜୀବନ ନେଇଛି କରୋନା ମହାମାରୀ । ଏହାକୁ ମିଶାଇ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୮ ହଜାର ୭୨୫ରେ ପହଞ୍ଚିଛି । ଦେଶରେ ଏବେ ଅକ୍ଟିଭ୍ କେସ୍ ସଂଖ୍ୟା ରହିଛି ୨ ଲକ୍ଷ ୧୯ ହଜାର ୨୬୨ । ୭ଟି ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି ।
ମହାରାଷ୍ଟ୍ର,କେରଳ, ପଞ୍ଜାବ, କର୍ଣ୍ଣାଟକ, ତାମିଲନାଡ଼ୁ, ଗୁଜୁରାଟ ଓ ମଧ୍ୟପ୍ରଦେଶରେ ବଢୁଛି ସଂକ୍ରମଣ । ଗତକାଲି ଦେଶର ମୋଟ୍ ସଂକ୍ରମଣର ୮୭.୭୩ ପ୍ରତିଶତ ଏହି ୭ଟି ରାଜ୍ୟରୁ ଚିହ୍ନଟ ହୋଇଥିଲା । ଗତ ଏକ ସପ୍ତାହରେ ଦେଶରେ ଡିସେମ୍ବର ପରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୋଟିଏ ସପ୍ତାହ ପୂର୍ବ ତୁଳନାରେ କରୋନା ଦୈନିକ ସଂକ୍ରମଣ ସଂଖ୍ୟାରେ ୩୩ ପ୍ରତିଶତ ବୃଦ୍ଧି ଘଟିଛି ।
ଏହାସହ ମୃତକଙ୍କ ସଂଖ୍ୟା ମଧ୍ୟ ୨୮ ପ୍ରତିଶତ ବଢିଛି । ଦେଶର ରାଜଧାନୀ ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୪୦୭ଟି ନୂଆ ମାମଲା ଆସିଛି । ଏହାପରେ ଆକ୍ରାନ୍ତଙ୍କ ସଂଖ୍ୟା ୬୪୩୬୯୬ରେ ପହଞ୍ଚିଛି । ପଜିଟିଭ୍ ହାର ୦.୬୦ ରହିଛି । ସେହିପରି ମହାରାଷ୍ଟ୍ରରେ ୧୬୬୨୦ଟି ନୂଆ ମାମଲା ସାମ୍ନାକୁ ଆସିଛି । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩ ଲକ୍ଷ ୧୪ ହଜାର ହୋଇଥିବା ବେଳେ ୫୨୮୬୧ଜଣ ପ୍ରାଣ ହରାଇସାରିଛନ୍ତି ।
ସେହିପରି ଏବେ ସୁଦ୍ଧା ୧କୋଟି ୧୦ ଲକ୍ଷ ୭ ହାଜାର ୩୫୨ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏବେବି ସାରା ଦେଶରେ ୨ଲକ୍ଷ ୧୯ ହଜାର ୨୬୨ ସକ୍ରିୟ ମାମଲା ଥିବାବେଳେ ୧ଲକ୍ଷ ୫୮ ହଜାର ୭୨୫ ଜଣଙ୍କ ମୃତ୍ୟୁ ହୋଇଛି । ସାରାଦେଶରେ ଟିକାକରଣ ଜାରି ଥିବାବେଳେ, ଏବେ ସୁଦ୍ଧା ୨ କୋଟି ୯୯ ଲକ୍ଷ ୮ହଜାର ୩୮ ଜଣଙ୍କୁ ଟିକା ଦିଆଯାଇଛି ।
ଦେଶରେ ସବୁଠୁ ଅଧିକ ଖରାପ ସ୍ଥିତିରେ ରହିଛି ମହାରାଷ୍ଟ୍ର । ସଂକ୍ରମଣ ବଢୁଥିବାରୁ ମହାରାଷ୍ଟ୍ରର କେତେକ ଅଞ୍ଚଳରେ ଲକ୍ଡାଉନ୍ ଜାରି କରାଯାଇଛି । କଟକଣା ନମାନିଲେ ପୁଣି କଡ଼ାକଡ଼ି କଟକଣା ଜାରି କରାଯିବ ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଚେତାବନୀ ଦେଇଛନ୍ତି । ସେପଟେ କର୍ଣ୍ଣାଟକରେ ଲକ୍ଡାଉନ୍ ହେବନାହିଁ ବୋଲି ରାଜ୍ୟ ସରକାର କହିଛନ୍ତି । ନିୟମ କଡ଼ାକଡ଼ି ଭାବେ ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି । ପଞ୍ଜାବରେ ରାତ୍ରିକାଳୀନ କଟକଣା ଜାରି ରହିଥିବା ବେଳେ ଇନ୍ଦୋର ଓ ଭୋପାଳରେ କର୍ଫ୍ୟୁ ଲଗାଇବା ପାଇଁ ସରକାର ଚିନ୍ତା କରୁଛନ୍ତି ।