କଟକରେ ପୁଣି କରୋନା ଆତଙ୍କ ହଷ୍ଟେଲରୁ ୧୨ପଜିଟିଭ୍ ଚିହ୍ନଟ

କଟକ: କଟକରେ ଚିନ୍ତା ବଢାଇଲା କରୋନା ସଂକ୍ରମଣ । ସିଏମ୍ସି ଅଞ୍ଚଳରୁ ଆଜି ୨୫ ଆକ୍ରାନ୍ତ ଚିହ୍ନଟ ହେବା ସହିତ ଗୋଟିଏ ହଷ୍ଟେଲରୁ ୧୨ଜଣ କରୋନା ପଜିଟିଭ୍ ପରେ ଆକ୍ସନ ମୋଡ଼କୁ ଆସିଛି ପ୍ରଶାସନ । ତୁରନ୍ତ ହଷ୍ଟେଲ୍ରେ ବାସ କରୁଥିବା ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ସମସ୍ତ ଛାତ୍ରଛାତ୍ରୀଙ୍କୁ କ୍ୱାରେଣ୍ଟାଇନ୍ରେ ରହିବାକୁ ନିର୍ଦ୍ଦେଶ ଦେବା ସହ ସମସ୍ତଙ୍କ ଟେଷ୍ଟିଂ ଆରମ୍ଭ ହୋଇଛି । ସେପଟେ ଆସନ୍ତା ୧୦ ଦିନ ଯାଏଁ କଲେଜ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ ।

ସୂଚନା ଅନୁଯାୟୀ,କଟକ ଏକ ଘରୋଇ କଲେଜ ହଷ୍ଟେଲରୁ ୧୨ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାପରେ କଣ୍ଟାକ୍ଟ ଟେସିଂ ଆରମ୍ଭ ହୋଇଛି । ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ୨୫ଜଣଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦେଇଛି ପ୍ରଶାସନ । ସମସ୍ତଙ୍କ ଟେଷ୍ଟିଂ ପାଇଁ ସିଏମ୍ସିର ଏକ ଟିମ୍ ହଷ୍ଟେଲରେ ପହଞ୍ଚିଛି ।

ସେହିପରି ହଷ୍ଟେଲ୍ ଓ କଲେଜ ପରିସରକୁ ସିଏମ୍ସି ପକ୍ଷରୁ ବିଶୋଧନ କରାଯାଉଛି । ଉକ୍ତ କଲେଜ ନିକଟରେ ଅନେକ ହଷ୍ଟେଲ୍ ଥିବାରୁ ତୁରନ୍ତ ତ୍ୱରିତ ପଦକ୍ଷେପ ନିଆଯଉଛି ବୋଲି ସିଏମ୍ସି ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଯେ,ରାଜ୍ୟରେ ଆଜି ମୋଟ ୮୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସେମାନଙ୍କ ମଧ୍ୟରୁ କଟକରୁ ୨୫ଜଣ କରୋନା ପଜିଟିଭ୍ ରହିଛନ୍ତି । କିଛିଦିନର ଅନ୍ତରାଳ ପରେ ପୁଣି ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହାକି ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।