ଫେବୃଆରୀ ମାସ ପାଇଁ କୋଭିଡ୍ ଗାଇଡ୍ ଲାଇନ୍

– ପହିଲାରୁ ଖୋଲିବ ଅଙ୍ଗନବାଡି
– ସ୍କୁଲ ଖୋଲିବା ପାଇଁ ଏସଓପି ପ୍ରସ୍ତୁତ କରିବ ଗଣଶିକ୍ଷା ବିଭାଗ
– ବିବାହ , ଶୁଦ୍ଧି କାର୍ୟ୍ୟ ପାଇଁ ୫୦୦ ଜଣଙ୍କୁ ଅନୁମତି

ଭୁବନେଶ୍ୱର: ରାଜ୍ୟ ସରକାର ଶନିବାର ଦିନ ଫେବୃଆରୀ ମାସ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି । ନୂଆ ଗାଇଡଲାଇନ୍ ଅନୁସାରେ କେଂଟନ୍ ମେଂଟ ଜୋନ୍ ଅଂଚଳରେ ଲକ୍‌ଡାଉନ୍ ଜାରି ରହିବ । କେଂଟନମେଂଟ୍ ଜୋନ ବାହାରେ ଫେବୃଆରୀରେ ସ୍କୁଲ ଓ କଲେଜ ଖୋଲିବା ନିଷ୍ପତି ସମ୍ପୃକ୍ତ ବିଭାଗ ଉପରେ ଛଡ଼ା ଯାଇଥିବା ବେଳେ ଫେବୃଆରୀ ୧ତାରିଖରୁ ଅଙ୍ଗନବାଡ଼ି କେନ୍ଦ୍ର ଖୋଲାଯିବ ବୋଲି କୁହାଯାଇଛି ।ଏହା ସହ ଅନ୍ତିମକ୍ରିୟା ଏବଂ ବିବାହ ପାଇଁ ଯୋଗଦାତାଙ୍କ ସଂଖ୍ୟାକୁ ରାଜ୍ୟ ସରକାର ୫୦୦କୁ ବୃଦ୍ଧି କରିଛନ୍ତି । ଏବେ ସାମାଜିକ, ଧାର୍ମିକ, ରାଜନୈତିକ, କ୍ରୀଡା ସମାବେଶ ପାଇଁ ମଧ୍ୟ ୫୦୦ ଜଣଙ୍କୁ ଅନୁମତି ମିଳିଛି ।

ଗାଇଡ୍ ଲାଇନ୍ ଅନୁଯାୟୀ ସମାବେଶ ପାଇଁ ସ୍ଥାନୀୟ ପ୍ରଶାସନ ଠାରୁ ଅନୁମତି ନେବାକୁ ପଡିବ । ବନ୍ଦ କୋଠରୀ ମଧ୍ୟରେ ୫୦ପ୍ରତିଶତ ଲୋକଙ୍କୁ ନେଇ କାର୍ୟ୍ୟକ୍ରମ ଚାଲିବା ସହ ସମସ୍ତ କରୋନା କଟକଣା ପାଳନ କରିବାକୁ ସରକାର କହିଛନ୍ତି । ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହେବା ନେଇ ବେସାମରିକ ବିମାନ ଚଳାଚଳ / ଗୃହ ମନ୍ତ୍ରାଳୟ ନିଷ୍ପତି ନେବେ । ଅବରୋଧ ଅଂଚଳର ସୀମା ଜିଲ୍ଲାପାଳ ଓ ସ୍ଥାନୀୟ କର୍ତୃପକ୍ଷ ସ୍ଥିର କରିବା ସହ ଖୋଲା ସ୍ଥାନରେ ସମସ୍ତଙ୍କୁ ସାମଜିକ ଦୂରତା ମାନିବାକୁ କୁହାଯାଇଛି ।

ଶିକ୍ଷାନୁଷ୍ଠାନ ଖୋଲିବା ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି । ଫେବୃଆରୀ ମାସ ପାଇଁ ରାଜ୍ୟରେ ସ୍କୁଲ ଖୋଲିବା ନେଇ ଗଣଶିକ୍ଷା ବିଭାଗ ନିଷ୍ପତି ନେବ । ନବମରୁ ଦ୍ୱାଦଶ ଶ୍ରେଣୀ ପର୍ୟ୍ୟନ୍ତ ସ୍କୁଲ ଖୋଲିବା ପାଇଁ ଏହା ଅଧିନରେ ଥିବା ଶିକ୍ଷାନୁଷ୍ଠାନ ସଂପର୍କରେ ଗଣଶିକ୍ଷା ବିଭାଗ ନିଷ୍ପତି ନେବ । ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରି ଓ ଏସଓପି ଜାରି କରି ସ୍କୁଲ ଖୋଲାଯାଇପାରିବ । ସେହିପରି କଲେଜ ଓ ଉଚ୍ଚଶିକ୍ଷା ଅନୁଷ୍ଠାନ ଖୋଲିବା ନିଷ୍ପତି ନେବେ ଉଚ୍ଚଶିକ୍ଷା ବିଭାଗ । ବିଭାଗ ଅଧିନରେ ପରିଚାଳିତ କଲେଜ ଓ ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକ ଏଥି ସହ ଜଡ଼ିତ ବିଭିନ୍ନ ପକ୍ଷ ସହିତ ଆଲୋଚନା ମାଧ୍ୟମରେ ଖୋଲାଯାଇପାରିବ । ତେବେ ଏଥିଲାଗି ଗୃହବିଭାଗ ଏସଓପି, ୟୁଜିସି ଓ ଏଆଇସିଟିଇ ଗାଇଡଲାଇନ୍ ଅନୁସରଣ କରିବା ବାଧ୍ୟତାମୂଳକ ହେବ ।

ପୂର୍ବରୁ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଏସଓପି ଅନୁଯାୟୀ ସିନେମା ହଲ ଓ ଥିଏଟର ଚାଲୁ ରହିବ । କୋଭିଡ କଟକଣାକୁ କଡ଼ାକଡି ଭାବେ ଲାଗୁ କରି ମୁକ୍ତାକାଶ ଥିଏଟରଗୁଡିକୁ ଖୋଲିବା ପାଇଁ ସ୍ଥାନୀୟ କର୍ତୃପକ୍ଷ (ଜିଲ୍ଲା ମାଜିଷ୍ଟ୍ରେଟ୍ / ମ୍ୟୁନିସିପାଲିଟି କମିସନର କିମ୍ବା ସେମାନଙ୍କ ଦ୍ୱାରା ଅନୁମୋଦିତ ଅଧିକାରୀ) ଅନୁମତି ଦେଇପାରିବେ । ସୁଇମିଂ ପୁଲ ଖୋଲିବା ଏବଂ ଏହାର ବ୍ୟବହାର ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ଏସଓପି ଅନୁଯାୟୀ ହେବ । ଅନ୍ତଃ-ରାଜ୍ୟ ଏବଂ ଆନ୍ତଃ-ରାଜ୍ୟ ଯାତାୟତ ଉପରୁ କଟକଣା ହଟାଯାଇଛି । ୬୫ ବର୍ଷରୁ ଅଧିକ, ଗର୍ଭବତୀ, ଅନ୍ୟ ଗମ୍ଭୀର ଶରୀରିକ ସମସ୍ୟାରେ ପୀଡ଼ିତ ଥିବା ବ୍ୟକ୍ତି ଓ ୧୦ ବର୍ଷରୁ କମ୍ ଶିଶୁଙ୍କୁ ସୁରକ୍ଷିତ ରହିବାକୁ ପରାମର୍ଶ ଦିଆଯାଇଛି ।