କୋଭିଡ୍ କଟକଣାକୁ ଫୁ, ଶହ ଶହ ଲୋକଙ୍କ ଉପସ୍ଥିତିରେ ଚାଲିଛି ଫୁଟବଲ୍ ଖେଳ : ତହସିଲଦାରଙ୍କୁ ଜଣାଇଲେ ବି ଫଳ ଶୂନ

ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ ବେଲଗାମ ହୋଇପଡ଼ିଛି କରୋନା । ମାତ୍ର, ଏବେବି କିଛି ଅମାନିଆଙ୍କୁ ଯେପରି କୌଣସି କଥାରେ କିଛି ଫରକ ପଡ଼ୁନି । କରୋନା ମାରାତ୍ମକ ରୂପ ଧାରଣ କରୁଥିବାବେଳେ ଚାଲିଛି ଫୁଟବଲ ଖେଳ । ଶହ ଶହ ସଂଖ୍ୟାରେ ଦର୍ଶକଙ୍କ ଉପସ୍ଥିତିରେ କୋଭିଡ୍ କଟକଣାକୁ ଫୁଃ କରି ଉଡ଼େଇ ଚାଲିଛି ଖେଳ । ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବାରିପଦା ବ୍ଲକ୍ ଶଙ୍ଖାଭଙ୍ଗା ପଞ୍ଚାୟତ ଅନ୍ତର୍ଗତ ବାଘୁଆଶୋଳ ଗ୍ରାମରେ । ଗ୍ରାମର ଖେଳପଡ଼ିଆରେ ଚାଲିଛି ଫୁଟବଲ ଟୁର୍ଣ୍ଣାମେଣ୍ଟ୍ । ଗ୍ରାମର ଖେଳପଡ଼ିଆରେ ଶହଶହ ଲୋକଙ୍କ ଉପସ୍ଥିତିରେ ଚାଲିଛି ଖେଳ । ଏନେଇ ସ୍ଥାନୀୟ ବାରିପଦା ସଦର ଥାନା ଆଇଆଇସି ଏବଂ ବାରିପଦା ତହସିଲଦାରଙ୍କୁ ମଧ୍ୟ ଅବଗତ କରାଯାଇଥିଲା । ମାତ୍ର କୌଣସି ସୁଫଳ ମିଳିନାହିଁ ।

ଏପରିକି ଦୁଇ ଅଧିକାରୀ ଅତ୍ୟନ୍ତ ସନ୍ତର୍ପଣର ସହିତ ନିଜ ଦାୟିତ୍ବ ଖସେଇବାରେ ବ୍ୟସ୍ତ ରହିଲେ । କରୋନା କାରଣରୁ ବାରିପଦା ଅତ୍ୟନ୍ତ ସମ୍ବେଦନଶୀଳ ଅବସ୍ଥାରେ ରହିଛି । ଏପରି ପରିସ୍ଥିତିରେ ଫୁଟବଲ୍ ଖେଳ ଆହୁରି ଅଧିକ ବିପଦକୁ ନିମନ୍ତ୍ରଣ କରିବା ସହିତ ସମାନ ବୋଲି ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି । ଏପରି ଖେଳ କରିବାକୁ କିଏ ଅନୁମତି ଦେଲା, ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେହିପରି ଏ ବାବଦରେ ସ୍ଥାନୀୟ ତହସିଲଦାରଙ୍କୁ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯିବା ସ୍ଥାନୀୟ ପ୍ରଶାସନର ଅତ୍ୟନ୍ତ ବେପରୁଆ ମନୋଭାବର ଲକ୍ଷଣ ବୋଲି ଅଭିଯୋଗ ହୋଇଛି । ଏନେଇ ଜିଲ୍ଲାପାଳ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସାଧାରଣରେ ଦାବି ହୋଇଛି ।