କୋଭିଡ୍ ଭ୍ୟାକ୍ସିନ୍‌: ଆଜି ପିଏମ୍‌-ସିଏମ୍ ଆଲୋଚନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ତାରିଖ ଘୋଷଣା ପରେ ଆରମ୍ଭ ହୋଇଯାଇଛି ଟିକାକରଣ କାଉଣ୍ଟଡାଉନ୍ । ଆସନ୍ତା ୧୬ ତାରିଖରେ ଦେଶରେ ଆରମ୍ଭ ହେବ ବହୁ ପ୍ରତୀକ୍ଷିତ ଟିକାକରଣ । ଏହା ପୂର୍ବରୁ ଆସନ୍ତାକାଲି ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ ନରେନ୍ଦ୍ର ମୋଦୀ । ଅପରାହ୍ନ ୪ଟାରେ ଟିକାକରଣ ନେଇ ଆଲୋଚନା ହେବ । ତେଣୁ ଟିକା ବିତରଣ ପୂର୍ବରୁ ଏହି ବୈଠକ ବେଶ ଗୁରୁତ୍ୱ ବହନ କରୁଛି । କିଭଳି ରାଜ୍ୟର ମୁଖ୍ୟ ସହରଠାରୁ ଆରମ୍ଭ କରି ଉପାନ୍ତ ଅଞ୍ଚଳରେ ଟିକା ପହଞ୍ଚିପାରିବ ସେ ନେଇ ବୈଠକରେ ଆଲୋଚନା ହୋଇପାରେ । ଏଥିସହ ରାଜ୍ୟମାନେ ମଧ୍ୟ ବୈଠକରେ ନିଜ ନିଜର ଦାବି ଉପସ୍ଥାପନା କରିପାରନ୍ତି । ପ୍ରଥମ ପର୍ଯ୍ୟାୟରେ କରୋନା ଯୋଦ୍ଧାଙ୍କୁ ଟିକା ମିଳିବା ନେଇ ସରକାର ଘୋଷଣା କରିଥିବାବେଳେ ଭ୍ୟାକ୍ସିନ୍‌କୁ ବିତରଣ ନେଇ ଉତ୍ସୁକତା ଜାରି ରହିଛି । ତେବେ ଦ୍ୱିତୀୟ ପର୍ଯ୍ୟାୟ ଡ୍ରାଏରନ୍ ମଧ୍ୟ ଶେଷ ହୋଇଛି । ତେବେ ଟିକାକରଣ ସମୟ ପାଖୋଉଥିବା ବେଳେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଖୁବ୍‌ଶୀଘ୍ର ଟିକାକରଣ ଆରମ୍ଭ ହୋଇଯିବ । ଦେଶରେ ଦୁଇଟି ଟିକାରେ ଆରମ୍ଭ ହେବ ଭ୍ୟାସିନେସନ୍ । ସେରମ୍‌ ଟିକା କୋଭିସିଲ୍ଡ ଏବଂ ଭାରତ ବାୟୋଟେକ୍ ଟିକା କୋଭାକ୍ସିନ୍‌ ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡ଼ିର କୋଭିଡ୍ ଯୋଦ୍ଧାଙ୍କୁ ଦିଆଯିବ ଟିକା । ପ୍ରଥମ ପର୍ଯ୍ୟାୟରେ ୩କୋଟି ଲୋକ ଟିକା ନେବେ । ଦ୍ୱିତୀୟ ପର୍ଯ୍ୟାୟରେ ବୟସ୍କ ଏବଂ ଜଟିଳ ରୋଗରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କୁ ଦିଆଯିବ ଏହି ଟିକା । ତେବେ ଟିକାକରଣ ପାଇଁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସେମାନଙ୍କ ପ୍ରସ୍ତୁତି ଚୂଡ଼ାନ୍ତ କରିସାରିଥିବା ଜଣାପଡ଼ିଛି ।

ଟିକାକରଣ: ଓଡ଼ିଶା ତୟାର

-୧୬୦ ସ୍ଥାନରେ ଦିଆଯିବ ଟିକା

ଭୁବନେଶ୍ୱର: ରାଜ୍ୟକୁ କରୋନା ଟିକା ଆସିଲେ କିପରି କରାଯିବ ଟିକାକରଣ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟରେ ୧୬୦ଟି ସେସନ୍ ସାଇଟ୍ରେ କରାଯିବ ଟିକାକରଣ । ସେସନ ସାଇଟ୍ ନିର୍ଦ୍ଧାରଣ କରାଯାଇସାରିଛି । ସରକାରୀ ଡାକ୍ତରଖାନା, ସିଏଚ୍ସି, ପିଏଚ୍ସି ଏବଂ ଘରୋଇ ଡାକ୍ତରଖାନାକୁ ମିଶାଇ ମୋଟ୍ ୧୬୦ଟି ସ୍ଥାନରେ କରାଯିବ ଟିକାକରଣ । ରାଜ୍ୟସ୍ତରରେ କିପରି ଟିକାକରଣ କରାଯିବ ସେ ନେଇ ଚର୍ଚ୍ଚା ଚାଲିଛି । ଟିକାକରଣ ପାଇଁ ରାଜ୍ୟକୁ ପର୍ଯ୍ୟାୟକ୍ରମେ ଉପକରଣ ସବୁ ଆସୁଛି । ଏବେ ଯାହା ଉପକରଣ ଆସିଛି ପ୍ରଥମ ପର୍ଯ୍ୟାୟ ଟିକାକରଣ ପାଇଁ ଅସୁବିଧା ହେବନାହିଁ ବୋଲି ସେ କହିଛନ୍ତି । ପ୍ରତି ସ୍ଥାନରେ ୧୦୦ଜଣ ଲେଖାଏଁ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ କରୋନା ଟିକା । ତେବେ କେବେ ଦିଆଯିବ ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଖୁବ୍ ନିକଟରେ ରାଜ୍ୟରେ ଟିକାକରଣ କରାଯିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । କମ୍ପାନୀ ପାଖରୁ ଟିକା ଆସିବା ପରେ ଷ୍ଟେଟ୍ ଭ୍ୟାକ୍ସିନ୍ ସେଣ୍ଟରକୁ ପ୍ରଥମେ ଟିକା ଆସିବ ।