-କ୍ଷୀର ନ ପାଇ ଫେରିଗଲେ ଗ୍ରାହକ
-ଥାନାରେ ଏତଲା ଦେଲେ ଗୋଶାଳା କର୍ତୁପକ୍ଷ
କଟକ: ଦରମା ନ ପାଇବାରୁ ଗୋଶାଳାର ଶ୍ରମିକ ଅଶାନ୍ତି ଦିନକୁଦିନ ବଢିବାରେ ଲାଗିଛି । ଦୁଇଦିନ ଆନ୍ଦୋଳନ ଓ ଧାରଣା ପରେ ବୁଧବାର ଦିନ ଗୋଶାଳାର ମୁଖ୍ୟ ଫାଟକକୁ ଶ୍ରମିକମାନେ ତାଲା ପକାଇ ଦେଇଥିଲେ । ଫଳରେ ଗ୍ରାହକମାନେ କ୍ଷୀର ନ ପାଇ ଫେରି ଯାଇଥିଲେ । କ୍ଷୀର ଗ୍ରାହକମାନେ ଗୋଶାଳା କର୍ତୁପକ୍ଷଙ୍କୁ ଅଭିଯୋଗ କରିବା ପରେ କର୍ତୁପକ୍ଷ ଉପାୟ ଶୂନ୍ୟ ହୋଇ ଶ୍ରମିକମାନଙ୍କ ନାମରେ ଥାନାରେ ଏତଲା ଦେଇଥିବାର ଜଣାପଡିଛି । ଗୋଶାଳାରେ କାର୍ଯ୍ୟରତ ଶ୍ରମିକମାନଙ୍କ ମଧ୍ୟରୁ ୧୦ଜଣଙ୍କୁ କର୍ତୁପକ୍ଷ ୨ ମାସ ହେବ ଦରମା ଦେଇ ନାହାଁନ୍ତି କାରଣ ବହୁ ପୂର୍ବରୁ ସେମାନଙ୍କ ବୟସ ଜାଣିବାପାଇଁ ଗୋଶାଳା କର୍ତୁପକ୍ଷ ଆଧାରକାର୍ଡ ମାଗିଥିଲେ । ଦରମା ନ ପାଇବାରୁ ଦରମା ପାଇ ନଥିବା ଶ୍ରମିକମାନେ ଜିଲ୍ଲା ଶ୍ରମ ଅଧିକାରୀଙ୍କ ପାଖରେ ଅଭିଯୋଗ କରିଥିଲେ ।
ଶ୍ରମ ଅଧିକାରୀ ଗୋଶାଳା କର୍ତୁପକ୍ଷଙ୍କ ସହ ଆଲୋଚନା କରିବାପରେ ଆସନ୍ତା ୫ତାରିଖରେ ଉଭୟ ପକ୍ଷଙ୍କ ଉପସ୍ଥିତିରେ ଆଲୋଚନା କରାଯିବାକୁ ଳିଖିତ ନିଷ୍ପତି ଗ୍ରହଣ କରାଯାଇଥିଲା । ମାତ୍ର ଆଲୋଚନା ପୂର୍ବରୁ ଶ୍ରମିକମାନେ ମୁଖ୍ୟ ଫାଟକକୁ ତାଲା ପକାଇ ଦେବାରୁ ଗୋଶାଳାର କାର୍ଯ୍ୟରେ ବାଧାପ୍ରାପ୍ତ ହୋଇଥିବାର ଜଣାପଡିଛି । ଶ୍ରମିକମାନେ କାମ ବନ୍ଦ କରିବା ସହ କ୍ଷୀର ମଧ୍ୟ ଦୋହନ କରିନଥିଲେ । ଯଦି ଉପଯୁକ୍ତ ସମୟରେ କ୍ଷୀର ଦୋହନ କରାନଯାଏ ତାହାଲେ ଗାଈମାନଙ୍କଠାରେ ବିଭିନ୍ନ ପ୍ରକାରର ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି ।
ଏହି ଶ୍ରମିକମାନେ ଗୋଶାଳା ମଧ୍ୟରେ ଥିବା ଅନ୍ୟ ଅଫିସକୁ ମଧ୍ୟ ତାଲା ପକାଇ ଦେଇଥିଲେ । ବାଧ୍ୟ ହୋଇ ଗୋଶାଳା କର୍ତୁପକ୍ଷ ଥାନାର ଆଶ୍ରୟ ନେଇଥିବାର ଜଣାପଡିଛି । ସେହିପରି ଆମେ ସମସ୍ତେ ଗୋଟିଏ ଜାଗାରେ କାମ କରୁଛୁୁ ମାତ୍ର ନିର୍ଦ୍ଦିଷ୍ଟ କେତେ ଜଣଙ୍କୁ ଦରମା ଦେଉନାହାନ୍ତି । ଏଣୁ ଆମେ ମଧ୍ୟ ଦରମା ନେବୁ ନାହିଁ ବୋଲି ଶ୍ରମିକମାନେ ଅଡି ବସିଛନ୍ତି । ଆମ କଥା ବୁଝା ନହେବା ପର୍ଯ୍ୟନ୍ତ ଆମେ କାମ କରିବୁ ନାହିଁ ବୋଲି ଶ୍ରମିକମାନେ କହିଛନ୍ତି ।