ସାଲେପୁର : ସାଲେପୁର ବ୍ଲକ ସତ୍ୟଭାମାପୁର ଠାରେ ଘଟିଥିବା ଏସବିଆଇର ଗ୍ରାହକ ସେବା କେନ୍ଦ୍ରରେ ଘଟିଥିବା ଡକାୟତି ଘଟଣାର ତଦନ୍ତ କରୁଥିବା ଜଗତପୁର ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ଏହି ଘଟଣାରେ ପୋଲିସ ୪ ଜଣ ଡକାୟତଙ୍କୁ ଗିରଫ କରିବା ସହ ଡକାୟତିରେ ବ୍ୟବହାର କରାଯାଇ ଥିବା ବନ୍ଧୁକ ଓ ଏକ ଖଣ୍ଡା ଏବଂ ଲୁଟ ହୋଇଥିବା ଏକ ଲକ୍ଷ ଟଙ୍କାକୁ ମଧ୍ୟ ଜବତ କରିଛି ପୋଲିସ । ପୋଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଗତ ମାସ ୪ ତାରିଖରେ ଏହି ଡକାୟତି ଘଟିଥିଲା । ସେଦିନ ଅପରାହ୍ନ ପ୍ରାୟ ୧୨ଟା ବେଳେ ଅଭିଯୁକ୍ତ ମାନେ ଗ୍ରାହକ ସେବା କେନ୍ଦ୍ର ଭିତରକୁ ପଶି ଗୁଳି ଚାଳନା କରିବା ସହ ସମସ୍ତ କର୍ମଚାରୀଙ୍କୁ ବନ୍ଧକ ରଖିଥିଲେ ଏବଂ ଏହା ପରେ ଗ୍ରାହକ ସେବା କେନ୍ଦ୍ରରୁ ଏକ ଲକ୍ଷ୍ ୩୦ ହଜାର ଟଙ୍କା ଲୁଟ କରି ନେଇଥିଲେ । ଏହି ମାମଲାର ତଦନ୍ତ କରୁଥିବା ପୋଲିସ ଗତକାଲି ଏହି ଗ୍ୟାଙ୍ଗର ଦୁଇ ଜଣ ସଦସ୍ୟଙ୍କୁ ଧରିବା ପରେ ଅନ୍ୟ ଦୁଇ ଡକାୟତ ମଧ୍ୟ ଧରା ପଡ଼ିଥିଲେ । ତେବେ ଏହି ଗ୍ୟାଙ୍ଗ ସାଲେପୁର ଓ ଟାଙ୍ଗୀ ଅଞ୍ଚଳରେ ଥିବା ଅନେକ ବ୍ୟାଙ୍କ ଡକାୟତିରେ ସାମିଲ ଥିବା ପୋଲିସ ପକ୍ଷରୁ କୁହାଯାଇଛି । ଏମାନଙ୍କ ସହ ଗୋବିନ୍ଦପୁର ବାସିନ୍ଦା ଦୁଇ ଭାଇ ଦିପୁ ଓ ଲିପୁ ଏହି ଲୁଟର ମାଷ୍ଟରମାଇଣ୍ଡ ଥିଲେ ।