ଭୁବନେଶ୍ୱର : ଦିନକୁ ଦିନ ବଜ୍ରପାତ ଦେଶରେ ଏକ ବଡ଼ ପ୍ରାକୃତିକ ବିପର୍ଯ୍ୟୟ ଭାବରେ ତାର ବାସ୍ତବତାକୁ ପ୍ରକଟ କରୁଛି । ନିକଟରେ ଉତ୍ତର ଭାରତରେ ବିଭିନ୍ନ ରାଜ୍ୟରେ ବଜ୍ରପାତ ଯୋଗୁଁ ସତୁରୀରୁ ଅଧିକ ଲୋକ ପ୍ରାଣ ହରାଇଥିଲେ । ଏବେ ବାତ୍ୟାଠାରୁ ଅଧିକ ମାରାତ୍ମକ ହୋଇଛି ବଜ୍ରପାତ । ବଜ୍ରାଘାତରେ ଅଧିକ ଲୋକଙ୍କ ପ୍ରାଣ ଯାଉଛି । ପଶ୍ଚିମବଙ୍ଗରେ ଜୁନ୍ ୯ ତାରିଖରେ ବଜ୍ରାଘାତରେ ୨୭ ଜଣଙ୍କ ମୃତ୍ୟୁ ଘଟିଥିଲା ଯାହା ବାତ୍ୟା ୟାସର ମୃତ୍ୟୁ ସଂଖ୍ୟାଠାରୁ ଅଧିକ । ତଥ୍ୟ ଅନୁଯାୟୀ,୧୯୬୮ରେ ବଜ୍ରାଘାତରେ ବାର୍ଷିକ ୧ହଜାର ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦୦୪ଠାରୁ ଏହା ଦ୍ୱିଗୁଣିତ ହୋଇଛି । ବଜ୍ରପାତ ବାର୍ଷିକ ରିପୋର୍ଟ ଅନୁଯାୟୀ ୨୦୧୯ରୁ ୨୦ ମଧ୍ୟରେ ଦେଶରେ ୧୭୭୧ଜଣଙ୍କ ମୃତ୍ୟୁ ହୋଇଥିଲା। ୨୦୨୦-୨୧ରେ ଏହି ସଂଖ୍ୟା ୧୬୯୭ ରହିଛି । ମୃତ୍ୟୁସଂଖ୍ୟା କମିଥିଲେ ହେଁ ୨୦୨୦-୨୧ରେ ବଜ୍ରପାତ ସଂଖ୍ୟା ୩୪ ପ୍ରତିଶତ ବୃଦ୍ଧି ପାଇଛି । ଓଡ଼ିଶାରେ ବି ସର୍ବାଧିକ ବଜ୍ରପାତ ହୋଇ ଆସିଛି । କିନ୍ତୁ ବିହାର ଏଥିରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି । ବିହାରରେ ସର୍ବାଧିକ ୪୦୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଉତ୍ତର ପ୍ରଦେଶରେ ୨୩୮, ମଧ୍ୟପ୍ରଦେଶରେ ୨୨୮ ଓ ଓଡ଼ିଶାରେ ୧୫୬ଜଣଙ୍କ ମୃତ୍ୟୁ ଘଟିଥିଲା । ମୃତ୍ୟୁରେ ଚତୁର୍ଥ ସ୍ଥାନରେ ଅଛି ଓଡ଼ିଶା ।
ଦେଶରେ ଯେତେ ବଜ୍ରାଘାତ ମୃତ୍ୟୁ ହୋଇଛି ସେଥିରୁ ୭୧ପ୍ରତିଶତ ଗଛ ତଳେ ଠିଆ ହୋଇଥିବା ଅବସ୍ଥାରେ ହୋଇଥିବା ଜଣାଯାଇଛି । ୫୦ ପ୍ରତିଶତ ଖୋଲାରେ କାମ କରୁଥିବା ସମୟରେ ବଜ୍ରାଘାତର ଶିକାର ହୋଇଛନ୍ତି । ଓଡ଼ିଶା-ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ସୀମାରେ ଅଧିକ ବଜ୍ରପାତ ହୋଇଥିବା ରିପୋର୍ଟ କହୁଛି । ଜଳବାୟୁ ପରିବର୍ତ୍ତନ ଯୋଗୁ ଏଭଳି ବଜ୍ରପାତ ହେଉଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ସେ ଯାହାହେଉ, ପ୍ରାକୃତିକ ବିପର୍ଯ୍ୟୟକୁ ନିୟନ୍ତ୍ରଣ କରିବା ଯେହେତୁ ସମ୍ଭବ ନୁହେଁ ସେହି କାରଣରୁ ଏହାର ସଠିକ ପରିଚାଳନା ହେବା ଦରକାର । ଯେଉଁ ପରିବାର ବଜ୍ରପାତ ଯୋଗୁଁ କ୍ଷତିଗ୍ରସ୍ତ ହେଉଛନ୍ତି ଏବଂ ଯେଉଁ ପରିବାରର ରୋଜଗାରକ୍ଷମ ସଦସ୍ୟ ପ୍ରାଣ ହରାଇଛନ୍ତି ସେମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବା ସହ ସେହି ସବୁ ପରିବାରର ଥଇଥାନ କରିବା ସରକାର ମାନଙ୍କ ଦାୟିତ୍ୱ । ଏଥିରେ କୌଣସି ପ୍ରକାର ଅବହେଳା ଉଚିତ ନୁହେଁ ।