ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ସଂସାରଫଳ ଗୁଣ୍ଠି ଗ୍ରାମର ଦାଶରଥି ଓଝା । ପରିବାର କହିଲେ ଦାଶରଥିଙ୍କ ପତ୍ନୀ, ଦୁଇ ଛୋଟ ପିଲା, ସନଭାଇ ଓ ତାଙ୍କ ମା । ପରିବାରର ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ ଦାଶରଥି ଯାଇଥିଲେ ସୁଦୂର ଶ୍ରୀଲଙ୍କା । ଆଶାଥିଲା ଉଚ୍ଚ ଶିକ୍ଷାପରେ ଅଧିକ ରୋଜଗାର କରିବେ । ଭଲ ଘରେ ଖଣ୍ଡେ କରି ହସ ଖୁସିରେ ସଂସାର କରିବ । ଅଭାବ ଅନଟନ ଦୂରକରି ହସ ଫୁଟାଇବ ପରିବାର ଲୋକଙ୍କ ମୁହଁରେ । ହେଲେ ସବୁସ୍ୱପ୍ନ ସତେ ଯେମିତି ପାଣି ଫୋଟକା ପରି ମିଳେଇ ଯାଇଥିଲା । ଗତ ୧୬ ତାରିଖରେ ତାଙ୍କ ମାମୁଁ ଗଜେନ୍ଦ୍ର ଓଝା ଟେଲିଫୋନ ଯୋଗେ ଦାଶରଥିଙ୍କ ମୃତ୍ୟୁ ଖବର ଜଣାଇଥିଲେ । ରୋଜଗାରିଆ ପୁଅକୁ ହରାଇ ଥିବା ବେଳେ ପୁଅକୁ ମୃତ ଅବସ୍ଥାରେ ଶେଷ ଦେଖା ହେବା ନେଇ ଚିନ୍ତାରେ ପଡିଯାଇଥିଲା ପୁରା ପରିବାର । ଏବଂ ମୃତ ଦେହ ଫେରାଇ ଆଣାଗଲେ ହିନ୍ଦୁ ରୀତିନୀତି ଅନୁଯାଇ କ୍ରିୟାକର୍ମ କରିବେ ବୋଲି ମୃତ ଦଶରଥିଙ୍କ ସାନଭାଇ ଶ୍ରୀରଥି ଓଝା କେନ୍ଦ୍ରାପଡା ଜିଲ୍ଲାପାଳ ଅମ୍ବ୍ରିତ ଋତୁରାଜଙ୍କୁ ଦରଖାସ୍ତ ମାଧ୍ୟମରେ ଆକୁଳ ନିବେଦନ କରିଛନ୍ତି ।