ମାଲକାନଗିରିରେ ଚିନ୍ତା ବଢ଼ାଉଛି ଡେଙ୍ଗୁ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଡେଙ୍ଗୁ ଏବେ ଅଣାୟତ୍ତ ହୋଇପଡ଼ିଛି । ଜିଲ୍ଲାରେ ପରିମଳ ବ୍ୟବସ୍ଥା ଶୋଚନୀୟ ହୋଇ ରହିଥିବା ବେଳେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ପୂରା ଜିଲ୍ଲାରେ ବ୍ୟାପୀ ସାରିଛି ଡେଙ୍ଗୁ । ଜିଲ୍ଲାରେ ଆଜି ସୁଦ୍ଧା ୨୮୦ ଜଣଙ୍କ ଡେଙ୍ଗୁ ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୪୭ ଜଣ ଡେଙ୍ଗୁ ପିଭିଟିଭ୍ ଭାବେ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ମାଲକାନଗିରି ପୌର ପରିଷଦରେ ସର୍ବାଧିକ ୨୭ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଚିତ୍ରକୋଣ୍ଡା ବ୍ଲକ୍‌ରେ ୭, ମାଲକାନଗିରି ବ୍ଲକ୍‌ରେ ୪, କାଲିମେଳା ବ୍ଳ ଜଣେ, କୋରୁକୋଣ୍ଡା ବ୍ଲକ୍‌ରେ ୨, ମାଥିଲି ବ୍ଲକରେ ୨, ବାଲିମେଳା ଏନ୍‌ଏସିରେ ଜଣେ ଏବଂ ସୁକମା ଅଞ୍ଚଳର ୨ ଜଣ ଏଠାରେ ଚିହ୍ନଟ ହୋଇଛନ୍ତି ।

ମାଲକାନଗିରି ପୌରପାଳିକାରେ ସଫେଇ କାର୍ଯ୍ୟ ଠିକ୍ ରୂପେ ହେଉନଥିବାରୁ ବିଭିନ୍ନ ସ୍ଥାନରେ ନାଳ ନର୍ଦ୍ଦମାରେ ପାଣି ଜମି ରହୁଛି । ଯାହାଫଳରେ ମଶା ବଂଶ ବୃଦ୍ଧି ପାଇବାରୁ ଏଭଳି ପରିସ୍ଥିତି ଉପଜୁଥିବା ଦେଖିବାକୁ ମିଳିଛି । ସେହିପରି ବ୍ଲକ୍ ଗୁଡିକରେ ମଧ୍ୟ ସଫା ସୁତୁରା ହେଉନଥିବା କୁହାଯାଇଛି । ଏନେଇ ସିଡିଏମଓ ପ୍ରଫୁଲ୍ଲ ନନ୍ଦଙ୍କୁ ପଚାରିବାରୁ ବିମାନ ଡାକ୍ତରଖାନାରେ ତିନି ଜଣ ଡେଙ୍ଗୁ ରୋଗୀ ଚିକିତ୍ସିତ ହେଉଛନ୍ତି । ମାଲକାନଗିରିରେ ସର୍ବାଧିକ ରହିଥିବା ବେଳେ ଅନ୍ୟ ବ୍ଲକରେ ଜଣେ କିମ୍ବା ଦୁଇ ଜଣ ରହିଛନ୍ତି ବୋଲି ଶ୍ରୀ ନନ୍ଦ କହିଥିଲେ । ତେବେ ଖଇରପୁଟ ଏବଂ ପଡିଆ ବ୍ଲକରେ ଜଣେ ବି ଡେଙ୍ଗୁ ରୋଗୀ ଚିହ୍ନଟ ହୋଇନଥିବା ଜଣାପଡ଼ିଛି । ଆସନ୍ତାକାଲି ଠାରୁ ଡେଙ୍ଗୁ ସଚେତନତା ରଥ ସହର ପରିକ୍ରମା କରିବା ସହ ଜିଲ୍ଲାରେ ମଧ୍ୟ ବୁଲି ବୁଲି ଲୋକଙ୍କୁ ସଚେତନ କରାଇବ ବୋଲି ସିଡିଏମଓ ଶ୍ରୀ ନନ୍ଦ କହିଛନ୍ତି । ଏଥିସହ ଆଶା ଏବଂ ଅଙ୍ଗନବାଡିଙ୍କ ଦ୍ବାରା ମଧ୍ୟ ସଚେତନ କରାଯାଉଥିବା କୁହାଯାଇଛି । ସମସ୍ତଙ୍କୁ ମଶାରି ପ୍ରଦାନ କରାଯାଇଥିବା ବେଳେ ଡିଡିଟି ସିଞ୍ଚନ ମଧ୍ୟ କରାଯାଉଥିବା ସିଡିଏମଓ କହିଥିଲେ । ତେବେ ଡେଙ୍ଗୁ ରୋକିବାକୁ ହେଲେ ମାଲକାନଗିରି ପୌରପାଳିକା ସମେତ ଜିଲ୍ଲାର ସମସ୍ତ ଅଞ୍ଚଳରେ ନାଳ ନର୍ଦ୍ଦମା ଗୁଡ଼ିକୁ ସଫାସୁତୁରା ରଖିବାକୁ ବିଭିନ୍ନ ମହଲରେ ଦାବି ହୋଇଛି ।