ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ଉଡାଣ ସମ୍ପର୍କିତ ତଥ୍ୟ ସୂଚନା ଅଧିକାର ଆଇନ (ଆରଟିଆଇ) ଅନ୍ତର୍ଗତ ପ୍ରଦାନ କରାଯାଇ ପାରିବ ନାହିଁ । ଏସଂପର୍କରେ ଭାରତୀୟ ବାୟୁସେନା ପକ୍ଷରୁ ବୁଧବାର ଦିଲ୍ଲୀ ହାଇକୋର୍ଟରେ ଏକ ଆବେଦନ ଦାଖଲ କରାଯାଇଛି । ସୁରକ୍ଷା ଦୁଷ୍ଟିରୁ ଏଭଳି କରାଯାଇ ପାରିବ ନାହିଁ ବୋଲି ବାୟୁସେନା କହିଛି । କେନ୍ଦ୍ରୀୟ ସୂଚନା ଆୟୋଗ (ସିଆଇସି) ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ
ସ୍ପେଶାଲ ଫ୍ଲାଇଟ ରିଟର୍ନ-୨ ସମ୍ପର୍କିତ ସୂଚନା ବିବରଣୀ ଲୋଡ଼ା ଯାଇଥିଲା । ଏଥିରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ରହିଥିବା ଏସପିଜି କର୍ମୀଙ୍କ ନାମ ମଧ୍ୟ ପଚାର ଯାଇଥିଲା । ଏସପିଜି ସୁରକ୍ଷାକର୍ମୀ ବିଦେଶ ଯାତ୍ରା ସମୟରେ ପ୍ରଧାନମନ୍ତ୍ରୀଙ୍କ ସହିତ ଯାତ୍ରା କରିଥାନ୍ତି । ଦେଶର ସଂପ୍ରଭୁତା ଏବଂ ଅଖଣ୍ଡତା ଏହି ବିବରଣୀ ପ୍ରଦାନ ଦ୍ୱାରା ପ୍ରଭାବିତ ହେବାର ଆଶଙ୍କା ଥିବା ବାୟୁସେନା ପକ୍ଷରୁ କୁହାଯାଇଛି । ଏହା ସହିତ ସୁରକ୍ଷା, ରଣନୀତି,ବୈଜ୍ଞାନିକ ଏବଂ ଆର୍ଥିକ କ୍ଷେତ୍ର ଏହାଦ୍ୱାରା ସଂକଟରେ ପଡ଼ିବାର ଆଶଙ୍କା ରହିଥିବା ବାୟୁସେନା କହିଛି ।