ଅନୁମତି ନନେଇ ଯାତ୍ରା ପରିବେଷଣ: ବନ୍ଦ କଲା ଜିଲ୍ଲା ପ୍ରଶାସନ

ଖୋର୍ଦ୍ଧା:  ଅନୁମତି ନନେଇ ଯାତ୍ରା ପରିବେଷଣ କରିବା ମହଙ୍ଗା ପଡିଛି । ଏନେଇ ଅଭିଯୋଗ ହେବା ପରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବେଗୁନିଆ ତହସିଲଦାର ଓ ଆଇଆଇସି ଯାତ୍ରା ବନ୍ଦ କରିଛନ୍ତି । ଅଧିକ ସଂଖ୍ୟାରେ ଦର୍ଶକ ଏକତ୍ରିତ ନହେବା ଏବଂ କରୋନା ସଂକ୍ରମଣକୁ ଏଡାଇବାକୁ ଯାଇ ଯାତ୍ରା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପକ୍ଷରେ ପ୍ରଶାସନ ପକ୍ଷରୁ ଯାତ୍ରା ବନ୍ଦ ପାଇଁ ନିର୍ଦ୍ଦେଶ ପରେ ଆୟୋଜକ ଓ କଳାକାରଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।
ସୂଚନା ଅନୁଯାୟୀ, ରଙ୍ଗ ମହଲ ଯାତ୍ରା ପାର୍ଟି ପକ୍ଷରୁ ଗତ ୧୯ ତାରିଖ ଠାରୁ ବେଗୁନିଆରେ ଯାତ୍ରା ପରିବେଷଣ କରାଯାଉଥିଲା । ତେବେ ସମ୍ପୃକ୍ତ ଯାତ୍ରା ପାର୍ଟି ପକ୍ଷରୁ ପ୍ରଶାସନ ନିକଟରୁ ଏନେଇ କୌଣସି ଅନୁମତି ନିଆଯାଇନଥିଲା । ପ୍ରଥମ ରଜନୀରେ ରଙ୍ଗମହଲ ପରିବେଷଣ କରିଥିବା ନାଟକକୁ ୨ ହଜାରରୁ ଅଧିକ ଦର୍ଶକ ଦେଖିଥିବା ଅଭିଯୋଗ ହୋଇଥିଲା । ଏନେଇ ଅଭିଯୋଗ ହସ୍ତଗତ ହେବା ପରେ ଶନିବାର ରାତିରେ ବେଗୁନିଆ ତହସିଲଦାର ଓ ଥାନା ଆଇଆଇସି ମଂଚ ନିକଟରେ ପହଂଚି ଥିଲେ । ଯାତ୍ରା ପାଇଁ ଅନୁମତି ନେଇଛନ୍ତି କି ନାହିଁ ସେ ନେଇ ଆୟୋଜକଙ୍କୁ ପ୍ରଶ୍ନ କରିଥିଲେ । ମାତ୍ର, ଆୟୋଜକ ମାନେ ପ୍ରଶାସନ ନିକଟରୁ ଏନେଇ କୌଣସି ଅନୁମତି ନେଇନଥିବା କହିଥିଲେ । ଏହା ପରେ ଯାତ୍ରା ପରିବେଷଣ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲେ ତହସିଲଦାର ।
ଏଠାରେ ଉଲ୍ଲେଖଯୋଗ୍ୟ, ପ୍ରଶାସନର କରୋନା କଟକଣା ଅନୁସାରେ ୨୦୦ ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ । ଏନେଇ ପ୍ରଶାସନିକ ଅନୁମତି ନେବାକୁ ହେବ ।