ବାରିପଦା: ବାରିପଦା ପିଆରଏମ ସରକାରୀ ମେଡ଼ିକାଲ କଲେଜ ଓ ହସପିଟାଲ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କାରଣରୁ ଚର୍ଚ୍ଚାର ପରିସରକୁ ଆସିଥିବା ବେଳେ ଗତକାଲି ଅପରାହ୍ନ ସମୟରେ ମେଡ଼ିକାଲର ପୁରୁଷ ମେଡ଼ିସିନ ୱାର୍ଡ଼ରେ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ଏବଂ ଅନ୍ୟ ଏକ ରୋଗୀ ନିକଟରେ ଥିବା ବେଡ଼ରେ ବୁଲା କୁକୁର ଶୋଇ ଆରାମ କରୁଥିବା ବିଷୟକୁ ଚର୍ଚ୍ଚା ଜୋର୍ ଧରିଛି । ଏହି ଖବର ପ୍ରଚାରିତ ହେବା ପରେ ମୟୂରଭଞ୍ଜ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବାସ୍ତବ ସ୍ଥିତିକୁ ନେଇ ଲୋକେ ପ୍ରଶ୍ନ ଉଠାଇଛନ୍ତି ।
ଏହି ମେଲ୍ ମେଡ଼ିସିନ ୱାର୍ଡ଼ରେ ହସପିଟାଲ ଡ଼ାକ୍ତର, ନର୍ସ , କର୍ମଚାରୀ ଓ ସିକ୍ୟୁରିଟି ଗାର୍ଡ଼ଠାରୁ ଆରମ୍ଭ କରି ରୋଗୀ ଓ ରୋଗୀମାନଙ୍କ ଆଟେଣ୍ଡେଂଟ ସମସ୍ତେ ଚଳପ୍ରଚଳ କରୁଥିଲେ ମଧ୍ୟ ଏ ଦିଗରେ କାହାରି ନଜର ନାହିଁ । ଯେଉଁ ବେଡ଼ରେ ବୁଲା କୁକୁର ଶୋଉଛି, ସେହି ବେଡ଼ରେ ରୋଗୀ ବ୍ୟବହାର କରିବା ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ସାବ୍ୟସ୍ତ ହେବାର ସମ୍ଭାବନା ରହିଛି । ଏ ବିଷୟରେ ମେଡ଼ିକାଲ କଲେଜ ସୁପରିଟେଣ୍ଡେଂଟ ବୈକୁଣ୍ଠ ନାଥ ମହାପାତ୍ରଙ୍କ ପ୍ରତିକ୍ରିୟା ଜାଣିବା ନିମନ୍ତେ ଉଦ୍ୟମ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ପାରିନଥିଲା ।