ଦୁର୍ଦ୍ଦାନ୍ତ ମାଓ ନେତା ଦୁବାସି ଶଙ୍କର ଗିରଫ

ଭୁୁବନେଶ୍ୱର : ଦୁର୍ଦ୍ଦାନ୍ତ ମାଓ ନେତା ଦୁବାସି ଶଙ୍କରକୁ ଗିରଫ ହୋଇଛି । ତାକୁ କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଅଂଚଳରୁ ଗିରଫ କରାଯାଇଥିବା ରାଜ୍ୟ ପୋଲିସ ଡିଜି ଅଭୟ ମଙ୍ଗଳବାର ଅପରାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ତା ନିକଟରୁ ଇନସାସ ରାଇଫଲ, ୧୦ ରାଉଣ୍ଡ ଗୁଳି, ନଗଦ ୩୫ ହଜାର ଟଙ୍କା, ମୋବାଇଲ ଫୋନ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି । ଶଙ୍କରକୁ କୋର୍ଟ ଚାଲାଣ କରାଯାଇଛି । ତାକୁ ରିମାଣ୍ଡରେ ଅଣାଯିବ ବୋଲି ଡିଜିପି କହିଛନ୍ତି ।

ଆନ୍ଧ୍ର-ଓଡ଼ିଶା ସ୍ପେଶାଲ ଜୋନାଲ କମିଟିର ସଦସ୍ୟ ଥିବା ଶଙ୍କର ମୁଣ୍ଡରେ ୨୦ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା । ୧୯୮୭ରେ ମାଓ ସଂଗଠନରେ ଯୋଗ ଦେଇଥିବା ଶଙ୍କର ନାଁରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ଅନେକ ମାମଲା ରହିଛି । ବିଶାଖାପାଟଣା, କୋରାପୁଟ, ମାଲକାନଗିରିରେ ହୋଇଥିବା ମାଓ ଆକ୍ରମଣରେ ଏହାର ହାତ ରହିଥିବା କୁହାଯାଉଛି । ବିଶେଷକରି ୨୦୦୯ରେ ଦାମନଯୋଡ଼ିରେ ହୋଇଥିବା ମାଓ ଆକ୍ରମଣ ଯେଉଁଥିରେ ୧୦ ସିଆଇଏସଏଫ ଯବାନ ସହିଦ ହୋଇଥିଲେ, ସେଥିରେ ସେ ସଂପୃକ୍ତ ଥିଲା । ଏହାଛଡ଼ା ୨୦୧୦ରେ ହୋଇଥିବା ଗୋବିନ୍ଦପାଲି ବିସ୍ଫୋରଣରେ ମଧ୍ୟ ସେ ସଂପୃକ୍ତ ଥିଲା । ଏହି ଘଟଣାରେ ୧୧ ପୁଲିସ କର୍ମୀ ସହିଦ ହୋଇଥିଲେ ।