-ଚାଷୀଙ୍କ ଲାଗି ପ୍ୟାକେଜ ଘୋଷଣା , ନଦୀ ଜଳ ସଂରକ୍ଷଣ ପାଇଁ ଟ୍ୟାକ୍ସ ଫୋର୍ସ ଗଠନ କରାଯାଉ : ମୋହନ ମାଝୀ
-ମରୁଡ଼ି ସ୍ଥିତି ବିଷୟରେ ମନ୍ତ୍ରୀଙ୍କ ଉତର ଅବାନ୍ତର : ନରସିଂହ ମିଶ୍ର
ଭୁୁବନେଶ୍ୱର : ମରୁଡି କିମ୍ବା ସମ୍ଭାବ୍ୟ ମରୁଡି ଏକ ପ୍ରାକୃତିକ ଦୁର୍ବିପାକ । ଏହା ମନୁଷ୍ୟକୃତ ନୁହେଁ । ଜଳବାୟୁ ପରିବର୍ତନ ଯୋଗୁଁ ମରୁଡି ହୋଇଥାଏ । ଗତ ୨୦ବର୍ଷ ଭିତରେ ୮ଥର ରାଜ୍ୟରେ ମରୁଡ଼ି ହୋଇଛି ବୋଲି କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଅରୁଣ ସାହୁ ବିଧାନସଭାରେ ପ୍ରକାଶ କରିଛନ୍ତି ।
ବିରୋଧୀଙ୍କ ପକ୍ଷରୁ ଅଣା ଯାଇଥିବା ମୁଲତବି ପ୍ରସ୍ତାବ “ମରୁଡି କବଳରେ ସାରା ଓଡିଶା କଲବଲ, ସରକାରଙ୍କ ଯୋଗୁଁ ଦୁର୍ଦଶାରେ ଚାଷୀକୂଳ” ଆଲୋଚନାର ଉତରରେ ମନ୍ତ୍ରୀ କହିଥିଲେ ଯେ ଚଳିତ ବର୍ଷାଋତୁରେ ଅଗଷ୍ଟ ୨୮ତାରିଖ ସୁଦ୍ଧା ୨୩ଟି ଜିଲ୍ଲାରେ ନିଅଂଟିଆ ବର୍ଷା ହୋଇଛି । କମ ବର୍ଷା ହୋଇଥିବା କାରଣରୁ ୧୪ଜିଲ୍ଲାର ୪୭ଟି ବ୍ଲକରେ ଫସଲ ଗୁରୁତର ଭାବେ ପ୍ରଭାବିତ ହୋଇଛି । ମରୁଡ଼ି ସ୍ଥିତିକୁ ଦୃଷ୍ଟିରେ ରଖି ଏବେ ସେଠାରେ କଂଟିଜେନସି କ୍ରପ ପ୍ଲାନ ପ୍ରସ୍ତୁତ କରାଯାଉଛି । ଏବେ ରାୟଗଡ଼ା ଓ ଗଜପତି ଜିଲ୍ଲାରେ ମରୁଡ଼ିସ୍ଥିତିରେ ସୁଧାର ଆସିଛି । ଯେଉଁ ଜିଲ୍ଲାରେ ସ୍ୱଳ୍ପ ବୃଷ୍ଟିପାତ ହୋଇଛି ସେଠି ପମ୍ପସେଟ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଉଠା ଜଳସେଚନ ଓ କେନାଲ ପାଣିକୁ ୭ଦିନ ଭିତରେ ପ୍ରସ୍ତୁତ କରିବା ପାଇଁ କୁହାଯାଇଛି । ଏହା ଉପରେ ନଜର ରଖିବା ପାଇଁ ଜିଲ୍ଲାପାଳମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।
ଅପରପକ୍ଷରେ ମରୁଡ଼ି ସ୍ଥିତି ନେଇ ସରକାର ଉପରେ ବର୍ଷିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ମୁଲତବୀ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ମୋହନ ମାଝୀ କହିଛନ୍ତି ବିଭାଗୀୟ ମନ୍ତ୍ରୀଙ୍କ ଉତର ଚିରାଚରିତ ଓ ଦୁର୍ଭାଗ୍ୟ ଜନକ । ପ୍ରକୃତିକୁ ଦୋଷ ଦେଲେ ହେବନି ମରୁଡ଼ି ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କିଛି କରାଯାଇ ନାହିଁ । ଉଠା ଜଳସେଚନ କାର୍ଯ୍ୟକ୍ଷମ ନାହିଁ, ଜଳାଶୟ ଗୁଡିକ ଶୁଖା ପଡିଛି । ସରକାର ଜଳସେଚନରେ ଫେଲ ମାରିଛନ୍ତି । ଆମ ବିଜେପି ପକ୍ଷରୁ ୪ ଟିମ ଗ୍ରାଉଣ୍ଡ ଜିରୋକୁ ଯାଇ ସ୍ଥିତି ପରଖିକି ଆସିଛୁ । ଏହି ସମୟରେ ରାଜ୍ୟରେ ଭୟଙ୍କର ମରୁଡ଼ି ସ୍ଥିତି ସୃଷ୍ଟି ହୋଇଥିବା ଆମେ ଦେଖିବାକୁ ପାଇଛୁ ।କେତେଟା ବ୍ଲକରେ ୩୫ ପ୍ରତିଶତ ଜଳ ସେଚନ ହୋଇଛି ସରକାର ତାହାର ହିସାବ ରଖନ୍ତୁ । ସମଗ୍ର ରାଜ୍ୟରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇ ସରିଲାଣି । ତେଣୁ ମରୁଡ଼ି ଘୋଷଣା କରାଯାଇ ଏଥିପାଇଁ ଚାଷୀଙ୍କ ଲାଗି ତୁରନ୍ତ ପ୍ୟାକେଜ ଘୋଷଣା କରନ୍ତୁ ସରକାର । ରାଜ୍ୟରେ ନଦୀ ଜଳ ସଂରକ୍ଷଣ ପାଇଁ ରାଜ୍ୟ ସରକାର ଟ୍ୟାକ୍ସ ଫୋର୍ସ ଗଠନ କରିବାକୁ ଦାବି କଲେ ମୋହନ ମାଝୀ ।
ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ ରାଜ୍ୟର ମରୁଡ଼ି ସ୍ଥିତି ବିଷୟରେ ମନ୍ତ୍ରୀଙ୍କ ଉତର ଅବାନ୍ତର । ଏହାକୁ ମୁଁ ଗ୍ରହଣ କରି ପାରୁନାହିଁ । ୩୦ ଜିଲ୍ଲାରୁ ୨୭ ଜିଲ୍ଲାରେ ମରୁଡ଼ି । ତେଣୁ ଆଇନ ଅନୁଯାୟୀ ସରକାର ଏହି ଜିଲ୍ଲା ଗୁଡ଼ିକୁ ମରୁଡି ଗ୍ରସ୍ତ ଜିଲ୍ଲା ବୋଲି ଘୋଷଣା କରନ୍ତୁ । ୨୦୧୧ ସୁଦ୍ଧା ପ୍ରତି ବ୍ଲକରେ ୩୫ ପ୍ରତିଶତ ଜଳ ସେଚନ ନେଇ ସରକାର କହିଥିଲେ । ଜଳ ସେଚନ ନେଇ ସରକାରଙ୍କ ପ୍ରତିଶ୍ରୁତି ପୂରଣ ନ ହେବା କଣ ପ୍ରକୃତି ଦାୟୀ ବୋଲି ସେ ପ୍ରଶ୍ନ କରିଛନ୍ତି । ସରକାର ତାଙ୍କ କାର୍ଯ୍ୟ ନ କରି ପ୍ରକୃତି ନାଁରେ ପାରି ହେବାକୁ ଚେଷ୍ଟା କରୁଛନ୍ତି । ସୋନପୁର, କଟକ ଓ ପୁରୀରେ ଯେତିକି ଜମି ତାହା ଠୁ ଅଧିକ ଜଳ ସେଚନ ହୋଇଥିବା ସରକାର କହୁଛନ୍ତି । ବର୍ତମାନ ଗୃହରେ ଉପସ୍ଥିତ ଥିବା ସୋନପୁର ଜିଲ୍ଲାର ମନ୍ତ୍ରୀ କହି ପାରିବେ କି ସେଠି ଶତ ପ୍ରତିଶତ ଜଳସେଚନ ହୋଇଛି କି । ନୂଆପଡା ଓ ବଲାଙ୍ଗୀର ଜିଲ୍ଲାରେ ପାଣି ଅଭାବ ଯୋଗୁଁ ଗଜା ମରୁଡ଼ି ହୋଇଛି । ପାଣି ସମୁଦ୍ରକୁ ବୋହି ଯାଉଛି କିନ୍ତୁ ପ୍ରକଳ୍ପ କରାଯାଇ ପାରୁନି । ସରକାର ଘରକୁ ଘର ପାଣି ଦେବା ପାଇଁ କହୁଛନ୍ତି । ଗାଁ କୁ ଗାଁ ସରକାର ପାଣି ଦେଇ ପାରୁ ନାହାନ୍ତି ଘରକୁ ଘର ଦେବେ କେମିତି ।
ତେଣୁ ସରକାର ତୁରନ୍ତ ମରୁଡି ଘୋଷଣା କରନ୍ତୁ, ଚାଷୀମାନଙ୍କ ଋଣ ଛାଡ଼ କରନ୍ତୁ, ଚାଷୀଙ୍କୁ ବିହନ ଓ ସାର ମାଗଣା ଦିଆଯାଉ ବୋଲି ଶ୍ରୀ ମିଶ୍ର ଦାବି କରିଛନ୍ତି । ସେହିପରି ରାଜ୍ୟ ସରକାର କେନ୍ଦ୍ରକୁ ଲେଖି ଋଣ ଛାଡ କରାନ୍ତୁ, କାମ ପାଉନଥିବା ଲୋକଙ୍କୁ ଭତା , ଜଳ ସେଚନ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।