ଶିକ୍ଷା ହେଉଛି ପରିବର୍ତ୍ତନର ଆଧାର

-୫୦ହଜାର ଛାତ୍ରଛାତ୍ରୀଙ୍କ ଆକାଉଣ୍ଟକୁ ଗଲା ୧୦୧ କୋଟି

-୫ଲକ୍ଷ ୭୦ହଜାରରୁ ଊଦ୍ଧ୍ୱର୍ ଅନ୍ତେବାସୀଙ୍କ ପାଇଁ ମୋ ଛାତ୍ରାବାସ କାର୍ଡ

-ସଂହତି କାର୍ଯ୍ୟକ୍ରମରେ ଉପକୃତ ହେବେ ୧.୫ଲକ୍ଷ ଛାତ୍ରଛାତ୍ରୀ

-୧୧୩୮ ଜନଜାତି ଗ୍ରାମ୍ୟ ବିକାଶ ପାଇଁ ବିଶଦ୍ ବିକାଶ ଯୋଜନା

-ପ୍ରାକୃତିକ ସମ୍ପଦ ଓ ପୁଷ୍ଟି ସମ୍ବଳ ସୁପରିଚାଳନା ପାଇଁ ଏମ୍ଓୟୁ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ୫-ଟି କାର୍ଯ୍ୟକ୍ରମ ଅଧୀନରେ ଅନୁସୂଚିତ ଜନଜାତି, ଜାତି ବିକାଶ ବିଭାଗର ଅନେକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏଥିରେ ୩ଟି ଆକାଂକ୍ଷା ହଷ୍ଟେଲ ଓ ୬୮ଟି ଅନ୍ୟ ଛତ୍ରାବାସ ଉଦ୍ଘାଟନ, ହଷ୍ଟେଲରେ ରହୁଥିବା ୫.୭୫ ଲକ୍ଷ ଛାତ୍ରଛାତ୍ରୀଙ୍କୁ ମୋ ଛାତ୍ରାବାସ କାର୍ଡ, ୫୦ହଜାର ଛାତ୍ରଛାତ୍ରୀଙ୍କୁ ବୃତ୍ତି, ମାତୃଭାଷା ଭିତ୍ତିକ ଶିକ୍ଷାଦାନ ସଂହତି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଏହିସବୁ କାର୍ଯ୍ୟକ୍ରମଗୁଡିକ ବିଭାଗର ର୍ଯ୍ୟକ୍ରମରେ ଅଧିକ ଦକ୍ଷତା ଓ ସ୍ୱଚ୍ଛତା ଆଣିବାରେ ସହାୟକ ହେବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉଦ୍ବୋଧନ ଦେଇ କହିଥିଲେ ଯେ, ଶିକ୍ଷା ହେଉଛି ପରିବର୍ତ୍ତନର ଆଧାର ।

ଜନଜାତି ଭାଇଭଉଣୀମାନଙ୍କ ମଧ୍ୟରେ ଶିକ୍ଷାର ପ୍ରସାର ଉପରେ ସେ ସବୁବେଳେ ଗୁରତ୍ୱ ଦେଇଆସିଛନ୍ତି ବୋଲି ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜି ଜନଜାତି ପିଲାମାନେ ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ଦକ୍ଷତା ଦେଖାଇ ପାରିଛନ୍ତି । ପ୍ରାଥମିକ ଶିକ୍ଷା ପାଇଁ ମାତୃଭାଷା ସବୁଠାରୁ ଉତ୍ତମ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ,ମାତୃଭାଷା ଜରିଆରେ ହିଁ ପିଲାମାନେ ସହଜରେ ଶିକ୍ଷା ଗ୍ରହଣ କରିପାରନ୍ତି ।

ଆଜି ଆରମ୍ଭ ହେଉଥିବା ସଂହତି କାର୍ଯ୍ୟକ୍ରମ ଦ୍ୱାର ଦେଢଲକ୍ଷ ପିଲା ସୁବିଧାରେ ପାଠ ପଢିପାରିବେ । ସେହିପରି ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ମୋ ଛାତ୍ରାବାସ କାର୍ଡ, ଓଡ଼ିଶା ଷ୍ଟେଟ୍ ସ୍କଲାରସିପ୍ ପୋର୍ଟାଲରେ ପୋଷ୍ଟ ମ୍ୟାଟ୍ରିକ୍ ସ୍କଲାରସିପ୍ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟରେ ପ୍ରଦାନ କରାଯାଉଛି । ଏହି ଦୁଇଟି ଯୋଜନାରେ ୬ଲକ୍ଷରୁ ଅଧିକ ପିଲା ଉପକାର ପାଇବେ ବୋଲି ସେ କହିଥିଲେ । ସୂଚନାଯୋଗ୍ୟ ଯେ ପ୍ରାଥମିକସ୍ତରରେ ପିଲାମାନଙ୍କୁ ମାତୃଭାଷାରେ ଶିକ୍ଷା ପ୍ରଦାନ ପାଇଁ ସଂହତି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏଥିରେ ୧.୫ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ । ସେହିପରି ହଷ୍ଟେଲ ମାନଙ୍କରେ ରହୁଥିବା ଛାତ୍ରଛାତ୍ରୀମାନଙ୍କ ସୁବିଧା ପାଇଁ ମୋ ଛତ୍ରାବାସ କାର୍ଡ ବ୍ୟବସ୍ଥା ଆରମ୍ଭ କରାଯାଇଛି ।

ଏହା ଦ୍ୱାରା ଅନୁସୂଚିତ  ଜନଜାତି ଓ ଜାତି ଛାତ୍ରଛାତ୍ରୀମାନଙ୍କ ପାଇଁ ଥିବା ୬୭୦୦ ହଷ୍ଟେଲର ୫.୭୫ ଲକ୍ଷ ଛାତ୍ରଛାତ୍ରୀ ଉପକାର ପାଇବେ । ସେହିପରି ଓଡ଼ିଶା ଷ୍ଟେଟସ୍ ସ୍କଲାରସିପ୍ ପୋର୍ଟାଲ୍ ଜରିଆରେ ୫୦ ହଜାର ଛାତ୍ରଛାତ୍ରୀଙ୍କୁ ୧୦୧ କୋଟି ଟଙ୍କା ପରିମାଣର ବୃତ୍ତି ପିଲାମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ପ୍ରଦାନ କରାଯାଇଛି । ଅନୁସୂଚିତ ଜନଜାତି, ଜାତି ପିଲାମାନଙ୍କୁ ସହରର ଭଲ ସ୍କୁଲରେ ଶିକ୍ଷା ଦେବାପାଇଁ ଆକାଂକ୍ଷା ଯୋଜନା ଚାଲୁଛି ।

ଏହି ଯୋଜନାରେ ଆଜି ମୁଖ୍ୟମନ୍ତ୍ରୀ ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲାରେ ୩ଟି ଆକାଂକ୍ଷା ହଷ୍ଟେଲ ଉଦଘାଟନ କରିଛନ୍ତି । ଏହାସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ୬୮ଟି ଛତ୍ରାବାସ ଲୋକାର୍ପିତ କରିଛନ୍ତି । ଏହି ଛାତ୍ରାବାସଗୁଡିକ ପାଇଁ ୧୫୦ କୋଟି ଟଙ୍କା ବିନିଯୋଗ କରାଯାଇଛି । ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ପିଲାମାନଙ୍କ ଦକ୍ଷତା ବିକାଶ ଆମର ଆଉଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର । ପ୍ରୟାସ ଯୋଜନାରେ ୭୫୦ ରୁ ଅଧିକ ଏସ୍ସି, ଏସ୍ଟି ଓ ଓବିସି ପିଲାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନିଯୁକ୍ତି ଭିତ୍ତିକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ।

ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ କରାଯାଉଛି । ଆପଦଗ୍ରସ୍ତ ଜନଜାତିଙ୍କ ପାଇଁ ଆଜି ଆରମ୍ଭ ହୋଇଥିବା ପୁଷ୍ଟି କାର୍ଯ୍ୟକ୍ରମ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ହେଉଛି ରାଜ୍ୟ ସରକାରଙ୍କ ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ଅଜିମ୍ ପ୍ରେମ୍ଜି ଫିଲାନ୍ଥ୍ରୋପିକ୍ ଇନିସିଏଟିଭର ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଥିଲେ । ଏହି ଦ୍ୱାରା ଆମର ୩୫୦୦ ପିଭିଟିଜ ଚାଷୀ,୨୩ ହଜାର ଶିଶୁ ଏବଂ ୨୫ ହଜାର ମା’ ଉପକାର ପାଇବେ ।

ରାଜ୍ୟର ୧୧୩୮ ଟି ଗ୍ରାମରେ କାର୍ଯ୍ୟକାରୀ ହେବ । ଏହାଦ୍ୱାରା ଆମର ଜନଜାତି, ଜାତି ପିଲାମାନେ ଆଗକୁ ବଢିବା ସହିତ ସେମାନଙ୍କର ପ୍ରକୃତ ସଶକ୍ତିକରଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ ବିଶ୍ୱାସ
ପ୍ରକାଶ କରିଥିଲେ । ସମ୍ବଲପୁରରୁ ଯୋଗଦେଇ ବିଭାଗୀୟ ମନ୍ତ୍ରୀ ଜଗତ୍ତାଥ ସାରକା ଆଜିର କାର୍ଯ୍ୟକ୍ରମ ଦ୍ୱାରା ଜନଜାତି, ଅନୁସୂଚିତ ଜାତି ଛାତ୍ରଛାତ୍ରୀମାନେ ଆଗକୁ ବଢିବା ସହିତ ଓଡିଶାର ବିକାଶରେ ଯୋଗଦାନ ରଖିପାରିବେ ବୋଲି କହିଥିଲେ ।

ସେହିପରି ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଓ ରାଉରକେଲା ବିଧାୟକ ସାରଦା ନାୟକ ମଧ୍ୟ ଭିଡିଓ କନ୍ଫରେନ୍ସିଂ ଜରିଆରେ ଯୋଗଦେଇ ଅଭିଭାଷଣ ରଖିଥିଲେ । ଆପଦଗ୍ରସ୍ଥ ଜନଜାତିଙ୍କ ବିକାଶ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଏକ କ୍ଷୁଦ୍ର ଭିଡିଓ ଚିତ୍ର ପ୍ରଦର୍ଶିତ ହୋଇଥିଲା । ନବରଙ୍ଗପୁର ଓ କେଉଁଝରର ଦୁଇଜଣ ବୃତ୍ତି ପାଇଥିବା ଛାତ୍ରଛାତ୍ରୀ ଭିଡିଓ କନ୍ଫରେନ୍ସିଂ ଜରିଆରେ ନିଜର ମତାମତ ରଖି ଏହାଦ୍ୱାରା ସେମାନଙ୍କର ଉଚ୍ଚଶିକ୍ଷାରେ ସୁବିଧା ହେବ ବୋଲି ପ୍ରକାଶ କରିଥିଲେ ଏବଂ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ.ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ । ବିଭାଗୀୟ ପ୍ରମୁଖ ସଚିବ ରଞ୍ଜନା ଚୋପ୍ରା ସ୍ୱାଗତ ଭାଷଣ ଦେଇଥିଲେ ଏବଂ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପି.କେ. ଜେନା ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ, ସଚିବ ଓ ଉଚ୍ଚପଦସ୍ଥ ଅଧିକାରୀମାନେ ଯୋଗ ଦେଇଥିଲେ ।